Latest Odisha News

କେବେ ଗଠନ ହୋଇଥିଲା ପ୍ରଥମ ବେତନ କମିଶନ, ଜାଣନ୍ତୁ ଏହାର ଇତିହାସ

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ବଡ ଉପହାର ଦେଇଛନ୍ତି କେନ୍ଦ୍ର ସରକାର । ଅଷ୍ଟମ ବେତନ କମିଶନ ଗଠନକୁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର ସରକାର। ଏହା ଦ୍ଵାରା କେନ୍ଦ୍ର ସରକାରଙ୍କ ସମସ୍ତ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ । ତେବେ ଏହି ବେତନ କମିଶନ କେବେ ଗଠନ କରାଯିବ, ସେନେଇ ସ୍ପଷ୍ଟ ହୋଇନଥିବା ବେଳେ ୨୦୨୬ରୁ ଅଷ୍ଟମ ବେତନ କମିଶନ ଲାଗୁ ହେବ ବୋଲି ସୂଚନା ମିଳିଛି । ଏହା ଦ୍ଵାରା ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି ହେବା ସହ କେନ୍ଦ୍ର ବଜେଟ ମଧ୍ୟ ବଢିବା ନେଇ ଆଶା କରାଯାଉଛି । ତେବେ ସପ୍ତମ ବେତନ କମିଶନ ଲାଗୁ ହେବାର ୧୦ ବର୍ଷ ପରେ କେନ୍ଦ୍ର ସରକାର ଅଷ୍ଟମ ବେତନ କମିଶନକୁ ମଞ୍ଜୁରୀ ଦେଇଛନ୍ତି । ଏହାଦ୍ଵାରା କେନ୍ଦ୍ର କର୍ମଚାରୀଙ୍କ ମୌଳିକ ବେତନରେ ୧୮୬ ପ୍ରତିଶତ ବୃଦ୍ଧି ଘଟିବ ବୋଲି କୁହାଯାଉଛି । ବର୍ତ୍ତମାନ ସର୍ବନିମ୍ନ ଦରମା ୧୮,୦୦୦ ଥବା ବେଳେ ଅଷ୍ଟମ ବେତନ କମିଶନ ଲାଗୁ ହେବା ପରେ ଏହା ୫୧,୪୮୦କୁ ବୃଦ୍ଧି ପାଇବ । ତେବେ କଣ ଆପଣ ଜାଣନ୍ତି ଭାରତରେ ପ୍ରଥମ ବେତନ କମିଶନ କେବେ ଗଠନ କରାଯାଇଥିଲା ? ଏବଂ ଏହି ସମୟରେ ସରକାରୀ କର୍ମଚାରୀଙ୍କ ଦରମା କେତେ ଥିଲା ? ଆସନ୍ତୁ ଜାଣିବା ବେତନ କମିଶନର ଇତିହାସ ବିଷୟରେ….

ବେତନ କମିଶନ କ’ଣ

ବେତନ କମିଶନ ହେଉଛି କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଏକ କମିଟି, ଯାହା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବେତନ ସଂରଚନାକୁ ସମୀକ୍ଷା କରେ ଏବଂ ଏଥିରେ ପରିବର୍ତ୍ତନ ଆଣିବାକୁ ପରାମର୍ଶ ଦେଇଥାଏ । ଏହା ସହିତ, ଏହି ପ୍ୟାନେଲ୍ କେନ୍ଦ୍ର କର୍ମଚାରୀଙ୍କ ବୋନସ୍, ସର୍ବନିମ୍ନ ବେତନ, ଭତ୍ତା ଏବଂ ଅନ୍ୟାନ୍ୟ ସୁବିଧା ସମୀକ୍ଷା କରିବା ପରେ ନୂତନ ସୁପାରିଶ କରେ । ଏହାର ସୁପାରିଶ କେନ୍ଦ୍ରୀୟ କର୍ମଚାରୀ ତଥା ପେନସନଭୋଗୀଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ହୋଇଥାଏ । ସାଧାରଣତଃ ପ୍ରତି ୧୦ ବର୍ଷରେ ଥରେ ବେତନ କମିଶନ ଗଠନ କରାଯାଏ ।

ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ସାତୋଟି ବେତନ କମିଶନ ଗଠନ କରାଯାଇଛି। ମେ ୧୯୪୬ ରୁ ମେ ୧୯୪୭ ମଧ୍ୟରେ ପ୍ରଥମ ବେତନ କମିଶନ ଗଠନ କରାଯାଇଥିଲା । ଏହି ବେତନ କମିଶନର ଅଧ୍ୟକ୍ଷ ଥିଲେ ଶ୍ରୀନିବାସ ବରଦାଚାର୍ଯ୍ୟ । ଏହି ବେତନ କମିଶନରେ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ସର୍ବନିମ୍ନ ମାସିକ ଦରମା ୫୫ ଟଙ୍କା ଏବଂ ସର୍ବାଧିକ ଦରମା ୨୦୦୦ ଟଙ୍କା ଥିଲା । ସେତେବେଳେ ପ୍ରାୟ ୧୫ଲକ୍ଷ କର୍ମଚାରୀ ଏହାର ଲାଭ ଉଠାଇଥିଲେ । ଧିରେ ଧିରେ ନୂତନ ବେତନ କମିଶନ ଲାଗୁ ହେବା ସହ କର୍ମଚାରୀଙ୍କ ସର୍ବନିମ୍ନ ବେତନ ମଧ୍ୟ ବଢିଥିଲା ।

ଏହାପରେ ଦ୍ୱିତୀୟ ବେତନ କମିଶନ ସ୍ଵାଧିନତାର ପରେ ଅର୍ଥାତ୍ ପ୍ରଥମ ବେତନ କମିଶନର ୧୦ ବର୍ଷ ପରେ ଲାଗୁ କରାଯାଇଥିଲା । ୧୯୫୭ ଅଗଷ୍ଟ ମାସରେ ଲାଗୁ ହୋଇଥିଲା ଦ୍ଵିତୀୟ ବେତନ କମିଶନ । ଏଥିରେ କର୍ମଚାରୀଙ୍କ ସର୍ବନିମ୍ନ ଦରମା ୮୦ ଟଙ୍କାକୁ ବୃଦ୍ଧି ପାଇଥିଲା । ଏହି ବେତନ କମିଶନର ଅଧ୍ୟକ୍ଷ ଥିଲେ ଜଗନ୍ନାଥ ଦାସ । ସେହିପରି ଏପ୍ରିଲ ୧୯୭୦ରେ ଲାଗୁ ହୋଇଥିଲା ତୃତୀୟ ବେତନ କମିଶନ । କିନ୍ତୁ ଏହାର ରିପୋର୍ଟ ୧୯୭୩ରେ ଦିଆଯାଇଥିଲା । ଏହା ପ୍ରଥମ ବେତନ କମିଶନ ଥିଲା ଯେଉଁଥିରେ ସଶସ୍ତ୍ର ବାହିନୀ ଏବଂ ବେସାମରିକ ସରକାରୀ କର୍ମଚାରୀଙ୍କ ବେତନ ଗଠନ ଯାଞ୍ଚ କରାଯାଇଥିଲା। ଏଥିରେ ସର୍ବନିମ୍ନ ଦେୟ ୧୯୬ ଥିଲା । ଏବଂ ଏହି ବେତନ କମିଶନର ଅଧ୍ୟକ୍ଷ ଥିଲେ ରଘୁବୀର ଦୟାଲ ।

ଏହାପରେ ୧୯୮୩ ଜୁନରେ ଲାଗୁ ହୋଇଥିଲା ଚତୁର୍ଥ ବେତନ କମିଶନ । ଏହି ବେତନ କମିଶନର ଅଧ୍ୟକ୍ଷ ପିଏନ ସିଙ୍ଘାଲ ଥିଲେ । ଏବଂ ଏହି ବେତନ କମିଶନରେ କର୍ମଚାରୀଙ୍କ ସର୍ବନିମ୍ନ ଦେୟ ୭୫୦ ଟଙ୍କା ଥିଲା । ସେହିପରି ୯ ଏପ୍ରିଲ ୧୯୯୪ରେ ଲାଗୁ ହୋଇଥିଲା ପଞ୍ଚମ ବେତନ କମିଶନ । ଏହି ବେତନ କମିଶନର ସର୍ବନିମ୍ନ ଦେୟ ୨୫୫୦ ଥିବା ବେଲେ ଏହାର ଅଧ୍ୟକ୍ଷ ଥିଲେ ଏସ. ରତ୍ନଭେଲ ପାଣ୍ଡିଆନ । ଏହାପରେ ଜୁଲାଇ ୨୦୦୬ରେ ଲାଗୁ ହେଲା ଷଷ୍ଠ ବେତନ କମିଶନ । ଏହାର ଅଧ୍ୟକ୍ଷ ବିଏନ ଶ୍ରୀକ୍ରିଷ୍ଣା ଥିବା ବେଳେ ଏହି ବେତନ କମିଶନର ସର୍ବନିମ୍ନ ଦେୟ ୭୦୦୦ ଥିଲା । ଶେଷରେ ୨୫ ସେପ୍ଟେମ୍ବର ୨୦୧୩ରେ ଲାଗୁ ହୋଇଥିଲା ସପ୍ତମ ବେତନ କମିଶନ । ଏ.କେ ମାଥୁରଙ୍କ ଅଧ୍ୟକ୍ଷତାରେ ଏହାର କମିଟି ଗଠନ ହୋଇଥିବା ବେଳେ ଏହି ବେତନ କମିଶନରେ ସର୍ବନିମ୍ନ ଦେୟ ୧୮୦୦୦କୁ ବଢାଯାଇଥିଲା ।

Comments are closed.