Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲେ ଆନ୍ଦୋଳନରତ ଆଇନଜୀବୀ

ଭୁବନେଶ୍ୱର: ପୋଲିସ ଆକ୍ରମଣ ଯୋଗୁଁ ଆନ୍ଦୋଳନ ଜାରି ରଖିଥିବା ଆଇନଜୀବୀମାନେ ସରକାରଙ୍କ ଉଦାସୀନତାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟର ସମସ୍ତ ବାର୍ ଆସୋସିଏସନ ଓକିଲମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ।

ଏନେଇ ମଙ୍ଗଳବାର ଦିନ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ ସାଧାରଣ ବୈଠକରେ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା ।

ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନାଦେଇ ଆସୋସିଏସନର ସଭାପତି ଶ୍ରୀକାନ୍ତ ନାୟକ କହିଛନ୍ତି, ବାର୍ ଆସୋସିଏସନର ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ହେଲାପରେ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ସମସ୍ତ ସଦସ୍ୟ ଥିବା ଆଇନଜୀବୀଙ୍କୁ ନଭେମ୍ବର ୧ ତାରିଖରେ ଜଣାଇ ଦିଆଯିବ ।
ସେ ଆହୁରି ମଧ୍ୟ କହିଛନ୍ତି ରାଜ୍ୟ ବାର୍ କାଉନସିଲ ଆସୋସିଏସନର ସଭାପତି ଟହଲି ଚରଣ ନାୟକ, ବିଜେଡ଼ି ଲିଗାଲ୍ ଫ୍ରଣ୍ଟ୍ ଆବାହକ ମିଲନ କାନୁନଗୋ, ଉପଦେଷ୍ଟା ଅସୀମ ଅମିତାଭ ଦାସ ଏବଂ ପୂର୍ବତନ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ ସଭାପତି ବଂଶୀଧର ଶତପଥୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ମଙ୍ଗଳବାର ଦିନ ଓଡ଼ିଶା ହାଇକୋର୍ଟ ପରିସରରେ ବିଜେଡ଼ି ଲିଗାଲ୍ ଫ୍ରଣ୍ଟ୍ ସଦସ୍ୟ ଏବଂ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ ସଦସ୍ୟଙ୍କ ମଧ୍ୟରେ ଯେଉଁ ହିଂସା ଘଟିଛି ସେ ସମ୍ପର୍କରେ ସେ କହିଛନ୍ତି, ଆଇନଜୀବୀଙ୍କ ଉପରେ ହୋଇଥିବା ପୋଲିସ ଆକ୍ରମଣର ତଦନ୍ତ କରିବାକୁ ଓଡ଼ିଶା ହାଇକୋର୍ଟ କ୍ରାଇମବ୍ରାଞ୍ଚ, ଆଇଜିଙ୍କୁ ୁ ନିର୍ଦ୍ଦେଶ ପୂର୍ବରୁ ଦେଇସାରିଛନ୍ତି ।

ଓଡ଼ିଶା ହାଇକୋର୍ଟର ବିଚାରପତିି ଜଷ୍ଟିସ ସି ଆର ଦାସ ଘଟଣା ସମ୍ପର୍କରେ ତର୍ଜମା କରିବେ ଏବଂ ଏନେଇ ତଦନ୍ତ କରୁଥିବା ଅଧିକାରୀ ତାଙ୍କୁ ଏସମ୍ବନ୍ଧୀୟ ରିପୋର୍ଟ ପ୍ରଦାନ କରିବେ ।

ଏହି ଘଟଣାର ଶୁଣାଣି ଆସନ୍ତା ନଭେମ୍ବର ୯ ତାରିଖରେ ହେବାକୁ ଦିନ ଧାର୍ଯ୍ୟ ହୋଇଥିବାର ସୂଚନା ମିଳିଛି ।

Leave A Reply

Your email address will not be published.