Latest Odisha News

BREAKING NEWS

ରିଅଲ୍ ଏଷ୍ଟେଟ୍‌ରୁ କୃତି ସାନନଙ୍କ ବମ୍ପର ଲାଭ: ମୁମ୍ବାଇରେ ୪ଟି ଆପାର୍ଟମେଣ୍ଟ ବିକି ସାନନ ପରିବାର କମାଇଲେ ୪.୬ କୋଟି ଟଙ୍କା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କୃତି ସାନନ କେବଳ ସିନେମାରେ ନୁହେଁ, ବରଂ ବ୍ୟବସାୟ ଓ ରିଅଲ୍ ଏଷ୍ଟେଟ୍ ଦୁନିଆରେ ମଧ୍ୟ ନିଜର ଚମତ୍କାର ସଫଳତା ଦେଖାଇଛନ୍ତି। ନିକଟରେ କୃତି ସାନନ, ତାଙ୍କ ଭଉଣୀ ନୁପୁର ସାନନ ଏବଂ ମାଆ ଗୀତା ସାନନ ମୁମ୍ବାଇର ଅନ୍ଧେରୀ ୱେଷ୍ଟ ଅଞ୍ଚଳରେ ଥିବା ସେମାନଙ୍କର ୪ଟି ଆପାର୍ଟମେଣ୍ଟକୁ ଏକାସଙ୍ଗେ ବିକ୍ରି କରିଦେଇଛନ୍ତି। ଏହି ବଡ଼ ପ୍ରପର୍ଟି ଡିଲ୍ ମାଧ୍ୟମରେ ସାନନ ପରିବାରକୁ ପ୍ରାୟ ୪.୬ କୋଟି ଟଙ୍କାର ବମ୍ପର ମୁନାଫା ମିଳିଛି, ଯାହା ସେମାନଙ୍କ ମୂଳ ନିବେଶର ପ୍ରାୟ ୧୦୭ ପ୍ରତିଶତ।

 

ପ୍ରପର୍ଟି ସଂକ୍ରାନ୍ତୀୟ ସରକାରୀ ଦସ୍ତାବିଜ ଅନୁଯାୟୀ, ଅନ୍ଧେରୀ ୱେଷ୍ଟର ପ୍ରିମିୟମ୍ ରେସିଡେନସିଆଲ ପ୍ରୋଜେକ୍ଟ ‘ରହେଜା କ୍ଲାସିକ୍’ରେ ଥିବା ଏହି ଚାରୋଟିଯାକ ଫ୍ଲାଟ୍‌କୁ ବଲିଉଡର ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ତଥା କାଷ୍ଟିଂ ନିର୍ଦ୍ଦେଶକ ମୁକେଶ ଛାବ୍ରା କିଣିଛନ୍ତି। ଗତ ଏପ୍ରିଲ୍ ୨୪ ତାରିଖରେ ଏହି ସମସ୍ତ ଚୁକ୍ତିନାମାର ପଞ୍ଜିକରଣ ପ୍ରକ୍ରିୟା ଶେଷ ହୋଇଛି। ମୋଟ ୮.୯ କୋଟି ଟଙ୍କାରେ ଏହି ସମସ୍ତ ଆପାର୍ଟମେଣ୍ଟ ବିକ୍ରି ହୋଇଥିବା ସୂଚନା ମିଳିଛି।

 

ସୂଚନାଯୋଗ୍ୟ ଯେ ସାନନ ପରିବାର ପକ୍ଷରୁ ଏହି ଚାରୋଟି ଆପାର୍ଟମେଣ୍ଟକୁ ୨୦୧୩ ରୁ ୨୦୧୭ ମସିହା ମଧ୍ୟରେ ଭିନ୍ନ ଭିନ୍ନ ସମୟରେ ମୋଟ ୪.୩୧ କୋଟି ଟଙ୍କାରେ କିଣାଯାଇଥିଲା। ସେଥିମଧ୍ୟରୁ ଦୁଇଟି ବଡ଼ ଫ୍ଲାଟ୍‌କୁ ଗୀତା ସାନନ ୨୦୧୩ରେ ୧.୪୦ କୋଟି ଟଙ୍କାରେ କିଣିଥିବା ବେଳେ ବାକି ଦୁଇଟି ଫ୍ଲାଟ୍‌କୁ ୨୦୧୭ରେ କୃତି ଓ ନୁପୁର ମିଳିତ ଭାବେ ୨.୯୦ କୋଟି ଟଙ୍କାରେ କ୍ରୟ କରିଥିଲେ। ଦୀର୍ଘ ୯ ରୁ ୧୩ ବର୍ଷ ଧରି ଏହି ସମ୍ପତ୍ତିକୁ ନିଜ ପାଖରେ ରଖିବା ପରେ ସଠିକ୍ ସମୟରେ ଏହାକୁ ବିକ୍ରି କରି ପରିବାରଟି ଏକ ସଫଳ ଦୀର୍ଘକାଳୀନ ନିବେଶର ଉଦାହରଣ ସୃଷ୍ଟି କରିଛି।

 

ବିକ୍ରି ହୋଇଥିବା ଫ୍ଲାଟଗୁଡ଼ିକ ମଧ୍ୟରୁ ଦୁଇଟି ବଡ଼ ଆପାର୍ଟମେଣ୍ଟର ମୂଲ୍ୟ ୩.୧୩ କୋଟିରୁ ୩.୨୩ କୋଟି ଟଙ୍କା ଲେଖାଏଁ ରହିଛି ଏବଂ ଏହାର ବିଲ୍ଟ ଅପ୍ ଏରିଆ ପ୍ରାୟ ୬୫୪ ବର୍ଗଫୁଟ୍। ଅନ୍ୟ ଦୁଇଟି ଛୋଟ ଆପାର୍ଟମେଣ୍ଟକୁ ୧.୨୧ କୋଟି ଟଙ୍କା ଲେଖାଏଁ ମୂଲ୍ୟରେ ବିକ୍ରି କରାଯାଇଛି।

 

ରିଅଲ୍ ଏଷ୍ଟେଟ୍ ବଜାରରେ କୃତି ସାନନଙ୍କର ଏହା ପ୍ରଥମ ବଡ଼ କାରବାର ନୁହେଁ। ଗତ ୨୦୨୫ ମସିହାରେ ସେ ମୁମ୍ବାଇର ଅତ୍ୟନ୍ତ ବିଳାସପୂର୍ଣ୍ଣ ଅଞ୍ଚଳ ପାଲି ହିଲ୍, ବାନ୍ଦ୍ରାରେ ପ୍ରାୟ ୭୮ କୋଟି ଟଙ୍କାର ଏକ ସି ଫେସିଙ୍ଗ୍ ଡୁପ୍ଲେକ୍ସ ପେଣ୍ଟହାଉସ୍ କିଣି ବେଶ୍ ଚର୍ଚ୍ଚାକୁ ଆସିଥିଲେ।

Leave A Reply

Your email address will not be published.