Latest Odisha News

BREAKING NEWS

କିଟରେ ଆସନ୍ତା ୨୧ରୁ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ମହାକୁମ୍ଭ

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟରେ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆସନ୍ତା ୨୧ ତାରିଖଠାରୁ ଆରମ୍ଭ ହେଉଛି । ଏହା ହେଉଛି ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟର ସର୍ବ ବୃହତ କ୍ରୀଡ଼ା ମହୋତ୍ସବ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏହା ହେଉଛି ଏକ ଡ୍ରିମ୍‍ ପ୍ରକଳ୍ପ । ଏହି କ୍ରୀଡ଼ା ମହାକୁମ୍ଭ ଆୟୋଜନ ପାଇଁ ଗତ ୨-୩ ମାସ ପୂର୍ବରୁ ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ମହାନିର୍ଦ୍ଦେଶକଙ୍କ ସମେତ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ବହୁ ବରିଷ୍ଠ ପଦାଧିକାରୀ ଯୋଗଦେଇ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ମହୋତ୍ସବ କେଉଁ ସ୍ଥାନରେ ଆୟୋଜନ କରାଯିବ, ସେ ନେଇ ଆଲୋଚନା କରିଥିଲେ । ସେମାନେ ଚାହୁଁଥିଲେ ଏପରି ଏକ ସ୍ଥାନରେ ଅନୁଷ୍ଠିତ ହେଉ ଯେଉଁଠାରେ ବ୍ୟାପକ କ୍ରୀଡ଼ା ଭିତ୍ତିଭୂମି ସହ ଆନୁଷଙ୍ଗିକ ସୁବିଧା ରହିଥିବ ।

ଶେଷରେ ସମସ୍ତ ଦିଗକୁ ବିଚାର କରିବା ପରେ ଏହି ଉଚ୍ଚସ୍ତରୀୟ କମିଟି ଓଡ଼ିଶାର କିଟ୍‍ ବିଶ୍ୱବିଦ୍ୟାଳୟରେ ଏହି କ୍ରୀଡ଼ା ମହାକୁମ୍ଭ ଆୟୋଜନ କରିବା ପାଇଁ ନିଷ୍ପତ୍ତି ନେଲେ । କାରଣ ସେମାନେ ଜାଣିଥିଲେ କିଟ୍‍ ବିଶ୍ୱବିଦ୍ୟାଳୟରେ ସମସ୍ତ ପ୍ରକାର କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବା ପାଇଁ ଆନ୍ତର୍ଜାତିକ ମାନର କ୍ରୀଡ଼ା ଭିତ୍ତିଭୂମି ଏବଂ କ୍ରୀଡ଼ାବିତ୍‍, କୋଚ ଓ ଅନ୍ୟାନ୍ୟ ଅଫିସିଆଲ୍‍ଙ୍କ ରହିବା ପାଇଁ ସମସ୍ତ ପ୍ରକାର ସୁବିଧା ରହିଛି । ଏହା ପୂର୍ବରୁ କିଟ୍‍ ବିଶ୍ୱବିଦ୍ୟାଳୟ ଅନେକ ଜାତୀୟ ଓ ଆନ୍ତର୍ଜାତିକ କ୍ରୀଡ଼ା ପ୍ରତିଯୋଗିତା ସଫଳତାର ସହ ଆୟୋଜନ କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିପାରିଥିଲା । କିଟ୍‍ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସର୍ବଦା କ୍ରୀଡ଼ା ଓ କ୍ରୀଡ଼ାବିତ୍‍ଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଇ ଆସିଛନ୍ତି । କିଟ୍‍ର ପ୍ରୋତ୍ସାହନ ଯୋଗୁଁ ଆଜି କିଟ୍‍ ଓ କିସ୍‍ରୁ ପ୍ରାୟ ୫ହଜାରରୁ ଊର୍ଦ୍ଧ୍ୱ ଜାତୀୟ, ଆନ୍ତର୍ଜାତୀୟ ଓ ରାଜ୍ୟସ୍ତରୀୟ କ୍ରୀଡ଼ାବିତ୍‍ ସୃଷ୍ଟି ହୋଇପାରିଛନ୍ତି । ସେମାନଙ୍କ ମଧ୍ୟରେ ଦୂତୀ ଚାନ୍ଦ, ଅମୀୟ ମଲିକ, ଜଉନା ମୁର୍ମୁ, ପୂର୍ଣ୍ଣିମା ହେମ୍ବ୍ରମ୍‍, ସୁମିତ୍ରା ନାଏକ, ମନ୍ଦାକିନୀ ମାଝୀ, ଋତୁପର୍ଣ୍ଣା ପଣ୍ଡା, ଶ୍ରେୟଙ୍କା ଷଡ଼ଙ୍ଗୀ ଓ ରଣଜିତ ନାଏକଙ୍କ ଭଳି ବହୁ ଆନ୍ତର୍ଜତୀୟ ଖେଳାଳି ସୃଷ୍ଟି ହୋଇପାରିଛନ୍ତି ।

ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟର ଏକ ଉଚ୍ଚସ୍ତରୀୟ କମିଟି ଭୁବନେଶ୍ୱରରେ ପହଞ୍ଚି କିଟ୍‍ ବିଶ୍ୱବିଦ୍ୟାଳୟରେ ଥିବା ସମସ୍ତ ପ୍ରକାର କ୍ରୀଡ଼ା ଭିତ୍ତିଭୂମି ବୁଲି ଦେଖିବା ସହ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଥିଲେ । କିଟ୍‍ ବିଶ୍ୱବିଦ୍ୟାଳୟରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ମହୋତ୍ସବ ଆୟୋଜନ କରିବା ପାଇଁ ସେମାନେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଅନୁରୋଧ କରିଥିଲେ । ଯେଉଁ ସମୟରେ ଏହି କ୍ରୀଡ଼ା ମହାକୁମ୍ଭ ଅନୁଷ୍ଠିତ ହେବାକୁ ଯାଉଛି, ସେହି ସମୟ ହେଉଛି କିଟ୍‍ରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସମୟ । ତେଣୁ କିଟ୍‍ କର୍ତ୍ତୃପକ୍ଷ ପ୍ରଥମରୁ ଅରାଜି ହେଉଥିଲେ ମଧ୍ୟ ଏଭଳି ଏକ ସମ୍ମାନଜନକ ଓ ଗୁରୁତ୍ୱପୂର୍ଣ୍ଣ କ୍ରୀଡ଼ା ମହୋତ୍ସବ ଆୟୋଜନ କରିବା ପାଇଁ ସମ୍ମତି ଜଣାଇଥିଲେ । ଶେଷରେ ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପାଇଁ କିଟ୍‍କୁ ଆୟୋଜକ ଭାବେ ସ୍ଥିର କରାଯାଇ ଆନୁଷ୍ଠାନିକ ଭାବେ ଘୋଷଣା କରାଗଲା ।

ଓଡ଼ିଶାରେ ଏହି ମେଗା କ୍ରୀଡ଼ା ମହୋତ୍ସବ ଆୟୋଜନ କରିବା ପାଇଁ ରାଜ୍ୟ ସରକାରଙ୍କ ସମ୍ମତି ଆବଶ୍ୟକ । ତେଣୁ ଭାରତ ସରକାରଙ୍କ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଏହାର ଆୟୋଜନ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଗଲା । ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା କ୍ରୀଡ଼ାକୁ ପ୍ରୋତ୍ସାହନ ଦେଇଆସିଛନ୍ତି । ଓଡ଼ିଶା ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଏସୀୟ ଦୌଡ଼କୁଦ ପ୍ରତିଯୋଗିତା, ବିଶ୍ୱକପ୍‍ ହକି, ଏସିଆନ୍‍ ରଗ୍‍ବୀ ଭଳି ବହୁ ଜାତୀୟ ଓ ଆନ୍ତର୍ଜାତିକ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରି ସଫଳତା ଅର୍ଜନ କରିଛନ୍ତି । ଆଜି ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ହେଉଛି ଭାରତର କ୍ରୀଡ଼ା ରାଜଧାନୀ । ଓଡ଼ିଶାରେ ବିଶେଷ କରି କିଟ୍‍ ବିଶ୍ୱବିଦ୍ୟାଳୟରେ ଏଭଳି କ୍ରୀଡ଼ା ମହୋତ୍ସବ ଆୟୋଜନ କରାଯିବା ଓଡ଼ିଶା ପାଇଁ ଗୌରବର ବିଷୟ । ଏଥି ପାଇଁ ଓଡ଼ିଶା ସରକାର ତଥା ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ସହଯୋଗ ନିମନ୍ତେ ଶ୍ରୀ ସାମନ୍ତ ଶ୍ରୀ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଓଡ଼ିଶା ସରକାରଙ୍କ ସମ୍ମତି ପରେ କିଟ୍‍ ବିଶ୍ୱବିଦ୍ୟାଳୟରେ ଏହି କ୍ରୀଡ଼ା ମହାକୁମ୍ଭ ଆୟୋଜନ ପାଇଁ ୨ ମାସ ପୂର୍ବରୁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଗଲା । ଯଦିଓ ଏଭଳି ଏକ ମେଗା କ୍ରୀଡ଼ା କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ୧ବର୍ଷ ପୂର୍ବରୁ ଯୋଜନା ସରିଛି, କିନ୍ତୁ କିଟ୍‍ ବିଶ୍ୱବିଦ୍ୟାଳୟକୁ ପ୍ରସ୍ତୁତ ହେବା ପାଇଁ ମାତ୍ର ୨ ମାସ ସମୟ ଦିଆଯାଇଥିଲା । କିଟ୍‍ ବିଶ୍ୱବିଦ୍ୟାଳୟରେ ୧୫ଟି ସ୍ପୋଟ୍‍ର୍ସ କଂପ୍ଲେକ୍‍ସ ରହିଛି । ସମସ୍ତ କ୍ୟାମ୍ପସରେ ସନ୍ତରଣାଗାରଠାରୁ ଆରମ୍ଭ କରି ଇଣ୍ଡୋର ଷ୍ଟାଡିଅମ, ଜିମ୍ନାସିଅମ ଆଦିର ବ୍ୟବସ୍ଥା ରହିଛି । ଏହା ବ୍ୟତୀତ କ୍ରିକେଟ୍‍ ଷ୍ଟାଡିଅମ, ହକି ଷ୍ଟାଡିଅମ, ଫୁଟ୍‍ବଲ୍‍ ଷ୍ଟାଡିଅମ୍‍, ଟେନିସ୍‍ କୋଟ, ଭଲିବଲ୍‍, ବାସ୍କେଟବଲ୍‍ କୋଟ, ତୀରନ୍ଦାଜୀ ପାଇଁ ସ୍ୱତନ୍ତ୍ର ଷ୍ଟାଡିଅମ, ଆଥ୍‍ଲେଟିକ ଟ୍ରାକ୍‍, ବୃହତ ଚେସ୍‍ ହଲ୍‍ ଆଦି ବିଭିନ୍ନ ପ୍ରକାର କ୍ରୀଡ଼ା ପାଇଁ ଅତ୍ୟାଧୁନିକ ଭିତ୍ତିଭୂମି ରହିଛି । ଏସବୁ ବ୍ୟତୀତ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ମହାକୁମ୍ଭ ଆୟୋଜନ ପାଇଁ ଆଉ ଯାହା କିଛି ଭିତ୍ତିଭୂମି ଓ ବୈଷୟିକ ସହାୟତା ଆବଶ୍ୟକ ଥିଲା ତାହାକୁ ଇତି ମଧ୍ୟରେ କିଟ୍‍ କର୍ତ୍ତୃପକ୍ଷ ପୂରଣ କରିସାରିଛନ୍ତି ।

ଏହି କ୍ରୀଡ଼ା ମହାକୁମ୍ଭରେ ଭାରତର ୨୦୦ରୁ ଊର୍ଦ୍ଧ୍ୱ ବିଶ୍ୱବିଦ୍ୟାଳୟରୁ ୪ହଜାରରୁ ଊର୍ଦ୍ଧ୍ୱ କ୍ରୀଡ଼ାବିତ୍‍ ଏବଂ ହଜାରେରୁ ଊର୍ଦ୍ଧ୍ୱ କୋଚ୍‍ ଓ ଅଫିସିଆଲ୍‍ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହା ଛଡ଼ା ସାଇ ଓ ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟର ବହୁ ପଦାଧିକାରୀ ମଧ୍ୟ ଏଥିରେ ଯୋଗଦେବେ । ଏତେ ସଂଖ୍ୟକ କ୍ରୀଡ଼ାବିତ୍‍, କୋଚ୍‍ ଓ ଅଫିସିଆଲ୍‍ଙ୍କ ରହିବା ପାଇଁ କିଟ୍‍ ପରିସରରେ ସୁବ୍ୟବସ୍ଥା କରାଯାଇଛି । ସେମାନଙ୍କ ରହିବା ପାଇଁ ହଷ୍ଟେଲ୍‍ ଓ କିଟ୍‍ର ବିଭିନ୍ନ ଅତିଥି ଭବନରେ ବ୍ୟବସ୍ଥା କରାଯାଇଛି । କ୍ରୀଡ଼ାବିତ୍‍ମାନଙ୍କ ରହିବା ପାଇଁ ହଷ୍ଟେଲ୍‍ରେ ୨ ଶଯ୍ୟା ବିଶିଷ୍ଟ ବାତାନୁକୂଳିତ ରୁମ୍‍ର ବ୍ୟବସ୍ଥା କରାଯାଇଛି । ଏପରିକି ଖେଳାଳି ଓ ଅଫିସିଆଲ୍‍ଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ନିର୍ମାଣାଧୀନ ତିନୋଟି ହଷ୍ଟେଲ୍‍ର କାର୍ଯ୍ୟ ଇତି ମଧ୍ୟରେ ଶେଷ କରାଯାଇ ରହିବା ଉପଯୋଗୀ କରାଯାଇଛି । ଖେଳାଳିମାନଙ୍କୁ ନୂତନ ଖଟ ସହ ବେଡ୍‍ସିଟ୍‍ ଓ ତକିଆ ଆଦି ଯୋଗାଇ ଦିଆଯାଇଛି । ଖେଳାଳି ଓ ଅଫିସିଆଲ୍‍ଙ୍କ ଯାତାୟାତ ପାଇଁ କିଟ୍‍ ପକ୍ଷରୁ ପରିବହନ ସୁବନ୍ଦୋବସ୍ତ କରାଯାଇଛି । ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ମହୋତ୍ସବକୁ ସରସ ସୁନ୍ଦର କରିବା ପାଇଁ ସମସ୍ତ କ୍ୟାମ୍ପସର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ ହୋଇଛି ।

କ୍ରୀଡ଼ାବିତ୍‍ ଓ ଅଫିସିଆଲ୍‍ମାନଙ୍କୁ ରହିବା ଓ ଖାଇବାର ସୁବନ୍ଦୋବସ୍ତ କିଟ୍‍ ପକ୍ଷରୁ କରାଯାଇଛି । ସେମାନଙ୍କୁ ଭାରତର ବିଭିନ୍ନ ଅଞ୍ଚଳର ଖାଦ୍ୟ ପରଷିଦେବାର ବନ୍ଦୋବସ୍ତ କରାଯାଇଛି । ଏହା ଛଡ଼ା ପ୍ରତିଦିନ ସକାଳେ ସେମାନଙ୍କୁ ବିଭିନ୍ନ ପ୍ରକାର ସୁସଜ୍ଜିତ ଫଳଭର୍ତ୍ତି ଡାଲା ଯୋଗାଇ ଦେବା ପାଇଁ କିଟ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ଏଥି ପାଇଁ ସେ ଭାରତର ବିଭିନ୍ନ ସ୍ଥାନରୁ ୫ ପ୍ରକାର ସ୍ୱାଦିଷ୍ଟ ଫଳ ଆମଦାନୀ କରିଛନ୍ତି । ଖେଳାଳିମାନଙ୍କୁ ଶୁଖିଲା ଫଳ (ଡ୍ରାଏ ଫ୍‍୍ରୁଟ୍‍ସ) ଦିଆଯିବାର ମଧ୍ୟ ବନ୍ଦୋବସ୍ତ କରାଯାଇଛି । ଏ ସବୁ କିଟ୍‍ ନିଜସ୍ୱ ଖର୍ଚ୍ଚରେ ପ୍ରଦାନ କରିବ । ଏତେ ବଡ଼ କ୍ରୀଡ଼ା ମହୋତ୍ସବ ଆୟୋଜନ ହେଉଥିବା ବେଳେ କେବଳ ମେନ୍ୟୁ ଅନୁସାରେ ଖାଇବା ଖର୍ଚ୍ଚ, ପରିବହନ ଅନୁସାରେ ଇନ୍ଧନ ଖର୍ଚ୍ଚ ଆଦିକୁ ବାଦ୍‍ ଦେଲେ କିଟ୍‍ ଅନ୍ୟ କୌଣସି ଖର୍ଚ୍ଚ ନ ନେଇ ନିଜସ୍ୱ ଖର୍ଚ୍ଚରେ ଏହି କାର୍ଯ୍ୟକ୍ରମ ଆୟୋଜନ କରୁଛି ।

ଏହି କ୍ରୀଡ଼ା ମହାକୁମ୍ଭ ହେଉଛି କିଟ୍‍ ତଥା ଓଡ଼ିଶା ପାଇଁ ସମ୍ମାନର ବିଷୟ । ଏହାକୁ ସର୍ବାଙ୍ଗ ସୁନ୍ଦର କରିବା ସହ ଶୃଙ୍ଖଳିତ ଢ଼ଙ୍ଗରେ ସଫଳତାର ସହ ଆୟୋଜନ କରିବା ଲାଗି କିଟ୍‍ ସମସ୍ତ ପ୍ରୟାସ ଜାରି ରଖିଛି । କିଟ୍‍ର କର୍ମଚାରୀ ଓ ଅଧିକାରୀମାନେ ଏହି କାମରେ ଦିନରାତି ଲାଗିଛନ୍ତି । ଏହା ସତ୍ତ୍ୱେ କିଟ୍‍ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହାକୁ ସଫଳ କରାଇବା ଦିଗରେ ପ୍ରୟାସ ଜାରି ରଖିଛନ୍ତି ।

ଏହି କ୍ରୀଡ଼ା ମହାକୁମ୍ଭ ଆୟୋଜନ ପାଇଁ ୨୦ ଦିନ ପୂର୍ବରୁ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ସଚିବାଳୟ କିଟ୍‍ ମୁଖ୍ୟ ଲାଇବ୍ରେରୀଠାରେ କାର୍ଯ୍ୟ କରିଆସୁଛି । ଏହା ଭାରତ ସରକାର କିଟ୍‍ ବିଶ୍ୱବିଦ୍ୟାଳୟ ଉପରେ ବିଶ୍ୱାସ ରଖି ଯେଉଁ ଗୁରୁ ଦାୟିତ୍ୱ ଦେଇଛନ୍ତି ତାହାକୁ ସରସ ସୁନ୍ଦର ଓ ସଫଳ କରିବା ପାଇଁ କିଟ୍‍ ପ୍ରତିଶ୍ରୁତିବଦ୍ଧ ।

Leave A Reply

Your email address will not be published.