Latest Odisha News

BREAKING NEWS

ଶ୍ରୀମନ୍ଦିର କୃଷ୍ଣଲୀଳାରେ କଂସ ବଧ

ପ୍ରବଳ ପ୍ରତାପୀ କଂସ ବଧ ସହିତ ଶ୍ରୀମନ୍ଦିରରେ ଚାଲିଥିବା କୃଷ୍ଣଲୀଳା ପରିସମାପ୍ତି ଘଟିଛି । ଭାଦ୍ରବ ଶୁକ୍ଲ ଦଶମୀ ଅବସରରେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢିବା ପରେ ମହାଜନ ସେବକ ରାମକୃଷ୍ଣଙ୍କୁ ସିଂହାସନରେ ବିଜେ କରାଇଥିଲେ । ସେଠାରେ ଆଜ୍ଞାମାଳ ଲାଗି ହେବା ପରେ ଦୁଇ ଠାକୁରଙ୍କୁ ବଟ ବୃକ୍ଷ ନିକଟରେ ଥିବା ପାଲିଙ୍କିରେ ବିଜେ କରାଯାଇଥିଲା ।

ବିମାନବଡୁମାନେ ପାଲିଙ୍କିକୁ କୁଣ୍ଢାଇବେଣ୍ଟ ସାହିରେ ଥିବା ଲବଣୀଖିଆ ଛକକୁ ନେଇଥିଲେ । ଛକରେ ଥିବା ପନ୍ତିଘରେ ଲବଣୀ ଖିଆ ନୀତି ସମ୍ପନ୍ନ ହୋଇଥିଲା। ସେଠାରେ ଭିତରଚ୍ଛ ମହାପାତ୍ର ଠାକୁରଙ୍କୁ ଆଳତି ବନ୍ଦାପନା କରିବା ସହିତ ମହାଭୋଇଙ୍କ ସର, ଲବଣୀ ଠାକୁରଙ୍କୁ ସମର୍ପଣ କରିଥିଲେ । ମହାଜନମାନେ ଠାକୁରଙ୍କୁ ପନ୍ତି ଘର ଖଟଶେଯ ଉପରକୁ ବିଜେ କରାଇବା ପରେ ପୂଜାପଣ୍ଡା ସାମନ୍ତ ଭୋଗ ଲାଗି କରାଇଥିଲେ।

ଏହାପରେ ମହାଭୋଇ ଘରର ବୋହୂମାନେ ଠାକୁରଙ୍କୁ ଅର୍ଘ୍ୟ ବନ୍ଦାପନା କରି କ୍ଷୀର, ସର, ଲବଣୀ, ଖୁଆଇଥିଲେ। ଶୀତଳ ଭୋଗ ପରେ ଭିତରଚ୍ଛ ମହାପାତ୍ର ବନ୍ଦାପନା କରିଥିଲେ । ଠାକୁର ପାଲଙ୍କିରେ ବିଜେ ହୋଇ ମରିଚିକୋଟ ଛକ ନିକଟସ୍ଥ ମରିଚି ଠାକୁରାଣୀଙ୍କ ପନ୍ତି ନିମନ୍ତେ ଯାଇଥିଲେ। ଠାକୁରାଣୀଙ୍କ ସମ୍ମୁଖରେ ମାଟିମଣ୍ଡପ ସାହି ଉତ୍ତରକାଳୀ ଆଖଡ଼ାର ଦୁଇଜଣ ମଲ୍ଲ ଯୁଦ୍ଧ ପ୍ରସ୍ତାବ ଆଗତ କରି ଏହି ନୀତି ସମ୍ପନ୍ନ କରାଯାଇଥିଲା ।।

ସିଂହଦ୍ୱାର ସମ୍ମୁଖ ବଡ଼ଛତା ମଠ ଆଗରେ କଂସବଧ ନୀତି ସମ୍ପନ୍ନ କରାଯାଇଛି । ବାଲିସାହି ଆଖଡ଼ା ପକ୍ଷରୁ କଂସ ବଧ ପ୍ରସ୍ତାବ ଆଗତ କରାଯାଏ ଏହି ନୀତିରେ ପ୍ରଥମେ କଂସ ନିଜର ରଣହୁଙ୍କାର ଦେବା ପରେ ସେଠାରେ ଠାକୁରଙ୍କୁ ଶୀତଳ ଭୋଗ ବନ୍ଦାପନା । ଶ୍ରୀକୃଷ୍ଣଙ୍କ ପରାକ୍ରମ ଦେଖି କଂସ ଭୟଭୀତ ହୋଇ ମଞ୍ଚାରୁ ପଡିଯିବାରୁ ତାଙ୍କର ନିଧନ ହୋଇ ସେଠାରେ ଶୀତଳ ଭୋଗ ବନ୍ଦାପନା ହୋଇ ଠାକୁର ଶ୍ରୀମନ୍ଦିରକୁ ବାହୁଡା ବିଜେ କରାଯାଇଥିଲା  ।

Leave A Reply

Your email address will not be published.