Latest Odisha News

BREAKING NEWS

କିପରି ହେଲା କୋଣାର୍କ ମନ୍ଦିରର ଅବକ୍ଷୟ; କ’ଣ କହେ କିମ୍ବଦନ୍ତୀ

ଭୁବନେଶ୍ୱର:କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର  । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କ ଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ ।

ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହୋଇଯାଉଛି । ତେବେ କ’ଣ କହେ କିମ୍ବଦନ୍ତୀ, ଆସନ୍ତୁ ଜାଣିବା…

ମାଦଳା ପାଞ୍ଜି ଅନୁସାରେ, ମନ୍ଦିର ଧ୍ୱଂସ ହେବାର କାରଣ ସପକ୍ଷରେ ବହୁ କିମ୍ବଦନ୍ତୀ ପ୍ରଚଳିତ । ମାଦଳା ପାଞ୍ଜିର ଅନୁସାରେ, କଳାପାହାଡ଼ ଓଡ଼ିଶା ଆକ୍ରମଣ କରି ବହୁ ମନ୍ଦିର ଧ୍ୱଂସ କରିଥିଲା ।

ଓଡ଼ିଶା ଇତିହାସ ଅନୁସାରେ ୧୫୦୮ ଖ୍ରୀଷ୍ଟାବ୍ଦରେ କଳା ପାହାଡ଼ ଓଡ଼ିଶା ଆକ୍ରମଣ କରିଥିଲା ଓ କୋଣାର୍କ ମନ୍ଦିର ସମେତ ଓଡ଼ିଶାର ଅନେକ ମନ୍ଦିରକୁ ଧ୍ୱସ୍ତ ବିଧ୍ୱସ୍ତ କରି ଦେଇଥିଲା। ପୁରୀ ଜଗନ୍ନାଥ ମନ୍ଦିରରର ମାଦଳାପାଞ୍ଜିରେ ୧୫୬୮ ଖ୍ରୀଷ୍ଟାବ୍ଦରେ କଳାପାହାଡ଼ କେମିତି ଓଡ଼ିଶା ଆକ୍ରମଣ କରିଥିଲା ତାହା ବର୍ଣ୍ଣନା କରା ଯାଇଅଛି । ୨୦ ଫୁଟରୁ ୨୫ ଫୁଟର ପାଚେରୀ ଯୁକ୍ତ ଅନେକ ଓଡ଼ିଆ ମନ୍ଦିର ଓ ମନ୍ଦିରସ୍ଥ ଦେବଦେବୀଙ୍କୁ ସେ ଧ୍ୱଂସ କରିଥିଲା। କୌଣସି ଉପାୟରେ ସେ କୋଣାର୍କ ମନ୍ଦିରର ଦଧିନଉତିକୁ ସ୍ଥାନାନ୍ତରିତ କରିବାରେ ସଫଳ ହେବାରୁ ପୁରା ଦେଉଳଟି ଭାଙ୍ଗି ପଡ଼ିଲା। ମନ୍ଦିର ମୁଖଶାଳାର ଚୂଡ଼ାରେ ଅନେକ ପଥର ପଡ଼ିବାରୁ ତାହା ମଧ୍ୟ କେତେକାଂଶରେ ଭାଙ୍ଗି ଯାଇଥିଲା । ତା ସହିତ କଳାପାହାଡ଼ ମନ୍ଦିରର ଅନେକ ମୂର୍ତ୍ତି ଓ ପାର୍ଶ୍ୱ ଦେଉଳକୁ ମଧ୍ୟ ଧ୍ୱଂସ କରିଦେଇଥିଲା।

୧୫୬୮ ଖ୍ରୀଷ୍ଟାବ୍ଦରେ ଓଡ଼ିଶାରେ ମୁସଲମାନ ରାଜତ୍ୱ ଆରମ୍ଭ ହେଲା । ସେତେବେଳେ ହିନ୍ଦୁ ମନ୍ଦିରମାନଙ୍କୁ ଧ୍ୱଂସ କରିବାପାଇଁ ନିରନ୍ତର ଚେଷ୍ଟା କରାଯାଉଥିଲା । ଏପରିକି ପ୍ରଭୁ ଜଗନ୍ନାଥଙ୍କୁ ବଞ୍ଚାଇବାପାଇଁ ପଣ୍ଡାମାନେ ତାଙ୍କୁ ଲୁଚାଇ ଏକ ଗୋପନ ସ୍ଥାନକୁ ନେଇ ଯାଇଥିଲେ ।

ଏମିତିକି କୁହାଯାଏ ଯେ, କୋଣାର୍କର ପଣ୍ଡାମାନେ ଅଧିଷ୍ଠିତ ଦେବତା ସୂର୍ଯ୍ୟଙ୍କୁ ନେଇଯାଇ ବାଲି ତଳେ ପୋତି ଅନେକ ବର୍ଷ ପର୍ଯ୍ୟନ୍ତ ରଖିଥିଲେ । ପରେ ପରେ ଏହା ପୁରୀକୁ ନିଆଗଲା ଓ ଜଗନ୍ନାଥ ମନ୍ଦିର ବେଢ଼ାରେ ଥିବା ଇନ୍ଦ୍ରଙ୍କ ମନ୍ଦିରରେ ସ୍ଥାପିତ କରାଗଲା ।

ଆଉ କେହି କେହି ମତ ଦିଅନ୍ତି, କୋଣାର୍କ ମନ୍ଦିରରେ ଅନୁସୃତ ପୂଜାବିଧି ଆଜି ମଧ୍ୟ ଅଜ୍ଞାତ । ଆଉ କେହି କେହି କହନ୍ତି, କୋଣାର୍କରେ ଅଧ୍ୟୁଷିତ ସୂର୍ଯ୍ୟଦେବତାଙ୍କ ମୂର୍ତ୍ତି ଏବେ ଦିଲ୍ଲୀର ଜାତୀୟ ସଂଗ୍ରହାଳୟରେ ରହିଛି । ସୂର୍ଯ୍ୟଦେବତାଙ୍କ ମୂର୍ତ୍ତିକୁ ସ୍ଥାନାନ୍ତରିତ କରିନେବାପରେ ଏଠାରେ ସୂର୍ଯ୍ୟପୂଜା ବନ୍ଦ ହୋଇଯାଇଥିଲା । ଏହା ଫଳରେ ଏଠାକୁ କେହି ତୀର୍ଥ ଯାତ୍ରୀ ଆସିଲେ ନାହିଁ ।

ସମୟକ୍ରମେ ବହିର୍ଶତ୍ରୁ ଆକ୍ରମଣରୁ କୋଣାର୍କ ବନ୍ଦର ମଧ୍ୟ ବନ୍ଦ ହୋଇଗଲା । କିନ୍ତୁ ଦିନ ଥିଲା ଯେତେବେଳେ କୋଣାର୍କ ସହର ଥିଲା ସୂର୍ଯ୍ୟ ପୂଜାର ଗୌରବଶାଳୀ ପରମ୍ପରା ବହନ କରୁଥିବା ଉତ୍କଳୀୟ ନୌବାଣିଜ୍ୟର ବିଖ୍ୟାତ କେନ୍ଦ୍ରସ୍ଥଳୀ। ଧିରେ ଧରେ ଜନ ସମାଗମ କମି ଯିବାରୁ ଏହା ଜଙ୍ଗଲାବୃତ ହୋଇ ରହି ଯାଇଥିଲା ।

୧୬୨୬ ଖ୍ରୀଷ୍ଟାବ୍ଦରେ ଖୋର୍ଧାର ତତ୍କାଳୀନ ରାଜା ନରସିଂହଦେବ (ପୁରୁଷୋତ୍ତମ ଦେବଙ୍କର ପୁତ୍ର) ସୂର୍ଯ୍ୟଦେବତାଙ୍କ ମୂର୍ତ୍ତି, ଅନ୍ୟ ଦୁଇଟି ଭ୍ରାମ୍ୟମାଣ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ମୂର୍ତ୍ତି ସହିତ ପୁରୀକୁ ନେଇ ଯାଇଥିଲେ। ଏବେ ସେହି ମୂର୍ତ୍ତିମାନେ ଜଗନ୍ନାଥ ମନ୍ଦିର ବେଢାରେ ଥିବା ଏକ ମନ୍ଦିରରେ ପୂଜା ପାଉଛନ୍ତି । କୋଣାର୍କ ମନ୍ଦିର ମୁଖଶାଳାରେ ଏକ ବିଶାଳ ଶିଳାଖଣ୍ଡରେ ନିର୍ମିତ ଏକ ନବଗ୍ରହ ମୂର୍ତ୍ତି ରହିଥିଲା । ଖୋର୍ଦ୍ଧାର ତତ୍କାଳୀନ ରାଜା ଏହାକୁ ସ୍ଥାନାନ୍ତରିତ କରିଥିଲେ। ସେ ଏହାକୁ ବ୍ୟବହାର କରି ପୁରୀ ଜଗନ୍ନାଥ ମନ୍ଦିରରରେ ଖଞ୍ଜିଥିଲେ । ମରାଠା ଶାସନ କାଳରେ ପୁରୀ ଶ୍ରୀମନ୍ଦିରର ବେଢାର କିଛି ଅଂଶ କୋଣାର୍କରୁ ନିଆ ଯାଇଥିବା ପଥରରେ ତିଆରି କରାଯାଇଥିଲା ।

କୁହାଯାଏ ଯେ, ସବୁ ମନ୍ଦିର ଭିତରୁ କୋଣାର୍କ ମନ୍ଦିରର ନାଟ ମନ୍ଦିର ଅନେକ ଦିନ ପର୍ଯ୍ୟନ୍ତ ଯଥାବତ୍ ତିଷ୍ଠି ରହିଥିଲା। ପରେ ପରେ ଏହାକୁ ଭାଙ୍ଗି ଦିଆ ଯାଇଥିଲା, କାରଣ ମରାଠାମାନେ ଏହାକୁ ଏକ ଅନାବଶ୍ୟକ ସଂରଚନା ବୋଲି ଜ୍ଞାନ କରିଥିଲେ। ୧୭୭୯ରେ ଜଣେ ମରାଠା ସାଧୁ ଏଠାକାର ଅରୁଣ ଖମ୍ବକୁ ନେଇ ପୁରୀ ଶ୍ରୀମନ୍ଦିରର ସିଂହଦ୍ୱାର ସାମନାରେ ସ୍ଥାପନ କରାଇଥିଲେ । ତେଣୁ ଅଷ୍ଟାଦଶ ଶତାବ୍ଦୀର ଶେଷ ଆଡ଼କୁ କୋଣାର୍କ ନିଜର ସମସ୍ତ ଗୌରବ ହରାଇ ସାରିଥିଲା ଓ ଧିରେ ଧିରେ ଏହା ପରିତ୍ୟକ୍ତ ହୋଇ ଜଙ୍ଗଲ ଓ ବାଲିରେ ଲୁପ୍ତ ହୋଇ ହିଂସ୍ର ଜନ୍ତୁ ଓ ଦସ୍ୟୁମାନଙ୍କର ଆଡ୍ଡାସ୍ଥଳୀ ହୋଇ ଯାଇଥିଲା । କୁହାଯାଏ ଯେ, ସ୍ଥାନୀୟ ଲୋକମାନେ ବି ଦିନ ଦି ପହରେ ଏଠାକୁ ଯିବାକୁ ଡରୁଥିଲେ ।

Leave A Reply

Your email address will not be published.