ନୂଆଦିଲ୍ଲୀ: IPL2025 ପାଇଁ ସବୁ ସେଟ୍ ହୋଇସାରିଣି । ମେଗା ଲିଗ୍ ୨୨ମାର୍ଚ୍ଚରୁ ଆରମ୍ଭ ହେବ । ତେବେ ଏହି ସିଜନ ଆରମ୍ଭ ହେବା ପୂର୍ବରୁ ବିରାଟ କୋହଲିଙ୍କ ପୁରୁଣା ସାଥୀ ଖେଳାଳି ବେଶ୍ ଚର୍ଚ୍ଚାରେ ଅଛନ୍ତି । ଅଣ୍ଡର -19 ବିଶ୍ୱକପରେ ବିରାଟଙ୍କ ସହ ଖେଳିଥିଲେ ସେହି ଖେଳାଳି ଏବଂ ଶ୍ରେଷ୍ଠ ସ୍କୋରର ହୋଇଥିଲେ। ସେହି ବାମହାତୀ ବ୍ୟାଟ୍ସମ୍ୟାନ୍ ଛଅଟି ଇନିଂସରେ ୨୬୨ ରନ୍ ସଂଗ୍ରହ କରିଥିଲେ ଏବଂ ଅଣ୍ଡର -19 ବିଶ୍ୱକପ ୨୦୦୮ରେ ସର୍ବାଧିକ ରନ୍ ସ୍କୋର କରିଥିଲେ। ଏବେ ସେହି ଖେଳାଳି IPL2025ରେ ଅମ୍ପାୟାର ଭାବରେ ଦାୟିତ୍ବ ତୁଲାଇବେ ।
ଉତ୍ତରପ୍ରଦେଶର କାନପୁରରେ ଜନ୍ମଗ୍ରହଣ କରିଥିବା ତନ୍ମୟ ଶ୍ରୀବାସ୍ତବ ଆଇପିଏଲ ୨୦୨୫ରେ ଅମ୍ପାୟାରିଂ କରୁଥିବାରୁ ଦେଖିବାକୁ ମିଳିବ । ଏହା ସହିତ ସେ ପ୍ରଥମ ଖେଳାଳି ହେବେ ଯିଏ ଆଇପିଏଲରେ ଖେଳିବା ବ୍ୟତୀତ ଅମ୍ପାୟାର ମଧ୍ୟ ହେବେ। ୩୫ବର୍ଷୀୟ ବ୍ୟାଟ୍ସମ୍ୟାନ୍ କିଙ୍ଗସ୍ ଏକାଦଶ ପଞ୍ଜାବ (ବର୍ତ୍ତମାନ ପଞ୍ଜାବ କିଙ୍ଗ୍ସ) ର ଏକ ଅଂଶ ଥିଲେ। ସେ ୨୦୦୮ ଏବଂ ୨୦୦୯ରେ ଏହି ଦଳ ପାଇଁ ଖେଳିଥିଲେ ।
ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ପକ୍ଷରୁ ଘରୋଇ କ୍ରିକେଟ ଖେଳିବା ପରେ ତନ୍ମୟ ୨୦୨୦ରେ ଅବସର ଘୋଷଣା କରିଥିଲେ । ଏହାପରେ ସେ ଏନସିଏରେ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିବା ସହ ଅମ୍ପାୟାର ପରୀକ୍ଷା ଦେଇଥିଲେ । ଲେଭଲ-୨ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ତନ୍ମୟଙ୍କୁ ବିସିସିଆଇ ଅମ୍ପାୟର ପ୍ୟାନେଲରେ ସ୍ଥାନ ଦେଇଛି ।