Latest Odisha News

ଭାଇରାଲ୍ ପୋଷ୍ଟମର୍ଟମ: ବେଳାଭୂମିରେ ମଜା ନେଉଥିବା ହରିଣର ଭାଇରାଲ୍ ଭିଡିଓର ସତ୍ୟତା ଜାଣନ୍ତୁ!

ଭୁବନେଶ୍ୱର: ଲକ୍ ଡାଉନ ବେଳେ ପୁରୀ କୋଣାର୍କ ବେଳାଭୁମିରେ ଡିଆଁ ମାରୁଥିବା ହରିଣର ତଥାକଥିତ ଭିଡିଓ ଏବେ ଓଡିଶାରେ ବେଶ୍ ଭାଇରାଲ୍ ହୋଇଛି । ପ୍ରାୟ ଏକ ମିନିଟ୍ ପନ୍ଦର ସେକେଣ୍ଡର ଏହି ଭିଡ଼ିଓରେ ଜନଶୂନ୍ୟ ବେଳାଭୁମିରେ ଏକ ହରିଣଟି ଦୌଡି କୁଦି ଓ ଡିଆଁମାରି ସମୁଦ୍ରର ଢେଉର ମଜା ନେଉଥିବା ଦେଖିବାକୁ ମିଳୁଛି । କୌତୁକିଆ ହରିଣଟି କେତେବେଳେ ଓଦା ବାଲି ଓ ଅଳ୍ପ ପାଣିରେ ଦୌଡୁଛି ତ କେତେବେଳେ ନିଜକୁ ସାଗର ଢେଉରେ ଭିଜାଇ ଖୁସିରେ ଡିଆଁ ମାରୁଛି ।

ଓଡିଶାରେ ଏବେ ଭାଇରାଲ୍ ହୋଇଥିବା ଏହି ଭିଡିଓ ପୁରୀ କୋଣାର୍କ ବେଳାଭୁମିରେ ବର୍ତ୍ତମାନ ଚାଲିଥିବା କରୋନା ଲକ୍‌ଡାଉନ୍ ବେଳର ବୋଲି ଅନେକ ହ୍ୱାଟ୍ସଆପ୍ ଓ ସୋସିଆଲ୍ ମିଡିଆରେ ଦର୍ଶାଉଥିବା ଦେଖାଯାଇଛି ।

ତେବେ ଏହାର ସତ୍ୟାସତ୍ୟ ପରଖିବା ପାଇଁ ଏହି ଭିଡିଓର ଡିଜିଟାଲ୍ ପୋଷ୍ଟମର୍ଟମ କରିଥଲା ଓଡିଶା ସମ୍ବାଦର ଭାଇରାଲ୍ ପୋଷ୍ଟମର୍ଟମ ଟିମ୍ ।
ଡିଜିଟାଲ୍ ପୋଷ୍ଟମର୍ଟମ ପରେ ଏହା ଫ୍ରାନ୍ସର ଦକ୍ଷିଣ ପଶ୍ଚିମ ଅଂଚଳର ଏକ ବେଳାଭୁମିରେ ପ୍ରାୟ ପାଞ୍ଚବର୍ଷ ପୂର୍ବେ ଆନ୍ଥୋନୀ ମାର୍ଟିନ୍‌ଙ୍କ ଦ୍ୱାରା ଏକ ଫିଲ୍ମ ସୁଟିଙ୍ଗ୍ ବେଳେ ନିଆଯାଇଥିବା ପୂରୂଣା ଭିଡିଓ ବୋଲି ଜଣାପଡିଛି । ଫେସ୍‌ବୁକ୍‌ରେ ଏହା ୨୦୧୫ ନଭେମ୍ବରରେ ଅପ୍‌ଲୋଡ୍ କରାଯାଇଥିବା ଦେଖିବାକୁ ମିଳିଛି ।

ସୂଚନା ଯୋଗ୍ୟ ଯେ ଲକ୍ ଡାଉନ ଯୋଗୁଁ ରାସ୍ତାଘାଟ ଜନଶୂନ୍ୟ ହେବା ପରେ ଦେଶର ଗୁରୁଗ୍ରାମ, ନୋଇଡା, ଡେରାଡୁନ, ଉଟି ଭଳି ସହରରେ ରାଜରାସ୍ତାରେ ହରିଣ, ସମ୍ବର, ମୟୂର ଭଳି ଅନେକ ବନ୍ୟପ୍ରାଣୀ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି । ଏଥିସହିତ ଅନେକ ପୁରୁଣା ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ବର୍ତ୍ତମାନ ସମୟର ବୋଲି ଘୁରିବୁଲଛି । ତେଣୁ ଏଭଳି କୌଣସି ଭିଡିଓ ସେୟାର କରିବା ପୂର୍ବରୁ ସତ୍ୟାସତ୍ୟ ପରଖି ନିଅନ୍ତୁ ।

Leave A Reply

Your email address will not be published.