Latest Odisha News

BREAKING NEWS

କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା: ପହଞ୍ଚିଲେ ପରିବାର ଲୋକେ, ହେବ ମୃତ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ

ଭୁବନେଶ୍ଵର: କିଟ୍ କଲେଜରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ପ୍ରବଳ ଉତ୍ତେଜନା । ସେହିପରି ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ଆଜି ହେବ ମୃତ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ। ଭୁବନେଶ୍ଵର ଏମ୍ସରେ ଶବ ବ୍ୟବଚ୍ଛେଦ କରାଯିବ। ଏହାରି ଭିତରେ ଭୁବନେଶ୍ଵରରେ ପହଞ୍ଚିଛନ୍ତି ପରିବାର ଲୋକ । ପରିବାର ଲୋକଙ୍କ ଉପସ୍ଥିତିରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ସେପଟେ ଏବେ ବି କିଟ୍ କ୍ୟାମ୍ପସରେ ପୋଲିସ ମୁତୟନ ଅଛନ୍ତି । ଅନ୍ୟପଟେ ଗିରଫ ହୋଇଥିବା ପୁରୁଷ ବନ୍ଧୁ ଆଦ୍ବିକ୍ ଶ୍ରୀବାସ୍ତବକୁ ଜେଲକୁ ପଠାଯାଇଛି । ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି କୋର୍ଟ । ତେବେ ଆବଶ୍ୟକ ପଡିଲେ ତାକୁ ରିମାଣ୍ଡର ଆଣିବା ପାଇଁ କୋର୍ଟରେ ଆବେଦନ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ ।

ନେପାଳର ବି.ଟେକ୍ ଦ୍ୱିତୀୟ ବର୍ଷର ଛାତ୍ରୀ ପ୍ରକୃତି ଲାମସା(୨୦) ତାଙ୍କ ହଷ୍ଟେଲ୍ ରୁମ୍ ରେ ଆତ୍ମହତ୍ୟା କରିଥିଲେ । ତାଙ୍କର ପୁରୁଷ ବନ୍ଧୁ ପ୍ରତାରଣା କରିବା ପରେ ଏପରି ଚରମ ନିଷ୍ପତି ନେଇଥିଲେ ପ୍ରକୃତି । ହଷ୍ଟେଲ୍ କର୍ତ୍ତୃପକ୍ଷ ତୁରନ୍ତ ପୋଲିସକୁ ଏନେଇ ଖବର ଦେବା ପରେ ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବିରେ ଶତାଧିକ ନେପାଳ ଛାତ୍ରଛାତ୍ରୀ ଏକାଠି ହୋଇ ନାରାବାଜି ଆରମ୍ଭ କରିଦେଇଥିଲେ । କ୍ୟାମ୍ପସ୍ ରେ ବ୍ୟାପକ ଭଙ୍ଗାରୁଜା କରିବା ସହ ରାସ୍ତା ଅବରୋଧ କରିଥିଲେ । ଫଳରେ ବାଧ୍ୟ ହୋଇ ବିଶ୍ୱବିଦ୍ୟାଳୟ ସାଇନ୍-ଏ-ଡାଇ ଘୋଷଣା କରି ତୁରନ୍ତ କ୍ୟାମ୍ପସ୍ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ ବିଶ୍ଵବିଦ୍ୟାଳୟ କତ୍ତୃପକ୍ଷ । ସେହିପରି ନେପାଳର ପ୍ରାୟ ଛାତ୍ରଛାତ୍ରୀଙ୍କୁ ଜୋରଜବରଦସ୍ତ ଏକ ବସ୍ ରେ କଟକ ନିଆଯାଇ ରେଳଷ୍ଟେସନ୍ ରେ ଛଡ଼ାଯାଇଥିବା ଅଭିଯୋଗ ହୋଇଥିଲା ।

ଏହାପରେ ଅପରାହ୍ନରେ କର୍ତ୍ତୃପକ୍ଷ ସାଇନ୍-ଏ-ଡାଇ କୁ ପ୍ରତ୍ୟାହାର କରିନେଇଥିଲେ ଏବଂ ଛାତ୍ରଛାତ୍ରୀମାନେ କ୍ୟାମ୍ପସ୍ ଫେରି କ୍ଲାସ୍ ରେ ଯୋଗଦେବାକୁ ଅପିଲ୍ କରିଥିଲେ । ଏଥିସହ ଛାତ୍ରଛାତ୍ରୀଙ୍କ ଶିକ୍ଷାଗ୍ରହଣରେ ଯେଭଳି କୌଣସି ବ୍ୟାଘାତ ସୃଷ୍ଟି ନ ହୁଏ ସେଥିପ୍ରତି ବିଶ୍ୱବିଦ୍ୟାଳୟ ପକ୍ଷରୁ ଯତ୍ନ ନିଆଯିବ ବୋଲି କୁହାଯାଇଥିଲା । ଅନ୍ୟପଟେ କିଟ୍ ଘଟଣାକୁ ନେଇ ନେପାଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଘଟଣାରେ କ୍ଷୋଭ ପ୍ରକାଶ କରିବା ସହ ନୂଆଦିଲ୍ଲୀରେ ଥିବା ନେପାଳ ଦୂତାବାସର ଦୁଇଜଣ ଅଧିକାରୀଙ୍କୁ କିଟ୍ ଘଟଣା ଉପରେ ନଜର ରଖିବାକୁ ଦାୟିତ୍ୱ ଦେଇଛନ୍ତି । କିଟ୍ ହଷ୍ଟେଲରେ ରହିବା ହେଉ କିମ୍ବା ନେପାଳ ଫେରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ସହଯୋଗ କରାଯିବ ବୋଲି ସେ କହିଛନ୍ତି ।

ଏପଟେ ଓଡ଼ିଶା ସରକାର ମଧ୍ୟ ଏହି ଘଟଣାରେ ହସ୍ତକ୍ଷେପ କରିଛନ୍ତି । ନେପାଳୀ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକୀୟ ସହଯୋଗ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଶିକ୍ଷାମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ।

Comments are closed.