Latest Odisha News

BREAKING NEWS

ଜାଣନ୍ତୁ ବିଶ୍ୱର ସର୍ବୋଚ୍ଚ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ବିଷୟରେ କିଛି ରୋଚକ କଥା

ଭୁବନେଶ୍ୱର : ଭାରତର ପ୍ରଥମ ଗୃହମନ୍ତ୍ରୀ ତଥା ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ସମ୍ମାନ ଜଣାଇ ତାଙ୍କର ୧୪୩ ତମ ଜୟନ୍ତୀରେ ଦେଶର ସବୁଠାରୁ ଉଚ୍ଚ ପ୍ରତିମା ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’କୁ ପ୍ରଧାନମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏହି ଯୋଜନାରେ ସମୁଦାୟ ୨,୦୬୩ କୋଟି ଟଙ୍କା ସରକାରଙ୍କ ଦ୍ୱାରା ବ୍ୟୟ ହୋଇଛି ।

‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ଯୋଜନାକୁ ସମ୍ପୂର୍ଣ୍ଣ କରିବାକୁ ସମୁଦାୟ ୫୬ ମାସ ଲାଗିଥିଲା । ଏଥିମଧ୍ୟରେ ୧୫ ମାସ ଯୋଜନା, ନିର୍ମାଣ କାର୍ଯ୍ୟରେ ୪୦ ମାସ ତଥା ପ୍ରତିମୂର୍ତ୍ତିଟିର ଚୂଡାନ୍ତ ରୂପ ଦେବା ପାଇଁ ୨ ମାସ ସମୟ ଲାଗିଥିଲା । ଆଜି ପ୍ରଧାପମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଏକତାର ପ୍ରତିକ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି ।

୧୮୨ ମିଟର ବିଶିଷ୍ଟ ଏହି ପ୍ରତିମା ଦୁନିଆର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି ଭାବେ ଛିଡାହୋଇଛି । ଏହି ପ୍ରତିମା ଆମେରିକାର ଷ୍ଟ୍ୟାଚୁ ଅଫ୍ ଲିବର୍ଟି ଠାରୁ ୨ଗୁଣ ବଡ ହେବ । ଏହା ତଳକୁ ଚୀନର ‘ସ୍ପ୍ରିଂଗ ବୁଦ୍ଧ ମନ୍ଦିର’(୧୫୩ ମିଟର) ରହିଛି । ଏହାପରେ ପରେ ଜାପାନର ‘ଓଶିକୁ ଦାୟବତ୍ସୁ’( ୧୨୦ ମିଟର) ଓ ଆମେରିକାର ‘ଷ୍ଟାଚ୍ୟୁ ଅଫ୍ ଲିବର୍ଟି’ (୯୩ ମିଟର) ବିଶିଷ୍ଟ ରହିଛି ।

‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ପ୍ରତିମୂର୍ତ୍ତିକୁ ବନାଇବା ପାଇଁ ପ୍ରାୟ ୫,୭୦୦ ମେଟ୍ରିକ୍ ଟନ୍ ଷ୍ଟିଲ ସହ ୧୮,୫୦୦ ମେଟ୍ରିକ ଟନ୍ ଲୁହା ଛଡ ବ୍ୟବହାର କରାଯାଇଛି । ଏହାକୁ ଏଭଳି ଭାବରେ ଡିଜାଇନ କରାଯାଇଛି ଯେ ୬୦ମି./ସେକେଣ୍ଡର ଭୂମିକମ୍ପ ତୀବ୍ରତା ହେଲେ ମଧ୍ୟ ଷ୍ଟାଚ୍ୟୁର କୌଣସି କ୍ଷତି ହେବ ନାହିଁ । ଘଣ୍ଟା ପ୍ରତି ୧୮୦ କିମି ବେଗରେ ପବନ ବହିଲେ ମଧ୍ୟ ଏହାକୁ ଦୋହଲାଇ ପାରିବ ନାହିଁ ।

ଆହୁରି ମଧ୍ୟ ଏହି ପ୍ରତିମାର ମୋଟ ଓଜନ ୧୭୦୦ ଟନ ରହିଛି । ଏଥିରେ ତମ୍ବା, ଜିଙ୍କ,ଲିଡ ଓ ଟିନ୍ ମଧ୍ୟ ରହିଛି । ଫଳରେ ପ୍ରତିମାଟି ହଜାର ହଜାର ବର୍ଷ ଧରି ଖରାପ ହେବ ନାହିଁ କିମ୍ବା ସେଥିରେ ଜଙ୍କ ମଧ୍ୟ ଲାଗିବ ନାହିଁ । ସାଧୁ ହିଲ ଉପରେ ନିର୍ମିତ ଏହି ପ୍ରତିମାର ଉଭୟ ପାଶ୍ୱର୍ରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଲିଫ୍ଟ ମଧ୍ୟ ଲଗାଯାଇଛି । ପ୍ରତିମାର ୧୫୩ ମିଟର ଯାଏଁ ପର୍ଯ୍ୟଟକମାନେ ଯାଇପାରିବେ ଏବଂ ପାଖାପାଖି ୨୦୦ ଜଣ ଲୋକ ପ୍ରତିମା ତଳେ ନିର୍ମାଣ ହୋଇଥିବା ଗ୍ୟାଲେରିରେ ଏକାଥରେ ସମାବେଶ ହୋଇପାରିବେ ।

୧୯୯୯ ମସିହାରେ ପଦ୍ମଶ୍ରୀ ପୁରସ୍କାର ପାଇଥିବା ୯୨ ବର୍ଷିୟ ରାମ ବି ସୁତାର ଏହାର ଡିଜାଇନ କରିଛନ୍ତି । ଆହୁରି ମଧ୍ୟ ମୁମ୍ବାଇ ସ୍ଥିତ ସମୁଦ୍ରରେ ହେବାକୁ ଥିବା ଶିବାଜୀଙ୍କ ପ୍ରତିମା ମଧ୍ୟ ରାମ ସୁତାର କରୁଛନ୍ତି । ଏହା ବ୍ୟତିତ ମଧ୍ୟ ଏହି ପ୍ରତିମା ନିର୍ମାଣ ପାଇଁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ନାମରେ ଏକ ଟ୍ରଷ୍ଟ ମଧ୍ୟ ନିର୍ମାଣ କରାଯାଇଥିଲା ଯାହାକି ସାରା ଦେଶରେ ପ୍ରାୟ ୬ଲକ୍ଷ ଗ୍ରାମରୁ ପାଖାପାଖି ୫ ହଜାର ମେଟ୍ରିକ ଟନ୍ ଲୁହା ସଂଗ୍ରହ କରାଯାଇଥିଲା ।

ଦେଶର ବଡ ଇନଫ୍ରାଷ୍ଟ୍ରକଚର କମ୍ପାନୀ ଲାର୍ସନ ଆଣ୍ଡ ଟୁର୍ବୋ ଏହି ପ୍ରତିମାର ନିର୍ମାଣ କରିଛନ୍ତି । ଏହି ପ୍ରତିମୂର୍ତ୍ତି ନର୍ମଦା ନଦୀରେ ନିର୍ମିତ ସର୍ଦ୍ଦାର ସରୋବର ଡ୍ୟାମରୁ ୩.୫ କିମି ଦୂରରେ ରହିଛି । ତତ୍କାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ତଥା ଏବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଲୌହମାନବ ବଲ୍ଲଭ ଭାଇ ପଟେଲଙ୍କ ୧୩୮ତମ ଜୟନ୍ତୀ ୩୧ ଅକ୍ଟୋବର ୨୦୧୩ରେ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ।

Leave A Reply

Your email address will not be published.