Latest Odisha News

BREAKING NEWS

ଜାଣନ୍ତୁ, ପୁରୀ ‘ରଥଯାତ୍ରା’ ନୀତି ନିର୍ଘଣ୍ଟର ସୂଚୀ…

ପୁରୀ : ଆଉ ମାତ୍ର ୩ଟି ସପ୍ତାହ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥ ଯାତ୍ରା ପୁରୀରେ ଆରମ୍ଭ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଶନିବାର ଦିନ ଛତିଶା ନିଯୋଗ ପକ୍ଷରୁ ଆୟୋଜିତ ଏକ ବୈଠକରେ ମହାପ୍ରଭୁଙ୍କ ନୀତିକାନ୍ତି ସୂଚୀ ନିର୍ଘଣ୍ଟ ହୋଇଛି ।

ଏହି ବୈଠକରେ ସ୍ନାନ ପୂର୍ଣ୍ଣିମା, ନବଯୌବନ, ରଥ ଯାତ୍ରା, ସାନ୍ଧ୍ୟ ଦର୍ଶନ, ବାହୁଡା ଯାତ୍ରା, ସୁନା ବେଶ, ଅଧରପଣା, ନିଳାଦ୍ରୀ ବିଜେ ସହ ଅନ୍ୟାନ୍ୟ ନୀତି ଉପରେ ଛତିଶା ନିଯୋଗ ମୋହର ମାରିଛି ।

ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଗରାବଡୁ ନିଯୋଗର ସମ୍ପାଦକ ରଜତ କୁମାର ପ୍ରତିହାରୀ କହିଛନ୍ତି ଯେ, ରଥ ଯାତ୍ରାରେ ଜୁଲାଇ ୪ ତାରିଖ ସକାଳ ୯ଟାରୁ ପହଣ୍ଡି ଆରମ୍ଭ ହେବ । ଆହୁରି ମଧ୍ୟ ନିର୍ଘଣ୍ଟ ସମୟରେ ସମସ୍ତ ନୀତିକାନ୍ତି ସୂଚାରୁ ରୂପେ ପରିଚାଳନା କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି ।

ପାଖାପାଖି ସନ୍ଧ୍ୟା ୭ଟା ଯାଏଁ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ‘ସାନ୍ଧ୍ୟ ଦର୍ଶନ’ କରିପାରିବେ। ଏଥିସହିତ ମହାପ୍ରସାଦ ବିକ୍ରି ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ଶ୍ରୀଯୁକ୍ତ ପ୍ରତିହାରୀ ସୂଚନା ପ୍ରଦାନ କରିଛନ୍ତି ।

ଏହି ବୈଠକରେ ପୁରୀ ଜିଲ୍ଲାପାଳ ବଳବନ୍ତ ସିଂହ, ଏସପି ଉମା ଶଙ୍କର ଦାସ, ଶ୍ରୀମନ୍ଦିର ନୀତି ପ୍ରଶାସକ ବିଶ୍ୱଜିତ ବିଶ୍ୱାଳ ଓ ଛତିଶା ନିଯୋଗର ବରିଷ୍ଠ ସେବାୟତମାନେ ଉପସ୍ଥିତ ରହିଥିଲେ ।

ସ୍ନାନ ପୂର୍ଣ୍ଣିମା- ଜୁନ୍ ୧୭

ମଙ୍ଗଳାର୍ପଣ- ଭୋର୍ ୪ଟା, ପହଣ୍ଡି- ସାଢ଼େ ୪ରୁ ସାଢ଼େ ୬ଟା, ମଙ୍ଗଳ ଆଳତି- ସକାଳ ୭ଟା, ମଇଲମ-ସାଢ଼େ ୭ଟା, ତଡ଼ପଲାଗି-୮ଟା, ଅଧରପୋଛା – ସକାଳ ସାଢ଼େ ୮ଟା, ଅବକାଶ- ୯ଟା, ବେଶ ଶେଷ- ସାଢ଼େ ୯ଟା, ରୋଷହୋମ- ୯ଟା ୩୦ରୁ ୯ଟା ୪୦ମି., ସୂର୍ଯ୍ୟପୂଜା- ପୂର୍ବାହ୍ଣ ୧୦ଟା, ଜଳବିଜେ, ପୂଜା ଓ ସ୍ନାନ- ପୂର୍ବାହ୍ଣ ୧୧ରୁ ଅପରାହ୍ଣ ୨ଟା, ମଇଲମ- ଅପରାହ୍ଣ ସାଢ଼େ ୨ଟା, ଛେରାପହଁରା- ସାଢ଼େ ୩ଟା, ଗଜବେଶ- ଅପରାହ୍ଣ ୪ରୁ ୫ଟା, ମହନ୍ତ ଶାଢ଼ୀ ବନ୍ଧା- ସନ୍ଧ୍ୟା ୫ଟା, ଘଣ୍ଟଛତା ଓ ସକାଳ ଧୂପ- ସାଢ଼େ ୫ଟାରୁ ସାଢ଼େ ୭ଟା, ସାହାଣମେଲା ଦର୍ଶନ- ରାତି ସାଢ଼େ ୭ରୁ ସାଢ଼େ ୯ଟା, ଦକ୍ଷିଣଘେରା ଭୋଗ- ରାତି ସାଢେ ୮ଟା, ପୁଷ୍ପାଞ୍ଜଳି ଓ ଡୋରଲାଗି- ରାତି ୧୦ଟା, ବାହୁଡ଼ା ପହଣ୍ଡି- ସାଢ଼େ ୧୦ରୁ ସାଢ଼େ ୧ଟାଏ ଯାଏଁ, ସୁନାଚିତା ଓ ରାହୁରେଖା ମଇଲମ- ରାତି ୨ଟାରେ ନୀତି ଅନୁଷ୍ଠିତ ହେବ।

ରଥ ଯାତ୍ରା- ଜୁଲାଇ ୪

ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି ଓ ରୋଷହୋମ- ସକାଳ ୬ରୁ ସାଢ଼େ ୬ଟା ଭିତରେ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶ ଶେଷ- ୭ଟାରୁ ସାଢ଼େ ୭ଟା, ଗୋପାଳବଲ୍ଲଭ ଓ ସକାଳ ଧୂପ (ଖେଚୁଡ଼ି ଭୋଗ)- ସକାଳ ୯ଟା ଭିତରେ, ରଥ ପ୍ରତିଷ୍ଠା- ସକାଳ ୯ଟା, ମଙ୍ଗଳାର୍ପଣ- ୯ଟା୧୫, ପହଣ୍ଡି- ସାଢ଼େ ୯ଟା, ମଦନମୋହନ ବିଜେ- ସାଢ଼େ ୧୨ରୁ ଅପରାହ୍ଣ ଗୋଟାଏ, ଚିତାଲାଗି ଓ ବେଶ ଶେଷ- ସାଢ଼େ ଗୋଟାଏରୁ ସାଢ଼େ ୨ଟା, ଛେରାପହଁରା- ଦ୍ୱିପ୍ରହର ୨ଟାରୁ ୩ଟା, ଚାରମାଳ ଫିଟା- ଅପରାହ୍ଣ ୩ରୁ ୪ଟା, ରଥଟଣା- ଅପରାହ୍ଣ ୪ଟାରେ ଆରମ୍ଭ ହେବ।

ବାହୁଡା ଯାତ୍ରା ସମୟରେ ଶ୍ରୀଜୀଉଙ୍କ ପହଣ୍ଡି ବିଜେ ଦିନ ସାଢେ ୧୨ଟାରୁ ଦ୍ୱିପ୍ରହର ସାଢେ ୨ଟା ମଧ୍ୟରେ ଅନୁଷ୍ଠିତ ହେବ । ପରେ ଅପରାହ୍ନ ୪ଟା ବେଳକୁ ରଥଟଣା ଆରମ୍ଭ ହେବ ।

ଜାଣନ୍ତୁ, ମହାପ୍ରଭୁଙ୍କ କେଉଁ ନୀତିକାନ୍ତି କେବେ ଅନୁଷ୍ଠିତ ହେବ-

ଦେବସ୍ନାନ ପୂର୍ଣ୍ଣିମା- ଜୁନ୍ ୧୭, ନବଯୌବନ ଦର୍ଶନ- ଜୁଲାଇ ୨, ରଥଯାତ୍ରା- ଜୁଲାଇ ୪, ସାନ୍ଧ୍ୟ ଦର୍ଶନ- ଜୁଲାଇ ୧୧, ବାହୁଡା ଯାତ୍ରା- ଜୁଲାଇ ୧୨, ସୁନାବେଶ- ଜୁଲାଇ ୧୩ ଏବଂ ନିଳାଦ୍ରୀ ବିଜେ- ଜୁଲାଇ ୧୫ ତାରିଖରେ ଅନୁଷ୍ଠିତ ହେବ ।

Leave A Reply

Your email address will not be published.