Latest Odisha News

BREAKING NEWS

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା, ଆଜିଠୁ ଦେଶବ୍ୟାପୀ ଓପିଡି ସେବା ବନ୍ଦ ଡାକରା

କୋଲକାତା: ଆର.ଜି. କର ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ତେଜିବାରେ ଲାଗିଛି ଆନ୍ଦୋଳନ। ଫେଡେରେସନ ଅଫ ଅଲ ଇଣ୍ଡିଆ ମେଡିକାଲ ଆସୋସିଏସନ (FAIMA) ଦେଶବ୍ୟାପୀ ଆନ୍ଦୋଳନର ଡାକରା ଦେଇଛି। ପ୍ରତିବାଦରେ ଆଜିଠୁ ଦେଶବ୍ୟାପୀ ଓପିଡି ସେବା ବନ୍ଦ ଡାକରା ଦେଇଛି। ସିବିଆଇ ତଦନ୍ତ ଦାବିରେ FAIMA ପକ୍ଷରୁ ସରକାରୀ ମେଡିକାଲରେ ଓପିଡି ସେବା ବନ୍ଦ ଡାକରା ଦେଇଛି।

ବିଭିନ୍ନ ଡାକ୍ତରୀ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଆନ୍ଦୋଳନରୁ ଜରୁରୀ ସେବାକୁ ବାଦ ଦିଆଯିବ। ଗତକାଲି ଅନେକ ସ୍ଥାନରେ ଡାକ୍ତରମାନେ ପ୍ରତିବାଦ କରିଛନ୍ତି। କ୍ୟାଣ୍ଡେଲ ଜାଳି ପ୍ରତିବାଦ କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ଚିଛି ଲେଖିଛି ଇଣ୍ଡିଆନ ମେଡିକାଲ ଆସୋସିଏସନ । ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛି IMA । ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।

ପୋଲିସ ଜଣେ ଅଭିଯୁକ୍ତ ସଞ୍ଜୟ ରାୟକୁ ଗିରଫ କରି ଘଟଣାର ଖୋଳତାଡ ଚଳାଇଛି। ତେବେ ଏଥିରେ ସନ୍ତୁଷ୍ଟ ନୁହଁନ୍ତି ଡାକ୍ତରମାନେ। ମହିଳା ଡାକ୍ତରଙ୍କୁ ସବୁ ପ୍ରକାର ସୁରକ୍ଷା ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୋଲିସକୁ ଦେଇଛନ୍ତି ଚେତାବନୀ। ଯଦି ମାମଲାର ଶୀଘ୍ର ସମାଧାନ ନକରାଯାଏ, ତେବେ ସିବିଆଇ ହାତରେ ମାମଲା ଦେବାକୁ ପଛାଇବେ ନାହିଁ ବୋଲି କହିଛନ୍ତି ମମତା । ସୂଚନା ଥାଉକି ଗତ ୯ ତାରିଖରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଏହାକୁ ନେଇ ସାରା ଦେଶରେ ଡାକ୍ତର ମାନେ ଆନ୍ଦୋଳନ କରୁଛନ୍ତି। ସବୁଠି ଆନ୍ଦୋଳନ ଜୋର୍ ଧରିବା ପରେ କୋଲକାତା ଆର.ଜି. କର ମେଡିକାଲ କଲେଜର ପ୍ରିନ୍ସିପାଲ୍ ଡାକ୍ତର ସନ୍ଦୀପ ଘୋଷ୍ ନିଜ ପଦରୁ ଇସ୍ତଫା ଦେଇଛନ୍ତି।

Comments are closed.