Latest Odisha News

BREAKING NEWS

ଓଡ଼ିଶାର କଳା ଓ ସଂସ୍କୃତିର ପରିଚୟ ପାରମ୍ପରିକ ସଖୀ କଣ୍ଢେଇ ନାଚ…

ଭୁବନେଶ୍ୱର: ଓଡ଼ିଶାର ଲୋକନୃତ୍ୟ ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଏହି ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଓଡ଼ିଶାର ଲୋକ ନୃତ୍ୟ ଜନମାନସର ପରିବର୍ତ୍ତନ ସହ ତାଳ ଦେଇ ଏହାର ରୂପରେ ବହୁବିଧ ପରିବର୍ତ୍ତନ ଆଣିପାରିଛି ।

ମୁଖ୍ୟତଃ ଧର୍ମଚାର, ମନୋରଞ୍ଜନ, ଶ୍ରମ ଅପନୋଦନ, ସାମାଜିକ ସଂସ୍କାର ଆଦି ବହୁବିଧ ଉଦ୍ଦେଶ୍ୟକୁ ନେଇ ଲୋକନୃତ୍ୟର ସୃଷ୍ଟି ହୋଇଛି । ଗ୍ରାମବହୁଳ ଓଡ଼ିଶାରେ ଦୈନନ୍ଦିନ ଜୀବନରେ ଟିକେ ଆନନ୍ଦ ଉପଭୋଗ କରିବାକୁ ଅନୁଷ୍ଠିତ କରାଯାଏ ଯାତ୍ରା ଓ ମହୋତ୍ସବମାନ । ଓଡ଼ିଶାର ପ୍ରତ୍ୟେକ ପର୍ବପର୍ବାଣୀ ସହ ବିଭିନ୍ନ ଲୋକନୃତ୍ୟର ପ୍ରଚଳନ ରହିଛି ।

ଏହିସବୁ ନୃତ୍ୟ ମୁଖ୍ୟତଃ ଖୋଲା ଆକାଶତଳେ ପରିବେଷଣ କରାଯାଇଥାଏ । ପ୍ରତ୍ୟେକ ଲୋକନୃତ୍ୟରେ ଓଡ଼ିଶାର ପାରମ୍ପରିକ ସଂଗୀତ ଓ ବହୁଲୋକପ୍ରିୟ ଢଗଢମାଳି ଆଦିର ବ୍ୟବହାର ହୋଇଥାଏ । ଏହାସହିତ ପାରମ୍ପରିକ ବାଦ୍ୟର ବ୍ୟବହାର କରାଯାଇଥାଏ ।

ସଖୀ କଣ୍ଢେଇ ନାଚ

ସଖୀକଣ୍ଢେଇ ନାଚ ଯାହାର ଅନ୍ୟନାମ ହେଉ ହେଉଛି ସଖୀ ନାଚ, କଣ୍ଢେଇ ନାଚ। ଓଡ଼ିଶାର ଏହା ଏକ ପାରମ୍ପାରିକ ନାଚ । ଏହା କେନ୍ଦ୍ରାପଡ଼ା ଜିଲ୍ଲାରୁ ଆରମ୍ଭ ହୋଇ‌ଥିଲା । କ୍ରମଶଃ ଏହି ନାଚ ଆଗ ଭଳି ଗ୍ରାମାଞ୍ଚଳ କିମ୍ବା ସହରରେ ଆଉ ଦେଖିବାକୁ ମିଳୁନାହିଁ । ବର୍ତ୍ତମାନ କେବଳ କେନ୍ଦ୍ରାପଡ଼ା ଜିଲ୍ଲାରେ ମନ୍ତ୍ରୀପଡ଼ା ସଖୀ କଣ୍ଢେଇ ନାଚ ଦଳ ଦେଖିବାକୁ ମିଳନ୍ତି । ଏକ ସୁସଜ୍ଜିତ ମଞ୍ଚ ଉପରେ କଣ୍ଢେଇ ନାଚ ପ୍ରଦର୍ଶିତ କରାଯାଏ ।

ସାଧାରଣ ମଣିଷଙ୍କ ଭଳି କଣ୍ଢେଇମାନଙ୍କୁ ନାନାଦି ବେଶଭୂଷା କରି ତାର ଦ୍ୱାରା ସଂଯୋଗ କରାଯାଇଥାଏ । ଗୀତର ତାଳେ ତାଳେ କଣ୍ଢେଇମାନଙ୍କର ନୃତ୍ୟ ଓ ବିଭିନ୍ନ ଅଙ୍ଗଭଙ୍ଗୀ ପ୍ରଦର୍ଶିତ କରିବା ପାଇଁ, ନାଚ ଦଳର ଜଣେ ସଦସ୍ୟ ଦ୍ୱାରା କଣ୍ଢେଇଗୁଡ଼ିକୁ ସଂଯୋଗ କରାଯାଇଥିବା ତାରକୁ ଧରି ପରଦାର ନେପଥ୍ୟରେ ନିୟନ୍ତ୍ରିତ କରିଥାନ୍ତି । ସଖୀ କଣ୍ଢେଇ ନାଚ ଦଳରେ ଅତି କମ୍‌ରେ ୭ଜଣ କଳାକାର ଆବଶ୍ୟକ । ତିନିଜଣ କଣ୍ଢେଇ ନଚାଉଥିବାବେଳେ ଜଣେ ହାରମୋନିୟମ ବଜାନ୍ତି ।

ଏହାଛଡ଼ା ଜଣେ ଢୋଲକି ଓ ଜଣେ ଗିନି ବଜାନ୍ତି । ବିଭିନ୍ନ ପ୍ରସଙ୍ଗ ଉପରେ ବାଦ୍ୟଯନ୍ତ୍ର ଓ ସଂଗୀତ ସହ ତାଳ ଦେଇ ସଖୀକଣ୍ଢେଇ ନାଚ ହୁଏ । ନାଚ ମଧ୍ୟରୁ ବଂଶୀଚୋରି, ବାଟଛାଡ଼ ନାଗର, ଦ୍ରୌପଦୀ ବସ୍ତ୍ରହରଣ, ନାବକେଳି, ରାଧୀକା ଓ ଦୂତୀ, ଲଳିତା ଓ ଦୂତୀ, ଶବର ଶବରୁଣୀ ନାଚ ଅଧିକ ହୁଏ । ନାଚର ପ୍ରସଙ୍ଗ ଉପରେ ଜଣେ ମଧୁର କଣ୍ଠରେ ଗୀତ ବୋଲି ଦର୍ଶକଙ୍କୁ ଆମୋଦିତ କରନ୍ତି ।

ଏକ ଘଣ୍ଟା ମଧ୍ୟରେ ୮ରୁ ୧୦ ପ୍ରକାରର ନାଚ ପ୍ରଦର୍ଶିତ କରାଯାଏ । ପ୍ରଚାର ଓ ପ୍ରସାର ଅଭାବରୁ ତାର ଦ୍ୱାରା ସଖୀ କଣ୍ଢେଇ ନାଚ ସମ୍ପୂର୍ଣ୍ଣ ଲୋପ ପାଇ ଯାଇଛି । କିନ୍ତୁ ଜିଲ୍ଲାର ସଦର ମହକୁମାଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଥିବା ଡେରାବିଶି ବ୍ଳକ ଅନ୍ତର୍ଗତ କୁରୁଜଙ୍ଗା ପଞ୍ଚାୟତର ମନ୍ତ୍ରୀପଡ଼ା ଗ୍ରାମର କେଳା ବସ୍ତିରେ ଏହି ନାଚର ଅସ୍ତିତ୍ୱ ରହିଛି ।

ପୂର୍ବରୁ ତାର ସାହାଯ୍ୟରେ ସଖୀ କଣ୍ଢେଇ ନଚା ଯାଉଥିଲା । ସେ ପ୍ରଥା ବନ୍ଦ ହୋଇଯିବାରୁ ଏବେ କାଠ କଣ୍ଢେଇକୁ ବେଶ ପୋଷାକରେ ସଜାଇ ହାତରେ ନଚାଉଛନ୍ତି ।

Leave A Reply

Your email address will not be published.