Latest Odisha News

BREAKING NEWS

ଚିତ୍ତରଞ୍ଜନଙ୍କ ନିଆରା କଳାକୃତି; ସଢେଇରୁ ତିଆରି କରୁଛନ୍ତି ଆକର୍ଷଣୀୟ ସାମଗ୍ରୀ

ଭୁବନେଶ୍ୱର: ସଢେଇରୁ ତିଆରି ହେଉଛି ସୌଖିନ ସାମଗ୍ରୀ ଓ ସୁନ୍ଦର ସୁନ୍ଦର ଘର ଉପକରଣ ଦ୍ରବ୍ୟ। ଏହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏଭଳି କଳାକୃତି ତିଆରି କରୁଛନ୍ତି କଟକ ଜିଲ୍ଲା କନ୍ଦରପୁର ଅଞ୍ଚଳର ଚିତ୍ତରଞ୍ଜନ ଭୋଇ।

ସାଧାରଣତଃ ନଡ଼ିଆ ଖାଇଲା ପରେ ସମସ୍ତେ ନଡ଼ିଆର ଖୋଲ ଅର୍ଥାତ ସଢେଇକୁ ବାହାରେ ଫୋପାଡ଼ି ଦେଇଥାଆନ୍ତି। ହେଲେ ଏହି ଅଦରକାରୀ ସଢେଇକୁ ସଂଗ୍ରହ କରି ଚିତ୍ତରଞ୍ଜନ ତାହାକୁ ସୁନ୍ଦର ରୂପ ଦେଇଥାଆନ୍ତି। ଯାହାକୁ ଆଖିରେ ନ ଦେଖିଲେ ବିଶ୍ୱାସ ହେବ ନାହିଁ।

ଚିତ୍ତରଞ୍ଜନ ସଢେଇ ଗୁଡିକୁ ଆଣି ନିଜର କାରଖାନାରେ ତାହାକୁ ବିଭିନ୍ନ ଆକାରରେ କାଟିଥାନ୍ତି। ପରେ ବାଲି କାଗଜରେ ଘଷି ଚିକ୍କଣ କରି ସେଥିରେ ରଙ୍ଗ ମାରି ତାହାକୁ ବଜାରରେ ବିକ୍ରି କରିବା ପାଇଁ ପ୍ରସ୍ତୁତ କରିଥାନ୍ତି।

ଚିତ୍ତରଞ୍ଜନ ଏହି ଅଦରକାରୀ ସଢେଇ ଗୁଡିକରୁ ଫୁଲ ଦାନୀ, କପ, ଲ୍ୟାମ୍ପ ଓ ଅନ୍ୟାନ୍ୟ ଘର ସଜେଇବା ପାଇଁ ସାମଗ୍ରୀ ନିର୍ମାଣ କରିଚାଲିଛନ୍ତି। ଏଥିସହିତ ଅଦରକାରୀ ବୋତଲ ଓ ଅନ୍ୟ ଅଦରକାରୀ ଜିନିଷକୁ ମଧ୍ୟ ବ୍ୟବହାର କରି ସୁନ୍ଦର ଆକୃତି ଦେଇ ପାରୁଛନ୍ତି।

ସବୁଠାରୁ ବଡ଼ କଥା ହେଲା ଗତ ଇଣ୍ଡିଆ, ୱେଷ୍ଟ ଇଣ୍ଡିଜ ମ୍ୟାଚ ସମୟରେ ତାଙ୍କ ଦ୍ଵାରା ସଢେଇ ନିର୍ମିତ କପରେ କ୍ରିକେଟ ଖେଳାଳି ମାନେ ଚା ମଧ୍ୟ ପିଇଥିଲେ ବୋଲି କୁହନ୍ତି ଚିତ୍ତରଞ୍ଜନ।

ଧର୍ମପତ୍ନୀ ସାବିତ୍ରୀ ଓ ଦୁଇ ପୁଅଙ୍କୁ ନେଇ ଛୋଟିଆ ପରିବାର ତାଙ୍କର। ପିଲାଟି ବେଳୁ ଚିତ୍ର କଳା ପ୍ରତି ରୁଚି ରଖିଆସୁଥିବା ବେଳେ ସେ ଏହାକୁ କ୍ରମଶଃ ନିଜର ପେଷା ଭାବରେ ଗ୍ରହଣ କରିନେଇଥିଲେ। ଚିତ୍ର ଆଙ୍କିବା ସହ ବିଭାଘର ମାନଙ୍କରେ ସୋଲରେ ତିଆରି ସାଜସଜ୍ଜା ଇତ୍ୟାଦି କରିଚାଲନ୍ତି ସେ। ଏହାପରେ ଆରମ୍ଭ ହୋଇଥିଲା ତାଙ୍କର ନୂତନ ଚିତ୍ରକଳା ଆବିଷ୍କାର କରିବାର ସଉକ।

ଚିତ୍ତରଞ୍ଜନଙ୍କ ଧର୍ମପତ୍ନୀ ସାବିତ୍ରୀଙ୍କ କହିବାନୁଯାୟୀ ସେ ତାଙ୍କର ସ୍ୱାମୀଙ୍କର ଏହି କାର୍ଯ୍ୟ ପାଇଁ ବେଶ ଗର୍ବିତ ଅଛନ୍ତି। ଆଉ ସେ ମଧ୍ୟ ଅନେକ ସମୟରେ ତାଙ୍କୁ ସହଯୋଗ କରିଆସନ୍ତି। ଅନ୍ୟପଟେ ଚିତ୍ରକଳା ପାଇଁ ସ୍ଥାନୀୟ ଅଞ୍ଚଳରେ ବେଶ ସୁନାମ ଅର୍ଜନ କରିଛନ୍ତି।

ଚିତ୍ତରଞ୍ଜନଙ୍କ ସମ୍ପର୍କରେ ସ୍ଥାନୀୟ ବାସିନ୍ଦା କୁହନ୍ତି ଯେ ଯଦି ତାଙ୍କୁ ଆଉ କିଛି ସରକାରୀ ପ୍ରୋତ୍ସାହନ ମିଳନ୍ତା ତେବେ ସେ ଆଗକୁ ଅନେକ ସଫଳତା ହାସଲ କରିପାରିବେ।

Leave A Reply

Your email address will not be published.