Latest Odisha News

BREAKING NEWS

ଅଟୋରେ ଚାଲାଣ ହେଉଥିଲା ବ୍ରାଉନ ସୁଗାର, ମାଡ଼ି ବସିଲା ପୋଲିସ

ଖୋର୍ଦ୍ଧା: ନିଶାଦ୍ରବ୍ୟ ଚୋରା ଚାଲାଣ ଉପରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଖୋର୍ଦ୍ଧା ଟାଉନ୍ ପୁଲିସ ବୁଧବାର ୫୬ ଲକ୍ଷ ଟଙ୍କା ମୂଲ୍ୟର ୫୬୦ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରିଛି। ଏଥିସହ ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ରାମଚଣ୍ଡୀ ଗାଁର ଗୋଟିଏ ପରିବାରର ୩ ଜଣ ଓ ରଣପୁର ଅଞ୍ଚଳର ଜଣେ ବ୍ୟକ୍ତି ବ୍ରାଉନ ସୁଗାର ଚୋରା ଚାଲାଣ କରୁଥିବା ବେଳେ ଧରାପଡ଼ିଛନ୍ତି।

ଅଭିଯୁକ୍ତମାନେ ହେଲେ ଶିବ ମଲ୍ଲିକ, ତାଙ୍କ ପତ୍ନୀ ସୁଷମା ମଲ୍ଲିକ, ପୁଅ ଜୟପ୍ରକାଶ ମଲ୍ଲିକ ଓ ପ୍ରତାପ କୁମାର ମହାପାତ୍ର। ପୋଲିସ ଖବର ପାଇ ତୋଟାପଡ଼ା ଛକ ନିକଟରେ ଏକ ଅଟୋକୁ ଅଟକ ରଖିବା ସହ ଅଭିଯୁକ୍ତଙ୍କ ନିକଟରୁ ବ୍ରାଉନ ସୁଗାର ଜବତ କରିଛି।
ଚାରି ଅଭିଯୁକ୍ତ ନୟାଗଡ଼ରୁ ଖୋର୍ଦ୍ଧାକୁ ବ୍ରାଉନସୁଗାର ଚାଲାଣ କରୁଥିଲେ ବୋଲି ଜଣାପଡ଼ିଛି।

ଏହି ଘଟଣାରେ ୫୬୦ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଚାରି ଜଣଙ୍କୁ ଗିରଫ କରିଛନ୍ତି ବୋଲି ପୋଲିସ କହିଛି। ଏହାପୂର୍ବରୁ ୨୨ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଥିଲା। ଖୋର୍ଦ୍ଧାକୁ ବ୍ରାଉନ ସୁଗାର ମୁକ୍ତ କରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ କହିଛନ୍ତି।

 

Comments are closed.