Latest Odisha News

BREAKING NEWS

କୃଷ୍ଣା ମହାନ୍ତି ପାଇବେ ରାଷ୍ଟ୍ରୀୟ ଗାନ୍ଧୀ ପୁରସ୍କାର

ଭୁବନେଶ୍ବର: ଓଡିଶାର ବିଶିଷ୍ଟ ଗାନ୍ଧୀବାଦୀ ସର୍ବୋଦୟ ନେତ୍ରୀ ତଥା ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ ଶ୍ରୀମତୀ କୃଷ୍ଣା ମହାନ୍ତି ୨୦୨୩ ବର୍ଷ ପାଇଁ ସମ୍ମାନଜନକ ରାଷ୍ଟ୍ରୀୟ ଗାନ୍ଧୀ ପୁରସ୍କାରରେ ସମ୍ମାନିତ ହେବେ । ଗାନ୍ଧୀ ତଥା ସର୍ବୋଦୟ ବିଚାରର ସର୍ବୋଚ୍ଚ ସଂଗଠନ ସର୍ବ ସେବା ସଂଘ (ଅଖିଳ ଭାରତ ସର୍ବୋଦୟ ମଣ୍ଡଳ) ପକ୍ଷରୁ ରାଜସ୍ଥାନର ଜୟପୁର ଠାରେ ସଂଘର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ସର୍ବ ସମ୍ମତକ୍ରମେ ଶ୍ରୀମତୀ ମହାନ୍ତିଙ୍କୁ ଏହି ସମ୍ମାନ ଦେବା ନିମନ୍ତେ ନିଷ୍ପତ୍ତି କରାହୋଇଛି ।

ସର୍ବ ସେବା ସଂଘର ଆଗାମୀ ରାଷ୍ଟ୍ରୀୟ ଅଧିବେଶନରେ କୃଷ୍ଣା ମହାନ୍ତିଙ୍କୁ ତାଙ୍କର ଜୀବନବ୍ୟାପୀ ସାଧନା ନିମନ୍ତେ ସମ୍ମାନ ପତ୍ର ଓ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚନ୍ଦନ ପାଲ ଏକ ପ୍ରେସ ବିଜ୍ଞପ୍ତି ଯୋଗେ ଜଣାଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, କୃଷ୍ଣା ମହାନ୍ତି ଓଡିଶାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀଙ୍କର କନିଷ୍ଠ କନ୍ୟା ତଥା ମାଆ ରମାଦେବୀ ଓ ପୁଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀଙ୍କ ଝିଆରୀ ।

ଭାରତ ଛାଡ ଆନ୍ଦୋଳନ ସମୟରେ ତାଙ୍କର ସମଗ୍ର ପରିବାର ଜେଲରେ ଥିବାବେଳେ ଛୋଟ ଝିଅ କୃଷ୍ଣା ମଧ୍ୟ ମାଆଙ୍କ ସହ କଟକ ଜେଲରେ କିଛି ସମୟ ବିତାଇଥିଲେ । ଜେଲରୁ ବାହାରିବା ପରେ ମହାତ୍ମା ଗାନ୍ଧୀ ତାଙ୍କୁ ତାଙ୍କ ସେବାଗ୍ରାମ ଆଶ୍ରମରେ ରଖାଇଥିଲେ । ଏକଦା ପ୍ରାତଃ ଭ୍ରମଣରେ ଯିବାକାଳରେ ମହାତ୍ମା କୃଷ୍ଣାଙ୍କ କାନ୍ଧରେ ହାତରଖି ଯାଇଥିଲେ ।

କୃଷ୍ଣାଙ୍କର ବଡବାପା ଗୋପବନ୍ଧୁ ଚୌଧୁରୀ ସର୍ବ ସେବା ସଂଘର ପ୍ରତିଷ୍ଠାତା ସମ୍ପାଦକ ଥିବାବେଳେ ବଡଭାଇ ମନମୋହନ ସଂଘର ସଭାପତି ଥିଲେ । ବାପା ନବକୃଷ୍ଣ ମଧ୍ୟ ମୁଖ୍ୟମନ୍ତ୍ରୀତ୍ତ୍ବ ଛାଡି ଏହାର ସଭାପତି ପଦ ମଣ୍ଡନ କରିଥିଲେ । ୮୪ ବର୍ଷୀୟା କୃଷ୍ଣା ମହାନ୍ତି ସମ୍ପ୍ରତି ଅନୁଗୁଳ ସ୍ଥିତ ବାଜି ରାଉତ ଛାତ୍ରାବାସରେ ଅବସ୍ଥାନ କରୁଛନ୍ତି ।

Leave A Reply

Your email address will not be published.