Latest Odisha News

ଆର.ଏନ.ଆର୍ – ୧୫୦୪୮ କିସମ ଧାନ ଚାଷ

ମାଟି ଆଉ ମଣିଷର ସର୍ମ୍ପକ ସତରେ ବେଶ ନିଆରା । ସେଇ ମାଟି ଉପରେ ଶ୍ୟାମଳ ଜମିରୁ ସୁବର୍ଣ୍ଣ ଫଳେଇପାରେ ଚାଷୀ । ସେଇଥିପାଇଁ ତ ସେ ଜାତିର ଅନ୍ନଦାତା । ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ଭାବେ ଜଣାଶୁଣା । ଧାନ ହିଁ ଆମର ମୁଖ୍ୟ ଫସଲ ଅଟେ । ଓଡ଼ିଶାରେ ସାଧାରଣତଃ ଖରିଫ ରତୁରେ ଧାନ ଚାଷ କରାଯାଉଥିଲେ ହେଁ କେତେକ ସ୍ଥାନରେ ରବି ରତୁରେ ମଧ୍ୟ ଧାନ ଚାଷ କରାଯାଇଥାଏ । ଓଡ଼ିଶାରେ ଚାଷୀଭାଇମାନେ ଦେଶୀ କିସମର ଧାନ ଯଥା – ସ୍ୱର୍ଣ୍ଣ , ପୂଜା ପ୍ରଭୃତି ବ୍ୟବହାର କରୁଥିବା ବେଳେ ଏବେ ଆର.ଏନ୍‌.ଆର -୧୫୦୪୮ କିସମର ଧାନ ସାରା ଓଡ଼ିଶାରେ ବେଶ ଲୋକପ୍ରିୟ ହୋଇପାରିଛି । ଆର.ଏନ୍‌.ଆର ୧୫୦୪୮ ଧାନ କିସମକୁ ନେଇ ଏଥରର ସ୍ୱତନ୍ତ୍ର ପ୍ରତିବେଦନ…

ଆର.ଏନ୍‌.ଆର ୧୫୦୪୮ ଧାନ ୧୨୦ ରୁ ୧୨୫ ଦିନ ମଧ୍ୟରେ ଅମଳ ହୋଇପାରୁଥିବା ଧାନର ଏକ କିସମ ଅଟେ । ମୁଖ୍ୟତଃ ଏହା ଜୁଲାଇ ମାସରେ ଚାଷ କରାଯାଇଥାଏ । ଜୀବାଣୁ ଜନିତ ପତ୍ରପୋଡ଼ା ରୋଗର ଏହା ସହନଶୀଳ କିସମ ଅଟେ ।

ଅଧିକ ପଢନ୍ତୁ: ଜୀବନ, ଜୀବିକା ଓ ମହାମାରୀ…

ସାଧାରଣତଃ ଏହାକୁ ଖରିଫ ଓ ରବି ଉଭୟ ଚାଷ ରତୁରେ ଚାଷ କରାଯାଇଥାଏ । ଓଡ଼ିଶାର ଗଜପତି ଜିଲ୍ଲାର ପାରାଳଖେମୁଣ୍ଡି ସହରର ବିଭିନ୍ନ ଗ୍ରାମରେ ଚାଷୀମାନଙ୍କ ପାଖେ ଏହା ବିଶେଷ ଭାବରେ ଆଦୃତ ହୋଇପାରିଛି । ଅମଳ ଅଧିକ ହେବା ସହ କମ ମାତ୍ରାରେ ରୋଗପୋକ ଲାଗିବା ଏହାକୁ ଚାଷୀ ମାନଙ୍କ ପାଖରେ ଲୋକପ୍ରିୟ କରେଇପାରିଛି । ବିଶେଷ ଭାବରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ରାଜ୍ୟରେ ବହୁଳ ଭାବେ ଚାଷ କରାଯାଉଛି । ଏମିତିକୁ ଏହାକୁ ତେଲେଙ୍ଗାନା ସୁନା ବୋଲି ମଧ୍ୟ ଅଭିହିତ କରାଯାଏ ।

ବିହନ ବିଶୋଧନ- ଦେଖିବାକୁ ଗଲେ ଏହି ଧାନ ଚାଷ ପାଇଁ ଏକରକୁ ୨୦କିଗ୍ରା ବିହନ ଆବଶ୍ୟକ ହୋଇଥାଏ । ତେବେ ବିହନ ବୁଣିବା ପୂର୍ବରୁ ପ୍ରଥମେ ବିହନ ବିଶୋଧନ କରାଯିବା ନିତ୍ୟାନ୍ତ ଆବଶ୍ୟକ । ତେବେ ବିହନ ବିଶୋଧନ କରିବା ନିମନ୍ତେ ଏକ କିଗ୍ରା ବିହନକୁ କାର୍ବେଣ୍ଡାଜିମ ଦ୍ରବଣ (ଏକ ଲିଟରରେ ୨ଗ୍ରାମ ଲେଖାଏଁ) ରେ ବୁଡ଼ାଇ ବିଶୋଧନ କରାଯାଏ । ଏହା ପରେ ଏହାକୁ ପାଣିରେ ୧୦ଘଣ୍ଟା ବୁଡ଼େଇ ରଖାଯାଏ । ପରେ ପାଣି ନିଗିଡ଼ିଲା ପରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଏ । ଏହା ଯୋଗୁଁ ଚାରାକୁ ୪୦ଦିନ ପର୍ଯ୍ୟନ୍ତ ସୁରକ୍ଷିତ ରଖାଯାଇପାରେ । କାରଣ ତଳି ସମୟରେ ହେଉଥିବା ମୂଳସଢ଼ା ରୋଗ , ମହିସା ପ୍ରଭୃତି ଏହା ଦ୍ୱାରା ବ୍ୟାପି ନଥାଏ ।

ତଳିଘେରା ପ୍ରସ୍ତୁତି – ଏମିତି ଏକ କ୍ଷେତ ଚୟନ କରିବା ଆବଶ୍ୟକ ଯେଉଁଠି ମାଟିର ଜଳଧାରଣ କ୍ଷମତା ଠିକ ଭାବେ ଥିବା ସହ ଡ଼୍ରେନେଜ ସୁବିଧା ଭଲ ଭାବରେ ହୋଇପାରୁଥିବ । ବିହନ ବୁଣିବାର ୧୫ ଦିନପୂର୍ବରୁ ତଳି ଘେରା ପ୍ରସ୍ତୁତ କରାଯାଏ । ଏଥିପାଇଁ ଭଲଭାବରେ ମାଟିକୁ ମଇ ଦେଇ ସମତୁଲ କରାଯାଏ । ଏହା ପରେ ଜମିରେ ୨୦୦କିଗ୍ରା (ଏକରକୁ) କମ୍ପୋଷ୍ଟ ଖତ ପକେଇ ଭଲ ଭାବେ ମିଶେଇ ଦିଆଯାଏ ।

ଅଧିକ ପଢନ୍ତୁ: ସଂଗରୋଧର ସଂସାରରେ ସଂସ୍ଥା ଓ ଶ୍ରମସଂସ୍କୃତି

ଯାହା ଯୋଗୁଁ ମାଟିର ଉର୍ବରତା ବୃଦ୍ଧି ପାଇଥାଏ । ବିହନ ବୁଣିବା ପୂର୍ବରୁ ଏହାକୁ ଭଲ ଭାବରେ ବିଶୋଧନ କରିବା ଆବଶ୍ୟକ । ଏହା ପରେ ଖତ ସାର ଭାବରେ ୟୁରିଆ , ପଟାସ ଓ ଫସଫରସ ଦିଆଯାଏ । ଖତ ସାର ଦିଆଯିବା ପରେ ବିହନକୁ ବୁଣିଦିଆଯାଏ ଏବଂ ତଳି ଉପରେ ପାଣି ଛିଂଚି ଦିଆଯାଏ । ବାକିତକ ପାଣିକୁ ଡ଼୍ରେନେଜ ଦ୍ୱାରା ବାହାରକୁ ନିଷ୍କାସିତ କରିଦିଆଯାଏ ।

ତଳିର ଉପଯୁକ୍ତ ଯତ୍ନ-

ବିହନ ବୁଣିବାର ପ୍ରଥମ କିଛି ଦିନ ପର୍ଯ୍ୟନ୍ତ ତଳିପଟିକୁ କେବଳ ଓଦା ରଖନ୍ତୁ । ଧାନ ଗଜା ବଢ଼ିଗଲେ ୨-୩ ଇଂଚ ପର୍ଯ୍ୟନ୍ତ ଠିଆପାଣି ବାନ୍ଧି ରଖନ୍ତୁ । ଗଜାହେବାର ୧୫ଦିନ ପରେ ୧୦ ଡ଼ିସିମିଲ ତଳିପଟି ପାଇଁ ୪ କିଗ୍ରା ୟୁରିଆ ସାର ପକାନ୍ତୁ । ଏହା ଦ୍ୱରା ତଳି ହୃଷ୍ଟପୃଷ୍ଟ ହୋଇ ବଢ଼ିବ । ତଳିକୁ ପୋକ ଦାଉରୁ ରକ୍ଷା କରିବା ପାଇଁ ତଳି ଉପାଡ଼ିବାର ଏକ ସପ୍ତାହ ପୂର୍ବରୁ ୧୦ ଡ଼ିସିମିଲ ତଳିପଟିରେ ୧୨୦୦ ଗାମେ କାର୍ବୋଫ୍ୟୁରାନ ପଟିରେ ପ୍ରୟୋଗ କରନ୍ତୁ । ତଳି ଉପାଡ଼ିବାର ଦିନକ ପୂର୍ବରୁ ତଳିପଟିରେ ପାଣି ମଡ଼ାନ୍ତୁ ।

ମୁଖ୍ୟ ଜମି ପ୍ରସ୍ତୁତି- ଚାରା ଲଗାଇବା ପୂର୍ବରୁ ଜମିକୁ ଭଲ ଭାବେ ଚାଷ କରିବା ଦରକାର । ମାଟିକୁ ଗୁଣ୍ଡ କରି ଚାଷ କରାଯିବା ଆବଶ୍ୟକ । ୧୫ ସେମି ଗଭୀର ଯାଏଁ ଟ୍ରାକ୍ଟର ଦ୍ୱାରା ଚାଷ କରାଗଲେ ମୁଖ୍ୟ ଜମି ପାଇଁ ବେଶ ଭଲ । ଭଲ ଭାବରେ ଚାଷ କରାଗଲେ ଏହା ବାଳୁଙ୍ଗା ପ୍ରତିରୋଧ କରିବାରେ ସାହାଯ୍ୟ କରିବ ।

ଅଧିକ ପଢନ୍ତୁ: ଦାଦନ ଦୁଃଖ

ବ୍ୟବଧାନ- ଚାରା ରୋପଣ କରିବା ସମୟରେ ଗଛକୁ ଗଛ ଓ ଧାଡ଼ିକୁ ଧାଡ଼ି ବ୍ୟବଧାନ ଉପରେ ନଜର ଦେବା ଆବଶ୍ୟକ । କମ ଦିନରେ ଅମଳ ହେଉଥିବା ଯୋଗୁଁ ଏହାର ବ୍ୟବଧାନ ୧୫ଞ୍ଚ୧୫ସେମି ହେବା ଦରକାର । ଏହା ସହ ଚାରାକୁ ୨-୩ ସେମି ଗଭୀରତାରେ ପୋତିବା ଆବଶ୍ୟକ ।
ରୋଗପୋକ ଦମନ- ଆର.ଏନ.ଆର ଧାନ ଚାଷ କରିବା ସମୟରେ ଚାଷୀ ଭାଇଙ୍କ ପ୍ରମୁଖ ସମସ୍ୟା ଭାବରେ ଉଭା ହୋଇଥାଏ ରୋଗ ପୋକ । ଏହି ରୋଗ ପୋକର ସଠିକ ଭାବେ ପରିଚାଳନା ହୋଇପାରିଲେ ଏହାର ଅମଳରେ ବିଶେଷ କିଛି ଅସୁବିଧା ହୋଇନଥାଏ । ଆସନ୍ତୁ ଜାଣିବା ଏହାର ରୋଗ ପୋକର ସମନ୍ୱିତ ପରିଚାଳନା ବିଷୟରେ …

ମହିସା ରୋଗ:

ଧାନର ପ୍ରମୁଖ ରୋଗ ମାନଙ୍କ ମଧ୍ୟରେ ମହିସା ରୋଗ ସବୁଠୁ ଅଧିକ ନଷ୍ଟ କରିଥାଏ । ଏହା ମୁଖ୍ୟତଃ କବକ ଦ୍ୱାରା ହୋଇଥାଏ । ଏହା ଧାନର ସର୍ବାଧିକ କ୍ଷତି କରାଇଥାଏ । ମୁଖ୍ୟତଃ ପାଇରୀକୁଲାରିଆ କବକ ଦ୍ୱାରା ହୋଇଥାଏ ।

ଲକ୍ଷଣ:

ଧାନ ଗଛରେ ଏଇ ରୋଗ ହେଉଥିଲେ ପ୍ରଥମେ ଧାନର ପତ୍ର ଉପରେ ଆଖି ପରି ପାଣିପଶା ଦାଗ ଦେଖାଯାଏ । ପରେ ଏହା ବାଦାମୀ ରଙ୍ଗ ହୋଇଯାଏ । ମୁଖ୍ୟ ଭାବରେ ଜୁଲାଇ ମାସରେ ଆରମ୍ଭରେ ଦେଖାଯାଏ ଓ ମଝିଅଂଶ ପାଉଁଶିଆ ହୋଇଯାଏ । ଯେଉଁ ସ୍ଥାନରେ ଏହି ରୋଗ ଦେଖାଯାଏ ସେଇ ଧାନକେଣ୍ଡା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ ।

ସମାଧାନ:

 ଧାନ ବିହନକୁ ପ୍ରଥମେ ଥିରାମରେ ବୁଡ଼େଇ ରଖାଯିବା ଦରକାର ।
ଅଧିକ ଯବକ୍ଷାରଜାନ ସାର ପ୍ରୟୋଗ କରିବା ବନ୍ଦ କରିବା ।
ଏହି ରୋଗ ପ୍ରତିରୋଧ କ୍ଷମ କିସମ ବ୍ୟବହାର କରିବା ।
କିଆରୀରେ ଥିବା ଅନାବନା ଘାସକୁ ଉପାଡ଼ିଦେବା ଆବଶ୍ୟକ ।

ବାଦାମୀ ପତ୍ରଚିତା ରୋଗ:

ଏହା ବି ଏକ କବକ ଜନିତ ରୋଗ । ୧୯୪୩ ମସିହାରେ ବେଙ୍ଗଲରେ ହୋଇଥିବା ବେଙ୍ଗଲ ଫେମାଇନ ଏହି କବକ ପାଇଁ ହୋଇଥିଲା ।

ଲକ୍ଷଣ:

ଏହି ରୋଗ ହେଲେ ଧାନ ପତ୍ରରେ ଅଣ୍ଡା ପ୍ରକୃତିର ବାଦାମୀ ଚିହ୍ନ ଦେଖାଯାଏ । ଏହା ସହିତ ପତ୍ରର ଉପର ପାଶ୍ୱର୍ରେ ଗୋଲାକାର ଚିହ୍ନ ଦେଖାଯାଏ । ମୁଖ୍ୟତଃ ପଟାସ ଅଭାବ ଥିବା ଜମିରେ ଏହି ରୋଗ ବେସି ମାତ୍ରାରେ ଦେଖାଯାଏ । ଏହି କବକ ଧାନ ଚାରାର ବହୁତ କ୍ଷତି କରିଥାଏ । ଅଧିକ ଆଦ୍ରତା ଆଉ ୨୦ ରୁ ୨୫ ଡିଗ୍ରୀ ତାପମାତ୍ରା ଏହା ପାଇଁ ଖୁବ୍ ସହାୟକ ।

ସମାଧାନ:

 କିଆରୀ ହୁଡ଼ା ସଫା ରଖିବା ସହ ଘାସ ଉପାଡ଼ି ଦେବା ।
ଏହି ରୋଗ ସହନଶୀଳ କିସମ ବ୍ୟବହାର କରିବା ।
ଖରାଟିଆ ଚାଷ କରିବା ।
ବିହନକୁ ଥିରାମରେ ବିଶୋଧନ କରିବା ।
ଏଥି ସହିତ କର୍ବେଣ୍ଡାଜୀମକୁ ପ୍ରୟୋଗ କରିବା ।

କୀଟ ଦମନ-

ଚକଡା ପୋକ- କୃଷି ବିଜ୍ଞାନରେ ଏହାକୁ ‘ବ୍ରାଉନ ପ୍ଲାଣ୍ଟ ହୋପର\’ ବୋଲି କୁହାଯାଏ । ତେବେ ଚକଡା ପୋକ ମୁଖ୍ୟତଃ ତିନୋଟି ସ୍ତର ଦେଇ ଗତି କରିଥାଏ-ଅଣ୍ଡା-ଅର୍ଭକ-ପୂର୍ଣ୍ଣାଙ୍ଗ କୀଟ । ପୂର୍ଣ୍ଣାଙ୍ଗ କୀଟ ଦେଖିବାକୁ ମାଟିଆ ରଙ୍ଗର ସ୍ତ୍ରୀ କୀଟଟି ୫ମି.ମି ଲମ୍ବା ହୋଇଥିବା ବେଳେ ପୁରୁଷ କୀଟଟି ୪-୪.୫ ମି.ମି ଭିତରେ ଲମ୍ବାଥାଏ । ପତ୍ର ର ମଝି ଭାଗରେ ଅଣ୍ଡା ଗୁଡିକ ଦେଖାଯାଏ (୨-୧୨) ଅଣ୍ଡା ଟି ଧଳା ଓ ବଙ୍କା ଆକୃତିର ହୋଇଥାଏ । ସମ୍ପୂର୍ଣ ଜୀବନ ଚକ୍ର ୧୮-୨୨ ଦିନ ଭିତରେ ଶେଷ ହୋଇଥାଏ ।

ଲକ୍ଷଣ- ଏହାର ପୂର୍ଣ୍ଣାଙ୍ଗ କୀଟଟି ଗଛର ତଳ ଭାଗର ରସକୁ ଶୋଷି ଶୋଷି ଖାଇଯାଇଥାଏ । ଖାଇବା ସମୟରେ ଏହା ଏକ ବିଷାକ୍ତ ପଦାର୍ଥ ନିର୍ଗତ କରିଥାଏ । ଯାହା ଫଳରେ (ହୋପର ବର୍ନ) ଲକ୍ଷଣ ଦେଖାଯାଇଥାଏ । ପତ୍ର ଗୁଡିକ ହଳଦିଆ ପଡିଯିବା ସହିତ ଗୋଲାକୃତି ଆକାରରେ ଗଛ ଶୁଖିଯାଏ । ଏହା ଯେଉଁ ଧାନ ଗଛକୁ ଆକ୍ରମଣ କରିଥାଏ, ତାହାର କାଣ୍ଡ ଭାଗ ଶୁଖିଯାଏ ଓ ଏହା ଭବିଷ୍ୟତରେ କୁଟା ହୋଇପାରେ ନାହିଁ ।
ପ୍ରତିକାର – ଞ୍ଚ ଚକଡା କୀଟ ଆକ୍ରାନ୍ତ ଜମିରେ ଏକ କିସମକୁ ଦ୍ୱିତୀୟ ଥର ବ୍ୟବହାର କରନ୍ତୁ ନାହିଁ ।

– ଧାନ ଜମିର ମଝି ଭାଗରେ କନ୍ଦି କରନ୍ତୁ । ଏହାଦ୍ୱାରା ଉପଯୁକ୍ତ ସୂର୍ଯ୍ୟାଲୋକ ମିଳିପାରିବା ସହ ଆର୍ଦ୍ରତା ନିୟନ୍ତ୍ରଣ ହୋଇପାରିବ ।
– ଜମିରୁ ଅନାବନା ଘାସ ଉପାଡିଦିଅନ୍ତୁ ।
– ପୋକର ଗତିବିଧି ଲକ୍ଷ୍ୟ କରି କୀଟନାଶକ ବ୍ୟବହାର କରନ୍ତୁ ।
– ଗଛର ତଳଭାଗକୁ କାର୍ବୋଫ୍ୟୁରାଣ ଦାନା ଏକରକୁ ୧୦ କି.ଗ୍ରା, ଏସିଫେଟ ଏକଲିଟର ପାଣିରେ ୧୫ କି.ଗ୍ରା ମିଶାଇ ୩-୪ ଥର ସ୍ପ୍ରେ କରନ୍ତୁ ।

ନଳି ପୋକ-

ଏହା ଧାନ ଫସଲର କ୍ଷତିକାରକ କୀଟ ମଧ୍ୟରେ ଅନ୍ୟତମ । ଏହାର ଶୁକ ଗୁଡ଼ିକ ଫିକା ସବୁଜ ରଙ୍ଗର ଓ ସଦାବେଳେ ପତ୍ରର ନଳୀ ଭିତରେ ଅବସ୍ଥାନ କରିଥାନ୍ତି । ଏମାନେ ଫିମ୍ବରୁ ବାହାରିବା ପରେ ଧାନ ପତ୍ରର ଅଗ ଭାଗକୁ କାଟି ଛୋଟଛୋଟ ନଳୀ ତିଆରି କରନ୍ତି । ନଳୀ ଭିତରେ ରହି ପତ୍ରର ସବୁଜ କଣିକାକୁ କୋରି କୋରି ଖାଇଥାନ୍ତି । ଏହି ନଳୀ ଗୁନିକ ପାଣିରେ ସହଜରେ ଭାସି ପାରେ ।

ପ୍ରତିକାର –

ଏହି ପୋକ ଦାଉରୁ ରକ୍ଷା ପାଇବା ପାଇଁ କୁଇନାଲଫସ ୨୫ଇସି ୨ମିଲି ପ୍ରତି ଲିଟର ପାଣିରେ ପ୍ରୟୋଗ କରି ଜମିରେ ପ୍ରୟୋଗ କରନ୍ତୁ ।
ସ୍ୱାମିଙ୍ଗ ସଁବାଳୁଆ – ଏହା ଦେଖିବାକୁ ଗାଢ଼ ସବୁଜ ରଙ୍ଗର ଶୁକ । ଏହାର ନିୟନ୍ତ୍ରଣ ପାଇଁ ଜମିରୁ ସଠିକ ଭାବେ ଜଳ ନିଷ୍କାସନ କରିବା ଆବଶ୍ୟକ ।
କାହାଳିଆ ପୋକ – ଏହା ସାଧାରଣତଃ ବର୍ଷାଦିନିଆ ଡଧାନ ଫସଲରେ ଦେଖାଯାଇଥାଏ । ପିଲ ଦେଉଥିବା ଅବସ୍ଥାରେ ପିଲ ଭିତରେ ପଶି କଅଁଳିଆ ମଂଜିର ଅଗ୍ରଭାଗକୁ ଖାଇଥାନ୍ତି । ଫଳରେ ପିଲଟି କାହାଳୀ ସଦୃଶ ହୋଇ ବଢ଼ିଥାଏ । କେଣ୍ଡାର ଧାରଣ ଶକ୍ତି କମିଥାଏ ।

ପ୍ରତିକାର-

ସଙ୍ଗ ଆକର୍ଷକ ଯନ୍ତା ବ୍ୟବହର କରିବା ଉଚିତ୍ ।

-ପଟାସ ସାର ବ୍ୟବହାର କରିବା ଦରକାର ।
-କାର୍ବୋସଲଫନ୍ ୨୫%ଇସି ୨ମିଲି ପ୍ରତି ଲିଟର ପାଣିରେ ଜମିରେ ସିଂଚନ କରିବା ଆବଶ୍ୟକ ।
ମାଟିଆଗୁଣ୍ଡି ପୋକ – ଏହା ମାଟିଆ ଓ ବାଦାମୀ ରଙ୍ଗର ଶୋଷକ କୀଟ ଅଟେ । ବର୍ଷାଦିନିଆ ଓ ଡ଼ାଳୁଅ ଧାନରେ ଏହା ବହୁଳ କ୍ଷତି କରିଥାଏ । ଏହା ଧାନ ବୁଦା ମୂଳରେ ଜଳପତନର ଠିକ ଉପର ଭାଗରେ ରହି କାଣ୍ଡରୁ ରସ ଶୋଷି ଖାଇଥାଏ । ଏହାର ଆକ୍ରମଣରେ ପ୍ରଥମେ ପତ୍ର ଗୁଡ଼ିକ ହଳଦିଆ ପଡ଼ିଯାଏ ଓ ଶେଷରେ ଧାନଗୁଡ଼ିକ ମରିଯାଏ । ଫୁଲ ଧରିବା ସମୟରେ ଏମାନଙ୍କ ପ୍ରାଦୁର୍ଭାବ ବେଶୀ ଥାଏ ।

ପ୍ରତିକାର-

ଯବକ୍ଷାରଜାନ ସାରର ଅଧିକ ବ୍ୟବହାର କରିବା
ସଙ୍ଗଆକର୍ଷକ ଯନ୍ତାର ବ୍ୟବହାର କରିବା
ଇମିଡ଼ାକ୍ଲୋପିଡ଼୍ ୦.୨୫ମିଲି ପ୍ରତି ଲିଟର ପାଣିରେ ପକାଇ ସିଂଚନ କରିବା ।
ଅମଳ ସମୟ : ଯେତେବେଳେ ଶତକଡ଼ା ୮୦ଭାଗ ଶସ୍ୟ ପାଚିଯାଏ ସେବେ ଏହାକୁ ଅମଳ କରିବାର ପ୍ରକୃଷ୍ଟ ସମୟ ଅଟେ । ଏହା ପୂର୍ବରୁ ଅମଳ କରାଗଲେ ଶସ୍ୟର ଗୁଣବତ୍ତା ଉପରେ ପ୍ରଭାବ ପଡ଼ିଥାଏ ।

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Comments are closed.