ଭୁବନେଶ୍ବର: ଖଣ୍ଡପଡାରେ ବିଜେଡିର ବଡ ସରପ୍ରାଇଜ୍ । ନା ସୌମ୍ୟ ଫେରିଲେ ନା ଅନୁଭବଙ୍କୁ ଭରସା କଲା ଦଳ । ସାବିତ୍ରୀ ପ୍ରଧାନଙ୍କୁ ଟିକେଟ୍ ଦେଇ ମହିଳା କାର୍ଡ ଖେଳିଛି ବିଜେଡି । ଖଣ୍ଡପଡାରେ ନୂଆ ଚେହେରାଙ୍କୁ ଓହ୍ଲାଇ ବିଜୟ ଅଙ୍କ କଷିଛି ଦଳ । ତେବେ ଟିକେଟ୍ ଘୋଷଣା ହେଉ ହେଉ ଦଳ ଛାଡିଛନ୍ତି ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ।
ମାନିଲେନି କି ଫେରିଲେନି ସୌମ୍ୟ
କୁହାଯାଉଛି, ଖଣ୍ଡପଡା ବିଧାନସଭା ପାଇଁ ବିଜେଡିର ପ୍ରଥମ ପସନ୍ଦ ଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ସୌମ୍ୟ ପୁଣି ବିଜେଡିକୁ ଫେରିବେ ଓ ଖଣ୍ଡପଡାରୁ ପ୍ରାର୍ଥୀ ହେବେ, ଏନେଇ ଜୋରଦାର ଚର୍ଚ୍ଚା ହୋଇଥିଲା । ଏପରିକି ବିଜେଡି ନେତା ସୌମ୍ୟଙ୍କୁ ଭେଟି ବୁଝାସୁଝା କରିଥିବା ବି କୁହାଯାଉଥିଲା । ସୌମ୍ୟ ନହେଲେ ତାଙ୍କ ଝିଅ ତନୟା ପଟ୍ଟନାୟକ ଖଣ୍ଡପଡାରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହୋଇଥିଲା । ହେଲେ ସୌମ୍ୟ ବିଜେଡିକୁ ଫେରିବାକୁ ମାନିନଥିବା କୁହାଯାଉଛି। ଗତ ନିର୍ବାଚନରେ ସବୁଠୁ ଅଧିକ ଭୋଟ୍ ବ୍ୟବଧାନରେ ଜିତିଥିଲେ ସୌମ୍ୟ । ଜନବିରୋଧୀ ଆରୋପ ଲଗାଇ ତାଙ୍କୁ ଦଳରୁ ବହିଷ୍କାର କରିଥିଲା ବିଜେଡି ।
କାହିଁକି ସାବିତ୍ରୀଙ୍କୁ ଟିକେଟ୍ ?
ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ଟିକେଟ୍ ଦେଇ ଚମକାଇଛି ବିଜେଡି । ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ, ଗୟାଧର ରାଉତଙ୍କ ସହ ସାବିତ୍ରୀ ପ୍ରଧାନ ପ୍ରମୁଖ ଦାବିଦାର ଥିଲେ । ତେବେ ସାବିତ୍ରୀଙ୍କୁ ପ୍ରାର୍ଥୀ କରି ମହିଳା କାର୍ଡ ଖେଳିଛି ଦଳ । ଭାପୁର ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନଙ୍କୁ ପ୍ରାର୍ଥୀ କରିଛି ଦଳ। ତାଙ୍କ ସ୍ବାମୀ ବେଣୁଧର ପ୍ରଧାନ ଉପାଧ୍ୟକ୍ଷ । ତୃଣମୂଳସ୍ତରରେ ଉଭୟଙ୍କର ଭଲ ଦଖଲ ଥିବା କୁହାଯାଉଛି । ତେବେ ବିଧାନସଭା ଲଢେଇରେ ଡେବ୍ୟୁ କରିବେ ସାବିତ୍ରୀ ।
ଅନୁଭବ ନିରାଶ ଛାଡିଲେ ବିଜେଡି
ଏଥର ପୁଣି ନିରାଶ ହୋଇଛନ୍ତି ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ । ୨୦୧୪ରେ ବିଜେଡି ଟିକେଟରୁ ଜିତିଥିଲେ ଅନୁଭବ । ତେବେ ୨୦୧୯ରେ ତାଙ୍କ ବଦଳରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ଏଥର ବି ଆଶାୟୀ ରହିଥିଲେ ଅନୁଭବ । ହେଲେ ଦଳ ସାବିତ୍ରୀ ପ୍ରଧାନଙ୍କୁ ପ୍ରାର୍ଥୀ କରିବା ପରେ ସେ ବିଜେଡିକୁ ବାଏ ବାଏ କରିଛନ୍ତି । ୪୦ବର୍ଷ ଧରି ତାଙ୍କ ପରିବାର ଖଣ୍ଡପଡାରେ ସଂଗଠନ ମଜଭୁତ କରିବାକୁ ଉଦ୍ୟମ କରିଛନ୍ତି । ହେଲେ ତାଙ୍କ ପ୍ରତି ଅନ୍ୟାୟ ହୋଇଥିବା କହି ଦଳରୁ ଇସ୍ତଫା ଦେଇଛନ୍ତି ଅନୁଭବ ।
କାହିଁକି ଖଣ୍ଡପଡାକୁ ବିଜେଡିର ଫୋକସ୍?
କଟକ ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଛି ଖଣ୍ଡପଡା ଆସନ । ବିଜେଡିରୁ ଯାଇ ଏଥର କଟକ ଲୋକସଭାରେ ପ୍ରାର୍ଥୀ ହୋଇଛନ୍ତି ଭର୍ତ୍ତୃହରି ମହତାବ । ତାଙ୍କୁ ଚେକ୍ ଦେବାକୁ ଖଣ୍ଡପଡା ଅଙ୍କ କଷୁଥିଲା ବିଜେଡି । ବିଜେଡିର ଗଡ ରହିଥିବା ଖଣ୍ଡପଡାରେ ବିଜେଡି ଲଢିବ ସମ୍ମାନର ଲଢେଇ। ତେଣୁ ବିଜୟ ସମ୍ଭାବନା ଅଧିକ ଥିବା ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଛି ଦଳ । ହେଲେ ଅସନ୍ତୁଷ୍ଟ ନେତା ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇପାରନ୍ତି ।
Comments are closed.