Latest Odisha News

ଉଦଯାପିତ ହେଲା ବିଶ୍ୱ ପ୍ରସିଦ୍ଧ କୋଣାର୍କ ମହୋତ୍ସବ; ଶେଷ ସନ୍ଧ୍ୟାରେ ଓଡ଼ିଶୀରେ କୃଷ୍ଣଗାଥା ଓ କଥକରେ ପ୍ରେମର ଉଚ୍ଛ୍ୱାସ

କୋଣାର୍କ : ସ୍ଥାପତ୍ୟ, ଭାସ୍କର୍ଯ୍ୟ ଓ ରମ୍ୟକଳାର କିର୍ତ୍ତୀସ୍ତମ୍ଭ କୋଣାର୍କ ସୂର୍ଯ୍ୟମନ୍ଦିର ପାଦଦେଶର ଚିତ୍ରିତ ପରିବେଶରେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀଙ୍କ ଭଙ୍ଗିମା ଓ ଛନ୍ଦାୟିତ ପଦଚାଳନା ନେଇ ଆସିଥିଲା ଏକ ଆବେଗମୟ ଭାବ । ଅବସର ଥିଲା ପର୍ଯ୍ୟଟନ ବିଭାଗ ଆୟୋଜିତ କୋର୍ଣାକ ଉତ୍ସବର ଉଦ୍‍ଯାପନୀ ସଂଧ୍ୟା । ଉଜ୍ୱଳ ଆଲୋକ ଓ ଶୋଭନୀୟ ସାଜସଜ୍ଜାରେ ମୁକ୍ତାକାଶ ମଞ୍ଚ ସ୍ୱାଗତ କରିଥିଲା ଶାସ୍ତ୍ରୀୟ ନୃତ୍ୟର ପ୍ରଖ୍ୟାତ ଶିଳ୍ପୀଗଣଙ୍କୁ ।

ପ୍ରଥମ ଚରଣରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରସ୍ତୁତି ଥିଲା ଦେବ ଆରାଧନା ସମ୍ବଳିତ ମଙ୍ଗଳାଚରଣ ଓ ଶଙ୍କରାଭରଣ ପଲ୍ଲବୀ । ଶୁଦ୍ଧ ନୃତ୍ୟ ପଲ୍ଲବୀରେ ଗୁରୁ କେଳୁଚରଣ ମହାପାତ୍ରଙ୍କ ନୃତ୍ୟ ସଂଯୋଜନା ଓ ଗୁରୁ ଭୁବନେଶ୍ୱର ମିଶ୍ରଙ୍କ ସଙ୍ଗୀତ ସଂଯୋଜନାକୁ ନିଖୁଣଭାବେ ପରଶି ଦେଇଥିଲେ ଗବେଷଣା କେନ୍ଦ୍ରର ସଫଳ ସୃଷ୍ଟିଗଣ ।

ଏହାପରେ ପି. ଭି. କୃଷ୍ଣମୂର୍ତ୍ତିଙ୍କ ପରିକଳ୍ପନା ଆଧାରରେ ଗବେଷଣା କେନ୍ଦ୍ରରେ ସଂଯୋଜିତ ହୋଇଥିବା ନୃତ୍ୟାଭିନୟ କୃଷ୍ଣଗାଥାକୁ ଉପସ୍ଥାପନ କରିଥିଲେ ଶିଳ୍ପୀ ବୃନ୍ଦ । ଓଡ଼ିଶାର ମଧ୍ୟଯୁଗୀୟ ବୈଷ୍ଣବ କବିମାନଙ୍କର ରଚନାକୁ ନେଇ ରାଧା-କୃଷ୍ଣଙ୍କ ପ୍ରତି ବିଳାସର ଏକ ସମ୍ପୂର୍ଣ୍ଣ ଚିତ୍ରକୁ ମଞ୍ଚସ୍ଥ କରିଥିଲେ ଶିଳ୍ପୀମାନେ । ଓଡ଼ିଶୀ, ଚମ୍ଭୁ, ଛାନ୍ଦ ଓ ଗୀତଗୋବିନ୍ଦର ମଧୁର ପଦାବଳୀରେ ବେଶ ମନଛୁଆଁ ଥିଲା । ଗୁରୁ କେଳୁଚରଣ ମହାପାତ୍ରଙ୍କ ସଂଯୋଜିତ ନୃତ୍ୟ, କସ୍ତୁରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶନା ଓ ପରିଚାଳନାରେ ଗବେଷଣା କେନ୍ଦ୍ରର ପରିବେଷଣ ଦର୍ଶକଙ୍କୁ ବିମୁଗ୍ଧ କରିଥିଲା ।

ଦ୍ୱିତୀୟ ପର୍ଯ୍ୟାୟରେ ଶାସ୍ତ୍ରୀୟ କଥକ ନୃତ୍ୟକୁ ନେଇ ମଞ୍ଚ ପ୍ରବେଶ କରିଥିଲେ ଅଦିତି ମଙ୍ଗଳ ଦାସ ଓ ସାଥୀ ଶିଳ୍ପୀ । ଦିଲ୍ଲୀସ୍ଥିତ ଦୃଷ୍ଟିକୋଣ ଡ଼୍ୟାନ୍ସ ଫାଉଣ୍ଡେସନର ଶିଳ୍ପୀଗଣଙ୍କ ପରିବେଷଣରେ ପ୍ରେମର ନିରନ୍ତରତାକୁ ନେଇ ପ୍ରସ୍ତୁତ ହୋଇଥିଲା କଥକ ଶୈଳୀରେ ଫିଦା । ଫିଦାର ପ୍ରଥମ ନିବେଦନ ଥିଲା ଗଣେଶ ସ୍ତୁତି । ପ୍ରେମରେ ଭାକ୍ତିକ ସମର୍ପଣର ଚେତନାକୁ ତୋଳି ଧରିଥିଲେ ଶିଳ୍ପୀଗଣ । ପରେ ପରେ ପ୍ରେମରେ ଭାବ ଓ ଉଚ୍ଛ୍ୱାସର ତରଙ୍ଗକୁ ମଞ୍ଚରେ ଖେଳାଇ ଦେଇଥିଲେ ନୃତ୍ୟାଙ୍ଗନା । ସଙ୍ଗୀତ ସଂଯୋଜନାକୁ ନେଇ ଗଙ୍ଗା ଯମୁନା ଓ ସ୍ୱରସ୍ୱତୀଙ୍କର ତ୍ରୀବେଣୀକୁ ଗାୟନ ଓ ବାଦନରେ ଶିଳ୍ପୀ ପରସି ଦେଇଥିବା ବେଳେ କଥକର ଅନ୍ତିମ ପ୍ରସ୍ତୁତି ଥିଲା ପ୍ରେମର ସମ୍ମୋହ ।

ପାଞ୍ଚଦିନ ବ୍ୟାପି କୋଣାର୍କ ଉତ୍ସବର ଅନ୍ତିମ ସଂଧ୍ୟାରେ ପ୍ରଦୀପ ପ୍ରଜ୍ୱୋଳନ ପୂର୍ବକ ସଂସ୍କୃତିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଓଡ଼ିଆ ଭାଷ. ସାହିତ୍ୟ, ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ପର୍ଯ୍ୟଟନ ବିଭାଗର ସଚିବ ବିଶାଲ କୁମାର ଦେବ୍‍ ଏବଂ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ କୁମାର ଯାଦବ । ଅଧ୍ୟାପକ ଡ଼. ମୃତ୍ୟୁଞ୍ଜୟ ରଥ ଓ ସଂହତି ପାଣି କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ପର୍ଯ୍ୟଟନ ବିଭାଗର ଅଧିକାରୀ, ସଙ୍ଗୀତ ନାଟକ ଏକାଡ଼େମୀ ସଚିବ ଓ ଗବେଷଣା କେନ୍ଦ୍ର ମୁଖ୍ୟ ନିର୍ବାହୀ ପରିଚାଳନାରେ ସହାୟତା କରିଥିଲେ ।

ସେପଟେ ଚନ୍ଦ୍ରଭାଗାର ବେଳାଭୁମିରେ ଆନ୍ତର୍ଜାତୀୟ ବାଲୁକାକଳାର ସୁନ୍ଦର ପଦର୍ଶନୀକୁ ଦେଖିବା ପାଇଁ ଭିଡ଼ ପରିଲକ୍ଷିତ ହୋଇଥିଲା । ଏବେ କୋଭିଡ଼ କଟକଣା ନିୟମ ଅନୁପାଳନରେ ସମସ୍ତଙ୍କୁ ସୃଙ୍ଖଳିତଭାବେ ପରିକ୍ରମା କରିବାର ସୁଯୋଗ ଦିଆଯାଇଥିଲା ।

Leave A Reply

Your email address will not be published.