ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଭିତ୍ତି ତ ଗଲାଣି ଦୋହଲି
ତେବେ ବି ସରୁନାହିଁ କଳି
ପିଲାଏ ହେଲେ ଅପଚରା
ଭାଷାଟେ ହୁଏ ଦରମରା
ତାଂକର ମାଆବାପାମାନେ
ଅସଲ ଜ୍ଞାନୀ ଜଣେ ଜଣେ
ଜ୍ଞାନ ବଳରେ ଧନାର୍ଜନ
କରି ବିତାଂତି ରାତିଦିନ
ଶ୍ରମିକ ବାପାର ସଂତାନ
ସହୁଛି ଯେତେ ଅପମାନ
ତହିଁର ଗଣନା, କଳନା
କରିବା ହୁଏ ଏଠି ମନା
କୋଠାଗଢ଼ାକୁ ଦେଇ ଧ୍ୟାନ
ତହିଁରେ ଖଟାଇଲେ ଧନ
କର୍ତାଂକୁ ମିଳେ ସିନା ଅର୍ଥ
ଉଦ୍ଦେଶ୍ଯ ହୋଇଯାଏ ବ୍ୟର୍ଥ
ପ୍ରତ୍ୟେକ ଘରେ କିଛି ବହି
ନ ଥିଲେ କିଏ ବା ଆଗ୍ରହୀ
ହେବ ପାଠ ପଢ଼ିବା ପାଇଁ?
ସହଜେ ବୁଝି ହେଉନାହିଁ
ପିଲାଂକୁ ସର୍ବାଧିକ ଧ୍ୟାନ
ନ ଦେଲେ କିପରି ପତନ
ଘଟେ, ଏବେ ହିଁ ନିଜେ ଦେଖୁଁ
ଏଥିରୁ ସ୍ବକର୍ତବ୍ୟ ଶିଖୁଁ
ସମାଜ ଅବା ସରକାର
ଉପରେ ନ କରି ନିର୍ଭର
ଆମେ ହିଁ ହେଲେ ଆଦ୍ୟକର୍ମୀ
ହେବା ସତରେ ଭାଷାପ୍ରେମୀ
ପିଲାଂକ ପ୍ରଥମ ଶିକ୍ଷକ
ହେଲେ ତା ନିଜ ଘରଲୋକ
ପ୍ରତ୍ୟେକ ଘର ବିଦ୍ୟାଳୟ
ହେବ, ଘଟିବ ଜ୍ଞାନୋଦୟ
ସେହି ଜ୍ଞାନକୁ ପୁଂଜି କରି
ଯୁବକେ ପଡ଼ିଲେ ବାହାରି
ଜ୍ଞାନ ସହିତ ମିଶି ନିଷ୍ଠା
ଆଣିବ ଅପୂର୍ବ ପ୍ରତିଷ୍ଠା