Latest Odisha News

ଆସନ୍ତୁ ବୁଲିଯିବା ରେମୁଣାର କ୍ଷୀରଚୋରା ଗୋପୀନାଥ; ଜାଣିବା ଏହା ସମ୍ପର୍କରେ କିଛି ନୂଆକଥା

ଭୁବନେଶ୍ୱର: ଆରମ୍ଭ ହୋଇଗଲାଣି ପର୍ଯ୍ୟଟନ ଋତୁ। ରାଜ୍ୟ ସରକାର ମଧ୍ୟ କୋଭିଡ କଟକଣା ମଧ୍ୟରେ ରହି ସମସ୍ତ ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ଖୋଲିବାକୁ ପ୍ରାୟତଃ ଅନୁମତି ଦେଇଛନ୍ତି। ତେବେ ଆଜି ଆମେ ଆପଣଙ୍କୁ ବୁଲେଇ ନେବୁ ବାଲେଶ୍ଵର ରେମୁଣା ସ୍ଥିତ କ୍ଷୀରଚୋରା ଗୋପୀନାଥ ମନ୍ଦିରକୁ। ଆଉ ଜଣାଇବା ଏହାର ସମ୍ପର୍କରେ କିଛି ଅଜଣା କଥା…

କ୍ଷୀରଚୋରା ଗୋପୀନାଥ ମନ୍ଦିର ରେମୁଣା ରେ ଅବସ୍ଥିତ । ଏହା ବାଲେଶ୍ଵରଠାରୁ ୯ କିମି ପୂର୍ବରେ ହାଉଡ଼ା ଓ ଭୁବନେଶ୍ଵର ମଝିରେ ପଡ଼େ । ରେମୁଣା ନାମଟି ରମଣୀୟ ଶବ୍ଦରୁ ଆସିଛି ଜାହାର ଅର୍ଥ ସୁନ୍ଦର ।

କ୍ଷୀରଚୋରା ଗୋପୀନାଥ ମନ୍ଦିର ଓଡ଼ିଶାର ହିନ୍ଦୁ ମନ୍ଦିରମାନଙ୍କ ଭିତରେ ଏକ ଜଣାଶୁଣା ଏବଂ ପ୍ରସିଦ୍ଧ ଆନ୍ତର୍ଜାତୀୟ ମନ୍ଦିର । ଏହା ଗଙ୍ଗବଂଶର ରାଜା ଲାଙ୍ଗୁଳା ନରସିଂହଦେବଙ୍କ ଦ୍ଵାରା ତିଆରି କରାଯାଇଥିଲା ଯିଏକି ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିଥିଲେ ।

ବୃନ୍ଦାବନର ତିନି ଠାକୁର ଶ୍ରୀ ମଦନମୋହନ(ସମ୍ବନ୍ଧ ତତ୍ତ୍ଵ), ଶ୍ରୀ ଗୋବିନ୍ଦ(ଅବିଧେୟ ତତ୍ତ୍ଵ), ଶ୍ରୀ ଗୋପୀନାଥ(ପ୍ରୟୋଜନ ତତ୍ତ୍ଵ)ଭଳି ଏଠାରେ ଏହି ତିନି ଠାକୁର ବିରାଜିତ ହୋଇଥିବାରୁ ଏହାକୁ ପୂର୍ବ ଭାରତର ଗୁପ୍ତ ବୃନ୍ଦାବନ ଧାମ ମଧ୍ୟ କୁହାଯାଏ ରେମୁଣାର ଗଛଲତା ଭରା ଏକ ଶୀତଳ ପରିବେଶ ଭିତରେ ଗୋପୀନାଥ ପୂଜା ପାଇଥାନ୍ତି । ବର୍ଷ ସାରା ଏହି ମନ୍ଦିରକୁ ଅନେକ ଭକ୍ତଙ୍କ ସୁଅ ଛୁଟିଥାଏ ।

କିମ୍ବଦନ୍ତୀ ଅନୁସାରେ ରାମଚନ୍ଦ୍ର ସୀତାଙ୍କୁ ଗଙ୍ଗାରେ ସ୍ନାନ କରାଇବା ଉଦ୍ଧେଶ୍ୟରେ ଏଠାରେ ଗଙ୍ଗାଙ୍କୁ ସ୍ମରଣ କରି ସାତଟି ଶର ମୁନରେ ସପ୍ତରେଖା ନଦୀ ଖନନ କରିଥିଲେ , ଏବେ ଏହା ନାଳରେ ପରିଣତ ହୋଇଛି ।

କୁହାଯାଏ ଥରେ ଜଣେ ଭକ୍ତ ମାଧବେନ୍ଦ୍ର ପୁରୀ, ବୃନ୍ଦାବନର ତାଙ୍କର ସେବିତ ଠାକୁର ଶ୍ରୀ ଗୋପାଳଙ୍କ ପାଇଁ ଜଗନ୍ନାଥ ପୁରୀରୁ ମଲୟ ଚନ୍ଦନ ନେବା ଉଦେଶ୍ୟରେ ବୃନ୍ଦାବନରୁ ଚାଲି ଚାଲି ଆସି ରେମୁଣା ଗୋପୀନାଥ ମନ୍ଦିରରେ ବିଶ୍ରାମ କରିଥିଲେ । ଗୋପୀନାଥଙ୍କ ଠାରେ ଲାଗିଥିବା କ୍ଷୀରଭୋଗ(ଅମୃତକେଳି)କୁ ଦେଖି ଭୋଗ ପାଇବାର ଇଚ୍ଛା ହୋଇଥିଲା । କିନ୍ତୁ ସେ ଅଯାଚିତ ହୋଇଥିବାରୁ ମନର ଇଚ୍ଛା ପ୍ରକାଶ କଲେ ନହିଁ । ଶ୍ରୀ ଗୋପୀନାଥ ଭକ୍ତର ମନକଥା ଜାଣିପାରି ୧୨ ଟି କ୍ଷୀରଭୋଗ ମଧ୍ୟରୁ ଗୋଟିଏ କ୍ଷୀରଭୋଗ ତାଙ୍କ ପିନ୍ଧିଥିବା ଧୋତିତଳେ ଲୁଚାଇ ରଖି ପୂଜକ କୁ ଅର୍ଦ୍ଧରାତ୍ରିରେ ଉଠାଇ ଭକ୍ତ ମାଧବେନ୍ଦ୍ରଙ୍କୁ କ୍ଷୀରଭୋଗ ଦେଇଆସିବା ପାଇଁ ନିର୍ଦେଶ ଦେଲେ ।

ପୂଜକ ଉଠି ସ୍ନାନକରି ସତକୁ ସତ ଦେଖିଲେ ଗୋପୀନାଥଙ୍କ ଧୋତିତଳେ କ୍ଷୀରଭୋଗଟିଏ ଅଛି । ସେ ତୁରନ୍ତ କ୍ଷୀରଭୋଗଟି ନେଇ ଅନତି ଦୂରରେ ବସି କୀର୍ତନ କରୁଥିବା ମାଧବେନ୍ଦ୍ରଙ୍କୁ ଦେଇଥିଲେ । ମାଧବେନ୍ଦ୍ର ପୁରୀ ସେଇ କ୍ଷୀରଭୋଗ ପାଇ ଆନନ୍ଦରେ ନୃତ୍ୟ କରି ମୁର୍ଚ୍ଛିତ ହୋଇପଡ଼ିଲେ, ପୁଣି ଉଠି ନିଜକୁ ଧିକାର କଲେକି ପ୍ରଭୁ ଗୋପୀନାଥ ତାଙ୍କ ପାଇଁ ରାତ୍ରି ଅନିଦ୍ରା ରହି ଏତେ କଷ୍ଟ କଲେ । ତତ୍ପରେ ସେ ପ୍ରତିଷ୍ଠା ଭୟରେ ସକାଳ ହେବା ପୂର୍ବରୁ ରେମୁଣା ଛାଡି ପୁରୀ ଅଭିମୁଖେ ପଳାୟନ କଲେ। ସେହିଦିନଠାରୁ ଶ୍ରୀ ଗୋପୀନାଥ କ୍ଷୀରଚୋରା ଗୋପୀନାଥ ନାମରେ ପ୍ରସିଦ୍ଧ ହେଲେ ।

ଭକ୍ତ ମାଧବେନ୍ଦ୍ର ପୁରୀରୁ ମଲୟ ଚନ୍ଦନ ଆଣି ରେମୁଣା ଦେଇ ଫେରିବା ବାଟରେ ଏଠାକାର ଭକ୍ତ ମାନେ ଏଠାରେ ରହିବା ପାଇଁ ଅନୁରୋଧ କଲେ । ସେ ଏଠାରେ ରହଣି ସମୟରେ ତାଙ୍କ ବୃନ୍ଦାବନର ଠାକୁର ଶ୍ରୀ ଗୋପାଳ ନିର୍ଦ୍ଦେଶ ଦେଲେ ଯେ ମୁଁ ଯିଏ ରେମୁଣାର ଗୋପୀନାଥ ସିଏ । ତୁମେ ଗୋପୀନାଥଙ୍କ ଶ୍ରୀଅଙ୍ଗରେ ମଲୟ ଚନ୍ଦନ ଲେପନ କରିଦେଲେ ମୁଁ ପାଇଯିବି । ସେହିଦିନଠାରୁ ଅକ୍ଷୟ ତୃତୀୟା ଓ ଚନ୍ଦନ ପୂର୍ଣ୍ଣମୀରେ ଗୋପୀନାଥଙ୍କ ସର୍ବାଙ୍ଗ ଚନ୍ଦନ ବେଶ ହୁଏ ।

ଏବଂ ଅକ୍ଷୟ ତୃତୀୟା ଠାରୁ ୪୫ ଦିନଧରି ଭକ୍ତଶ୍ରେଷ୍ଠ ମାଧବେନ୍ଦ୍ର ପୁରୀ ଗୋସ୍ଵାମୀଙ୍କ ସ୍ମୃତି ଉଦେଶ୍ୟରେ ଚନ୍ଦନ ଲାଗି ହୁଏ । ତାଙ୍କୁ ଏହିଠାରେ ସ୍ଥୂଳ ସମାଧି ଦିଆଯାଇଛି ଓ ଏବେ ସେଠାରେ ତାଙ୍କର ସମାଧି ମନ୍ଦିର ମଧ୍ୟ ଅଛି।

ଏଠାରେ କ୍ଷୀର ଭୋଗ “ଅମୃତ କେଳି” ନମରେ ଦିଅଁଙ୍କ ପାଖରେ ଅର୍ପଣ କରାଯାଇଥାଏ । କ୍ଷୀର, ଚିନି, ଖୁଆ ଓ ଗୁଜୁରାତି ଅଳେଇଚରେ ଏହା ତିଆରି କରାଯାଏ । ଏଠାରେ ନିତି ଅନ୍ନ ପ୍ରସାଦ ମଧ୍ୟ ମିଳେ ।

Leave A Reply

Your email address will not be published.