ଦେବଗଡ:ଉଦ୍ଧାର ହେଲା କୁନି ଝିଅ ପିହୁ । ଦେବଗଡ ମୁଖ୍ୟ ବଜାରରୁ ଗତକାଲି ସନ୍ଧ୍ୟାରେ ସମସ୍ତଙ୍କ ସାମ୍ନାରେ ପିହୁକୁ ଉଠାଇ ନେଇ ପଳାଇଥିଲେ ଦୁର୍ବୃତ୍ତ । ଆଜି ତାକୁ ସୁନ୍ଦରଗଡ ଜିଲ୍ଲା ବଡଗାଁର ଏକ ପୋଲ ତଳୁ ଉଦ୍ଧାର କରିଛି ପୋଲିସ । ସବୁଠାରୁ ବଡକଥା ହେଲା, କୁନି ପିହୁ ପୋଲିସକୁ ନିଜ ପରିଚୟ ଦେଇନି, ବରଂ ବାପାମା’ଙ୍କ ଟେଲିଫୋନ ନମ୍ବର ମନେରଖି ପୋଲିସକୁ କହିଛି । ଫଳରେ ପୋଲିସ ତୁରନ୍ତ ତାଙ୍କ ପରିବାର ସହ ଯୋଗାଯୋଗ କରିପାରିଛି ।
ମିଳିଥିବା ସୂଚନା ଅନୁସାରେ ଦେବଗଡ ପୌରାଞ୍ଚଳ ମାର୍କେଟ ଛକରେ ରହୁଥିବା କପଡା ବ୍ୟବସାୟୀ ଆଲୋକ ଅଗ୍ରୱାଲଙ୍କ ଝିଅ ପିହୁ ଗତକାଲି ସନ୍ଧ୍ୟାରେ ନିଜ ଆଇଙ୍କ ସହ ଟ୍ୟୁସନରୁ ଫେରୁଥିଲା । ଏହି ସମୟରେ ଦେବଗଡ ମୁଖ୍ୟ ବଜାରରେ ଦୁଇଜଣ ଦୁର୍ବୃତ୍ତ ଆସି ୬ ବର୍ଷର କୁନି ଝିଅକୁ ନେଇ ପଳାଇଥିଲେ । ଏ ନେଇ ପରିବାର ଲୋକେ ତୁରନ୍ତ ଦେବଗଡ ଆଦର୍ଶ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ସୁସିଟିଭି ଫୁଟେଜକୁ ଆଧାର କରି ଛାନଭିନ କରୁଥିଲା ।
ଦୁର୍ବୃତ୍ତମାନେ ପିହୁକୁ ନେଇ ସୁନ୍ଦରଗଡ ଜିଲ୍ଲା ବଡଗାଁ ଥାନା ସରବତୀ ଦେବୀ ଉଚ୍ଚବିଦ୍ୟାଳୟ ସମ୍ମୁଖ ରାସ୍ତାର ଏକ ପୋଲତଳେ ଛାଡି ପଳାଇଥିଲେ । ସ୍ଥାନୀୟ ଜଣେ ମହିଳା ଝିଅଟିକୁ ଏକୁଟିଆ କାନ୍ଦୁଥିବା ଦେଖି ପୋଲିସରେ ଖବର ଦେଇଥିଲେ । ବଡଗାଁ ପୋଲିସପହଞ୍ଚିବା ପରେ ଝିଅ ନିଜ ବାପା-ମା’ଙ୍କ ଟେଲିଫାନ ନମ୍ବର ଦେଇଥିଲା । ପୋଲିସ ତାଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରିଥିଲା ।
ଆଜି ଦେବଗଡ ପୋଲିସ ଏବଂ ପରିବାର ଲୋକେ ପିହୁକୁ ଆଣିବା ପାଇଁ ସୁନ୍ଦରଗଡ ଯାଇଛନ୍ତି । ତେବେ ଦୁର୍ବୃତ୍ତମାନେ ଝିଅକୁ କାହିଁକି ଅପହରଣ କରି ନେଇଥିଲେ ଏବଂ କାହିଁକି ଛାଡି ଚାଲିଗଲେ ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣାର ତଦନ୍ତ କରୁଛି ।
Comments are closed.