Latest Odisha News

ସୁପର୍‌ଷ୍ଟାର ସୈଫ୍ ଅଲ୍ଲି ଖାନ୍‌ଙ୍କୁ ଛୁରାମାଡ଼, ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ବଡ ଖବର । ବଲିଉଡ ସୁପର୍‌ଷ୍ଟାର ସୈଫ୍ ଅଲ୍ଲି ଖାନ୍‌ଙ୍କୁ ଛୁରାମାଡ଼ । ମୁମ୍ବାଇ ବାନ୍ଦ୍ରା ସ୍ଥିତ ତାଙ୍କ ଘରେ ସୈଫ୍ ଅଲ୍ଲି ଖାନ୍‌ଙ୍କୁ ଆକ୍ରମଣ ହୋଇଥିବା ନେଇ ସୂଚନା ମିଳିଛି । କେହି ଜଣେ ଦୁର୍ବୃତ୍ତ ତାଙ୍କ ଘରେ ପଶି ସୈଫଙ୍କୁ ୨/୩ ଥର ଛୁରିରେ ଆକ୍ରମଣ କରିଛନ୍ତି । ତେବେ ଆକ୍ରମଣ ପରେ ଦୁର୍ବୃତ୍ତ ଜଣଙ୍କ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ସେପଟେ ସୈଫ୍ ଅଲ୍ଲିଙ୍କୁ ଗୁରୁତର ଅବସ୍ଥାରେ ଲୀଳାବତୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣର କାରଣ ଜଣା ପଡିନଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ବାନ୍ଦ୍ରା ପୋଲିସ ।

ପୋଲିସ ସୂତ୍ର ଅନୁଯାୟୀ, ବ୍ୟକ୍ତି ଜଣକ ରାତି ୨ଟାରେ ବାନ୍ଦ୍ରା ୱେଷ୍ଟରେ ଥିବା ସୈଫ ଅଲି ଖାନଙ୍କ ଘରକୁ ଚୋରୀ କରିବା ଉଦ୍ଦେଶ୍ୟରେ ପ୍ରବେଶ କରିଥିଲେ । ତେବେ ଏନେଇ ଜଣାପଡିବା ପରେ ଚୋରଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ ସୈଫ୍ । ଠିକ୍ ସେହି ସମୟରେ ସୈଫଙ୍କୁ ଛୁରୀରେ ଆକ୍ରମଣ କରିଥିଲେ ଉକ୍ତ ଦୁର୍ବୃତ୍ତ ଜଣଙ୍କ । ଆକ୍ରମଣ ପରେ ଅଭିଯୁକ୍ତ ଜଣଙ୍କ ସେଠାରୁ ଫେରାର ହୋଇଯାଇଥିଲେ । ଏହାପରେ ତୁରନ୍ତ ସୈଫଙ୍କୁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।

ତେବେ ସୈଫଙ୍କ ବେକରେ ୧୦ ସେମିର କ୍ଷତ ହୋଇଛି । ସୈଫଙ୍କ ହାତ ଏବଂ ପିଠିରେ ମଧ୍ୟ ଆଘାତ ଲାଗିଛି । ତାଙ୍କ ପିଠିରେ କିଛି ତୀକ୍ଷ୍ଣ ବସ୍ତୁ ପଶିଯାଇଥିଲା । କିନ୍ତୁ ତୁରନ୍ତ ଅସ୍ତ୍ରୋପଚାର ମାଧ୍ୟମରେ ତାହାକୁ ବାହାର କରାଯାଇଛି । ତେବେ ଅଭିନେତା ସେଫ୍ ଅଲ୍ଲୀ ଖାନ୍ ଏବେ ବିପଦମୁକ୍ତ ଥିବା ଡାକ୍ତର ସୂଚନା ଦେଇଛନ୍ତି । ସେପଟେ ଘଟଣାକୁ ଗୁରୁତର ସହ ନେଇ ବାନ୍ଦ୍ରା ସ୍ଥିତ ଘରେ ପହଞ୍ଚି ପୋଲିସ ତନାଘନା ଆରମ୍ଭ କରିଛି ।

ତେବେ ଘଟଣା ଘଟିବା ସମୟରେ ଅଭିନେତ୍ରୀ ତଥା ସୈଫଙ୍କ ପତ୍ନୀ କରୀନା ଏବଂ ପରିବାରର ଅନ୍ୟ ସଦସ୍ୟ ଘରେ ଥିଲେ କି ନାହିଁ ସେନେଇ ଏଯାବତ୍ ଜଣାପଡିନଥିବା ବେଳେ ସମସ୍ତେ ସୁରକ୍ଷିତ ଥିବା ନେଇ ସ୍ପଷ୍ଟ କରାଯାଇଛି । ମୁମ୍ଵାଇ ପୋଲିସ ଘଟଣାର ଯାଞ୍ଚ କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ଟିମ୍‌ ଗଠନ କରିଛି । ତେବେ ପରିବାର ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ଆସିନାହିଁ ।

 

 

Leave A Reply

Your email address will not be published.