ଭୁବନେଶ୍ୱର: ମହାନ ଭାରତୀୟ ସଂସ୍କୃତିରେ ଯୋଗକୁ ଏକ ଉଚ୍ଚସ୍ତରୀୟ ସ୍ଥାନ ଦିଆଯାଇଛି । ପଞ୍ଚତତ୍ୱ ମଧ୍ୟରେ ଗୋଟିଏ ପ୍ରମୁଖ ତତ୍ୱ ବାୟୁ ଆମ ଶରୀରକୁ ଜୀବିତ କରି ରଖିଥାଏ । ଏହା ବାତ ରୂପରେ ଶରୀରରେ ବିଦ୍ୟମାନ ତିନି ଦୋଷ ମଧ୍ୟରୁ ଗୋଟିଏ ଅଟେ । ଯାହା ଶ୍ୱାସ ରୂପରେ ଆମର ପ୍ରାଣ ଅଟେ । ପିତ୍ତ, କଫ, ଦେହର ଅନ୍ୟ ଧାତୁ ତଥା ମଳ-ଏସବୁ ପଙ୍ଗୁ ଅଟନ୍ତି ଅର୍ଥାତ୍ ଏସବୁ ଶରୀରର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଗତି କରିପାରିବେ ନାହିଁ । ବାୟୁହିଁ ଏଗୁଡ଼ିକୁ ବିଭିନ୍ନ ସ୍ଥାନକୁ ନେଇଯାଏ । ଯେଉଁଭଳି ଅକାଶରେ ବାୟୁ ମେଘକୁ ବିଭିନ୍ନ ସ୍ଥାନକୁ ନେଇଯାଇଥାଏ । ତେଣୁ ଏହି ତିନି ଦୋଷ – ବାତ, ପିତ୍ତ ଓ କଫ ମଧ୍ୟରେ ବାତ (ବାୟୁ) ହିଁ ବଳବାନ ଅଟେ । କାରଣ ଏହା ସମସ୍ତ ଧାତୁ, ମଳ ଆଦିର ବିଭାଜନ କାରକ ଏବଂ ରଜୋଗୁଣ ଯୁକ୍ତ ସୁକ୍ଷ୍ମ ଅର୍ଥାତ୍ ସମସ୍ତ ଶରୀରର ସୂକ୍ଷ୍ମ ଛିଦ୍ରରେ ପ୍ରବେଶ କରୁଥିବା ଶୀତଳ, ରୁକ୍ଷ, ହାଲୁକା ଏବଂ ଚଞ୍ଜଳ ଅଟେ ।
ତେଣୁ ଏହି ବାୟୁକୁ ନିୟନ୍ତ୍ରଣ କରିବାକୁ ପ୍ରାଣାୟମର ସାହାଯ୍ୟ ନିଆଯାଇଥାଏ । ଦୈନିକ ବିଭିନ୍ନ ପ୍ରକାରର ପ୍ରାଣାୟାମ କରିବା ଦ୍ୱାରା ଶରୀରସ୍ଥ ବାୟୁ ବା ବାତ, ପିତ୍ତ ଓ କଫ ସୁନିୟନ୍ତ୍ରୀତ ଅବସ୍ଥାରେ ରହିଥାଏ ।
ଉପନିଷଦରେ ପ୍ରାଣକୁ ବ୍ରହ୍ମ କୁହାଯାଇଛି । ପ୍ରାଣ ଶରୀରରେ କୋଣ-ଅନୁକୋଣରେ ବ୍ୟାପ୍ତ ଅଟେ । ଶରୀରର କର୍ମେନ୍ଦ୍ରୀୟ ଗୁଡ଼ିକ ତ ଶୋଇ ଯାଆନ୍ତି ବା ବିଶ୍ରାମ ନିଅନ୍ତି, କିନ୍ତୁ ରାତି ଦିନ ପ୍ରାଣଶକ୍ତି ତା’ର କାର୍ଯ୍ୟ କରୁଥାଏ ।
ଯେଉଁପର୍ଯ୍ୟନ୍ତ ପ୍ରାଣଶକ୍ତି ଚାଲିଥାଏ ସେପର୍ଯ୍ୟନ୍ତ ପ୍ରାଣୀଙ୍କ ଜୀବନ ରହିଥାଏ । ପ୍ରାଣଶକ୍ତିି କାର୍ଯ୍ୟ ବନ୍ଦ କରିବା ମାତ୍ରେ ସେ ମୃତ ହୋଇଥାଏ ବୋଲି ସମସ୍ତେ କହନ୍ତି, ତେଣୁ ଶରୀରରେ ପ୍ରାଣଶକ୍ତି ହିଁ ସବୁକିଛି ଅଟେ ।
Comments are closed.