ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର କିସ୍ତୱାର ଜିଲ୍ଲାରେ ବାଦଲଫଟା ବର୍ଷା କାରଣରୁ ଏଠାରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୪୬ ପାର ହୋଇଛି । ଏହି ଅଘଟଣରେ ଶତାଧିକ ଆହାତ ହୋଇଛନ୍ତି ଏବଂ ଅନେକ ନିଖୋଜ ରହିଛନ୍ତି । ତେବେ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।
ତେବେ କିସ୍ତୱାର ଜିଲ୍ଲାର ମାଚୈଲ ମାତା ମନ୍ଦିରକୁ ଯିବା ପାଇଁ ଶ୍ରଦ୍ଧାଳୁମାନେ ଚସୋତି ଗ୍ରାମରେ ଏକଜୁଟ୍ ହୋଇଥିଲେ । ଏହି ସମୟରେ ବାଦଲ ଫଟା ବର୍ଷା ହୋଇଥିଲା । ହଠାତ୍ ଭୟଙ୍କର ବନ୍ୟା ଆସିଯିବାରୁ ଏହି ବିପର୍ଯ୍ୟୟରେ ୨ ଜଣ ସିଆଇଏସ୍ଏଫ୍ ଯବାନଙ୍କ ସମେତ ୪୬ ଜଣଙ୍କର ମୃତ୍ୟୁ ହୋଇଛି । ବ୍ୟାପକ ଧନଜୀବନ ହାନି ହୋଇଛି ।
ଏହି ଘଟଣାକୁ ନେଇ କିସ୍ତୱାରର ଡେପୁଟି କମିଶନର ପଙ୍କଜ ଶର୍ମା କହିଛନ୍ତି, ”କିସ୍ତୱାରର ଚାଶୋଟି ଅଞ୍ଚଳରେ ବାଦଲ ଫଟା ବର୍ଷା ଯୋଗୁଁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁଥିରେ ୪୬ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ଅଛନ୍ତି । ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବାରୁ ଅନେକ ଜୀବନ ରକ୍ଷା ପାଇଯାଇଛି । ବର୍ତ୍ତମାନ ସୁଦ୍ଧା ୯୮ ଜଣଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରୁ ୨୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା ରହିଛି” ।
ଏତେ ମାତ୍ରାରେ କ୍ଷତି ହୋଇଛିଯେ, ଏହାର ଉଦ୍ଧାର, ରିଲିଫ୍ ଏବଂ ସ୍ଥିତି ସୁଧୁରିବା ପାଇଁ ପ୍ରାୟ ୨୦ ଦିନ ଲାଗିଯିବ ବୋଲି ଅଧିକାରୀମାନେ ଆକଳନ କରିଛନ୍ତି । ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ୍, ପୋଲିସ, ସେନା, ଏସଡିଆରଏଫ୍ ମୁତୟନ ହୋଇଛନ୍ତି । ବାଦଲଫଟା ବର୍ଷା ଫଳରେ ଅଚାନକ ବନ୍ୟା ଆସିଯିବାରୁ ବାର୍ଷିକ ଯାତ୍ରା ବନ୍ଦ ରହିଛି ।
Comments are closed.