ପୁରୀ: ପତିତମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରଭୁ ପତିତପାବନ ନାମରେ ନାମିତ । ଶ୍ରୀକ୍ଷେତ୍ର ପାବନ ପୀଠରେ ଦାରୁବ୍ରହ୍ମଙ୍କୁ ଦର୍ଶନ କରି ଭକ୍ତ ଯେତିକି ପୁଣ୍ୟ ଅର୍ଜନ କରିଥାଏ ଶ୍ରୀମନ୍ଦିର ପ୍ରବେଶ ଦ୍ୱାର ଗୁମୁଟରେ ପ୍ରତିଷ୍ଠିତ ପତିତପାବନଙ୍କୁ ଦର୍ଶନ କରି ଅକ୍ଷୟ ପୂଣ୍ୟର ଅଧିକାରୀ ହୁଏ ।
ମାଦଳପାଞ୍ଜି ଅନୁସାରେ ଶ୍ରୀପୁରୁଷୋତମ ଦେବ ୧୪୪୮ରେ ମନ୍ଦିରର ବାହାର ବେଢ଼ା ନିର୍ମାଣ କରିଥିଲେ । ସେହିପରି ଭୋଇବଂଶ ରାଜା ଦ୍ୱିତୀୟ ରାମଚନ୍ଦ୍ର ଦେବ ଏହାକୁ ସ୍ଥାପନ କରିଥିଲେ ବୋଲି ଉଲ୍ଲେଖ ରହିଛି । ପତିତପାବନ ଅଷ୍ଟାଦଶ ଶତାବ୍ଦୀର ଅନୁମାନ କରାଯାଏ ।
ଐତିହାସିକ ତତ୍ୟ ବିଚାରକୁ ନେଲେ ଭୋଇ ବଂଶର ୨ୟ ରାମଚନ୍ଦ୍ର ଦେବ ନବାବ ସୁଜାଖାଁଙ୍କ କନ୍ୟା ବିବି ରେଜିୟାଙ୍କୁ ବିବାହ କରିଥ ଇସଲାମ ଧର୍ମରେ ଧର୍ମାନ୍ତରୀଣ ହୋଇଥିଲେ । ତାଙ୍କ ନାମ ହାଫିଜକାଦର ବେଗ୍ ହୋଇଥିଲା । ମୁସଲମାନ ହୋଇଥିବାରୁ ତାଙ୍କ ପାଇଁ ମନ୍ଦିର ପ୍ରବେଶ ନିଷେଧ ହୋଇଥିଲା । ସେ ଜଗନ୍ନାଥଙ୍କ ପରମ ଭକ୍ତ ହୋଇଥିବାରୁ ତାଙ୍କ ସେବା ଓ ଦର୍ଶନ ପାଇଁ ସିଂହଦ୍ୱାର ଗୁମୁଟରେ ପତିତପାବନ ମୂର୍ତି ସ୍ଥାପନ କରି ପ୍ରତ୍ୟେକ ଦିନ ଦର୍ଶନ କରୁଥିଲେ ।
ସେହିପରି ଭକ୍ତ ସାଲବେଗ ଜାତିରେ ଯବନ ଥିବାରୁ ତାଙ୍କୁ ମନ୍ଦିରକୁ ଯିବା ଅନୁମତି ନ ଥିଲା । ସେ ଜଗନ୍ନାଥଙ୍କ ନିକଟରେ ଏଥିନେଇ ଆକୁଳ ନିବେଦନ କରିଥିଲେ । ସ୍ୱୟଂ ଜଗନ୍ନାଥ ରତ୍ନ ସିଂହାସନରୁ ଓହ୍ଲାଇ ଆସି ସିଂହଦ୍ୱାର ସମ୍ମୁଖରେ ଦର୍ଶନ ଦେଇଥିଲେ ।
ଭକ୍ତଙ୍କ ପାଇଁ ଭଗବାନ ତାହା ଏଥିରୁ ପ୍ରମାଣିତ ହେଉଛି । ଅନ୍ୟ ଏକ ତଥ୍ୟ ଅନୁସାରେ ହରିଦାସ ଠାକୁର ଜଣେ ବୈଷ୍ଣବ ଭକ୍ତ ହେଲେ ମଧ୍ୟ ମୁସଲିମ୍ ଘରେ ଜନ୍ମ ହୋଇଥିବାରୁ ଜଗନ୍ନାଥଙ୍କ ଦର୍ଶନରୁ ବଂଚିତ ହେଉଥିଲେ । ସେ ଜଗନ୍ନାଥଙ୍କ ଶରଣାପନ୍ନ ହେବା ପରେ ଠାକୁରେ ତାଙ୍କ ପାଇଁ ପତିତପାବନ ହୋଇ ସିଂହଦ୍ୱାରେ ପୂଜା ପାଇଲେ । ହରିଦାସଙ୍କ ଜୀବନ ସାର୍ଥକ ହୋଇଥିଲା ।
Comments are closed.