ଖୋର୍ଦ୍ଧା: ଖୋର୍ଦ୍ଧା ପୋଲିସକୁ ସଫଳତା । ବନ୍ଧୁକ ମୁନରେ ୫ଲକ୍ଷ ୫୦ ହଜାର ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ଖୋର୍ଦ୍ଧା ପୋଲିସ । ରାମେଶ୍ୱର ଛକ ପାଇକରାୟ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଲୁଟ ହୋଇଥିଲା । ଲୁଟ୍ ଘଟଣାରେ ୩ ଜଣ ଡକାୟତଙ୍କୁ ଗିରଫ କରିଛି ପୋଲିସ । ଏହାସହ ସେମାନଙ୍କଠାରୁ ଗୋଟିଏ ଦେଶୀ ପିସ୍ତଲ, ଗୋଟିଏ ଖଣ୍ଡା, ୩ଟି ବାଇକ୍, ମୋବାଇଲ ଫୋନ୍ ସହ ୧ଲକ୍ଷ ୧୦ ହଜାର ଟଙ୍କା ଜବତ କରିଛି ପୋଲିସ୍ । ଏନେଇ ଜଙ୍କିଆ ଥାନା ପରିସରରେ ଏକ ପ୍ରେସ ମିଟରେ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଏସପି ରାଜ କିଶୋର ଦୋରା ।
ଗତ ୧୫ ତାରିଖରେ ଲୁଟ ହୋଇଥିଲା । ରାମେଶ୍ବର ଛକ ପାଇକରାୟ ପେଟ୍ରୋଲ ପମ୍ପରୁ ଟଙ୍କା ନେଇ ସ୍କୁଟିରେ ପମ୍ପର କର୍ମଚାରୀ ଜଙ୍କିଆ ସ୍ଥିତ ଗ୍ରାମ୍ୟ ବ୍ୟାଙ୍କକୁ ଡିପୋଜିଟ୍ କରିବାକୁ ଯାଉଥିବା ବେଳେ ମାଲଗୁଣୀ ବ୍ରିଜ ପରେ ଏନଏଚ-୧୬ ଉପରେ ଡକାୟତ ଲୁଟ କରିଥିଲେ । ଦୁଇଟି ଗାଡିରେ ଆସି ଦୁର୍ବୃତ୍ତ ଲୁଟ କରିଥିଲେ । ପମ୍ପ କର୍ମଚାରୀଙ୍କ ଗାଡିକୁ ଧକ୍କା ମାରି ତଳେ ପକାଇ ଖଣ୍ଡା ବନ୍ଧୁକ ଦେଖାଇ ଲୁଟି ନେଇଥିଲେ ଟଙ୍କା ।
ଏହାକୁ ନେଇ ଜଙ୍କିଆ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଏହାପରେ ଖୋର୍ଦ୍ଧା ଏସପି ଏକ ଟିମ୍ ଗଠନ କରି ବିଭିନ ସ୍ଥାନରେ ଚଢ଼ାଉ କରି ଦୁର୍ବୁତ୍ତଙ୍କୁ ଧରିବାରେ ସଫଳ ହୋଇଛନ୍ତି । ଗିରଫ ଅଭିଯୁକ୍ତ ହେଲେ ନିରାକାରପୁର ଥାନା ଖଜୁରିପଡାର ଡାକା ଓରଫ ଅନିଲ ସୁନ୍ଦରାୟ, ନିରାକାରପୁର ପଦ୍ମପୁରର ଚିଣ୍ଟୁ ଓରଫ ସିଦ୍ଧାନ୍ତ କୁମାର ସ୍ୱାଇଁ, ଜଙ୍କିଆ ବାଲିଗାଡିଆର ଧଣ୍ଡୁଆ ଓରଫ ପିତାମ୍ବର ବଳିୟାର ସିଂ ବୋଲି ଜଣାପଡିଛି । ଘଟଣାରେ ଏବେ ବି ଆହୁରି ୫ ଜଣ ଫେରାର ଥିବା ଏସପି କହିଛନ୍ତି ।
Comments are closed.