ପୁରୀ: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରତ୍ୟେକ ବେଶ ଭକ୍ତମାନଙ୍କୁ ଭାବ ବିହ୍ୱଳ କରିଥାଏ । ମାଘ ଅମାବସ୍ୟା ପରେ ବସନ୍ତ ପଂଚମୀ ପୂର୍ବରୁ ପଡୁଥିବା ବୁଧବାର ବା ଶନିବାର ଦିନ ଏହି ବେଶ କରାଯାଇଥାଏ । ବର୍ଷକର କେବଳ ଏହି ଗୋଟିଏ ଦିନ ମହାପ୍ରଭୁ ପଦ୍ମବେଶରେ ପହୁଡ ହୁଅନ୍ତି ।
ଏହି ଦିନ ଠାକୁର ବଡସିଂହାର ବେଶ ହୁଅନ୍ତି ନାହିଁ । କେତେକ ଗବେଷକଙ୍କ ମତରେ ଏହି ବେଶର ପ୍ରବର୍ତକ ହେଉଛନ୍ତି ବଡଛତା ମଠର ରଘୁବର ଦାସ ।
କିମ୍ବଦନ୍ତୀ ଅନୁସାରେ ଉତ୍କଳଠାରୁ ବହୁତ ଦୂରରେ ଜଣେ ହିନ୍ଦୀ ଭାଷୀ ସାଧୁ ଥିଲେ । ତାଙ୍କର ନାମ ଥିଲା ମନୋହର ଦାସ । ଏକଦା ଏହି ମହାତ୍ମା ଜଣଙ୍କ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରକୁ ଆଗମନ କରିଥିଲେ । ଦୀର୍ଘ ଦିନ ପାଦରେ ଚାଲି ଚାଲି ଅନେକ ଜଙ୍ଗଲ, ପାହାଡ, ନଈ, ରାସ୍ତା ଅତିକ୍ରମ କରି ଶାରୀରିକ ପୀଡା ସତ୍ୱେ ଅବିଚଳିତ ଭାବେ ଆଗେଇ ଚାଲିଥାନ୍ତି । ଏହି କଷ୍ଟସାଧ୍ୟ ଯାତ୍ରା ବେଳେ ତାଙ୍କୁ ପ୍ରବଳ ଶୋଷ ହେଲା । ସେହି ସମୟରେ ରଘୁବରଙ୍କୁ ଗୋଟିଏ ପୁଷ୍କରିଣୀ ଦୃଶ୍ୟମାନ ହେଲା । ସେଥିରେ ଅନେକ ପଦ୍ମ ଫୁଲ ଫୁଟିଥିଲା । ସେ ସମୟରେ ପଦ୍ମ ଫୁଲ ଫୁଟିବା ସମୟ ନ ଥିଲା ରଘୁବର ଚିନ୍ତିତ ହୋଇ ପଡିଲେ ।
ସେ ମନେ ମନେ ଜଗନ୍ନାଥଙ୍କୁ ସ୍ମରଣ କରି ପାଣି ପିଇ ପ୍ରଭୁଙ୍କ ନିମନ୍ତେ ପୁଷ୍କରିଣୀରେ ଫୁଟିଥିବା ପଦ୍ମ ତୋଳି ନିକଟରେ ଥିବା ଏକ ମଇଳା ଗାମୁଛାରେ ବାନ୍ଧି ସାଇତି ରଖିଥିଲେ । ମାଘ ମାସ ଅମାବସ୍ୟା ଦିନ ସେ ଶ୍ରୀମନ୍ଦିରରେ ପହଂଚି ପଦ୍ମଫୁଲଗୁଡିକୁ ଶ୍ରୀଜୀଉମାନଙ୍କ ଚରଣାବିନ୍ଦରେ ଲାଗି କରିବା ପାଇଁ ଅନୁରୋଧ କଲେ । ମଇଳା ଗାମୁଛାରେ ଥିବା ଶୁଷ୍କ ଫୁଲକୁ ଦେଖି ପଣ୍ଡା ଏହା ଠାକୁରଙ୍କୁ ଲାଗି ହେଇପାରିବ ନାହିଁ କହି ଅପମାନିତ କରିଥିଲେ । ଭକ୍ତ ମନୋହର ଦୁଃଖ ଓ ଅପମାନରେ ମ୍ରିୟମାଣ ହୋଇ ତଳେ ପଡିଥିବା ଫୁଲ ସବୁ ଗୋଟାଇ ଶ୍ରୀମନ୍ଦିରରୁ ପଳାଇ ଆସି ବଡଛତା ମଠ ନିକଟରେ ଜଗନ୍ନାଥଙ୍କୁ ସ୍ମରଣ କରି ମୂର୍ଚ୍ଛିତ ହୋଇପଡିଲେ ।
ସେହିଦିନ ଜଗନ୍ନାଥ ମହାପ୍ରଭୁ ସ୍ୱପ୍ନାଦେଶରେ ଗଜପତି ମହାରାଜଙ୍କୁ କହିଲେ ମନୋହର ଆଣିଥିବା ପଦ୍ମ ପୃଷ୍ଠରେ ହିଁ ଆଜି ମୋର ବଡସିଂହାର ବେଶ ହେବ । ପଦ୍ମ ଚାଉଳରେ ଖିରି ଭୋଗକରି ସେହି ସାଧୁଙ୍କୁ ସେବନ କରାଇ ତାଙ୍କର ଜୀବନ ରକ୍ଷା କର । ଏହା ପରଠାରୁ ମାଘମାସରେ ଏହି ବେଶରେ ଜଗନ୍ନାଥ ମହାପ୍ରଭୁ ସୋଲରେ ନିର୍ମିତ ପଦ୍ମ ପୁଷ୍ପ ପରିହିତ ହୋଇଥାନ୍ତି ।
ଏହି ବେଶର ସମସ୍ତ ଖର୍ଚ୍ଚ ବଡଛତା ମଠ ବହନ କରନ୍ତି । ସୋଲର ପଦ୍ମରେ ତିନି ପାଖୁଡା ଥାଏ । ହସ୍ତରେ କଦମ୍ବ ଫୁଲର କର ପଲ୍ଲବ ଶୋଭା ପାଇଥାଏ । ବେଶରେ ବଡଛତା ମଠ ପକ୍ଷରୁ ଯୋଗାଇ ଦିଆଯାଉଥିବା ଭୋଗ ଦ୍ରବ୍ୟକୁ ଶ୍ରୀମନ୍ଦିର କୋଠ ଭୋଗ ଚୁଲିରେ ପ୍ରସ୍ତୁତ କରାଯାଇ ଠାକୁରମାନଙ୍କୁ କ୍ଷୀରି ଅମାଲୁ ଭୋଗ କରାଯାଇଥାଏ । ବେଶ ପରଦିନ ମଙ୍ଗଳ ଆଳତୀ ପର୍ଯ୍ୟନ୍ତ ଏହି ବେଶରେ ଠାକୁର ଦର୍ଶନ କରନ୍ତି ।
Comments are closed.