ଭୁବନେଶ୍ୱର: ଆସନ୍ତା କାଲିଠାରୁ ୩ ଦିନ ପର୍ଯ୍ୟନ୍ତ ଚାଲିବ ‘କୃଷି ଓଡ଼ିଶା ୨୦୨୫’ । ଭୁବନେଶ୍ୱରର ବରମୁଣ୍ଡା ସ୍ଥିତ ବିଜୁପଟ୍ଟନାୟକ ଖେଳ ପଡ଼ିଆରେ ଓଡ଼ିଶା ସରକାରଙ୍କର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ଵାରା ଆୟୋଜନ ହେବ । ଆସନ୍ତାକାଲିଠାରୁ ୩ ଦିନ ପର୍ଯ୍ୟନ୍ତ ଅର୍ଥାତ୍ ଜାନୁଆରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ ।
ଏହି ସମାରୋହ ଆସନ୍ତାକାଲି ଦିନ ୧୧ଟା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିବେ । ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉଦବୋଧନ ଦେବେ ।
କୃଷି ଓଡ଼ିଶା-୨୦୨୫ର ବିଷୟବସ୍ତୁ ରହିଛି “ଚିରନ୍ତନ ଖାଦ୍ୟ ପ୍ରଣାଳୀ ପାଇଁ ଏକ ପ୍ରୟାସ” । ପ୍ରଥମଦିନର ବିଷୟବସ୍ତୁ ରହିବ ଜଳବାୟୁ ଉପଯୋଗୀ ଖାଦ୍ୟ ପଦ୍ଧତି ଓ ଜଳବାୟୁ ତ୍ୱରିତ ଉଦ୍ୟାନକୃଷି । ଦ୍ୱିତୀୟ ଦିବସ ମୃତ୍ତିକା ସ୍ୱାସ୍ଥ୍ୟ, ପ୍ରାକୃତିକ କୃଷି ଓ ଏହାର ମୂଲ୍ୟଶୃଙ୍ଖଳା ଏବଂ ତୃତୀୟ ଦିବସର ବିଷୟ ହେଉଛି ପାଣି ପଞ୍ଚାୟତ ପକ୍ଷ ପାଳନ ସହିତ ଧାରାବାହିକ ଜଳ ଶାସନ ନୀତି ।
ଓଡ଼ିଶାରେ ପୋଷଣଯୁକ୍ତ ଖାଦ୍ୟ ପଦ୍ଧତି ସହିତ ସ୍ଥାନୀୟ ଅର୍ଥନୀତିକୁ ସଶକ୍ତ କରିବା ସହିତ ଉଭୟ ପରିବେଶ ଓ ସ୍ୱାସ୍ଥ୍ୟ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଏହାର ମୂଳ ଲକ୍ଷ୍ୟ । ପାରସ୍ପରିକ ସଂଯୁକ୍ତ ଲକ୍ଷ୍ୟ ମାଧ୍ୟମରେ ଖାଦ୍ୟ ନିରାପତ୍ତା ବୃଦ୍ଧି କରିବା ପାଇଁ ପ୍ରୟାସ କରାଯାଉଛି । ସରକାରଙ୍କ ଦ୍ୱାରା ଆୟୋଜିତ ଏହି ୩ ଦିନର କାର୍ଯ୍ୟକ୍ରମ ରାଜ୍ୟର ଯୁବବର୍ଗଙ୍କୁ କୃଷି, ଉଦ୍ୟାନକୃଷି, ଖାଦ୍ୟ ପ୍ରକ୍ରିୟାକରଣ, ମତ୍ସ୍ୟ ଓ ପ୍ରାଣୀ ପାଳନ କ୍ଷେତ୍ରରେ ନିଜର କ୍ୟାରିଅର ଗଢ଼ିବାକୁ ପ୍ରୋତ୍ସାହିତ କରିବ ।
ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୧୦ ହଜାର କୃଷକ, କୃଷିଜୀବୀ ମହିଳା, ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକ ଉତ୍ପାଦକ ଗୋଷ୍ଠୀ, ଅଣସରକାରୀ ଗୋଷ୍ଠୀ, ପାଣି ପଞ୍ଚାୟତ ସଭ୍ୟ, କୃଷି ଉଦ୍ୟୋଗୀ, ରପ୍ତାନୀକାରୀ, ଛାତ୍ରଛାତ୍ରୀ ଓ ଗବେଷକବୃନ୍ଦ ଏଥିରେ ଅଂଶଗ୍ରହଣ କରିବେ ।
ରାଜ୍ୟର ୪ଟି ବିଭିନ୍ନ ସରକାରୀ ବିଭାଗ, କେନ୍ଦ୍ର ସରକାର, ଭାରତୀୟ କୃଷି ଗବେଷଣା ପରିଷଦ, ସିଜିଆଇଏଆର ପ୍ରତିଷ୍ଠାନ, ବେସରକାରୀ ସଂଗଠନ, ସମନ୍ୱୟରେ ୧୩ ଗୋଟି ବୈଷୟିକ ଅଧିବେଶନର ମଧ୍ୟ ଆୟୋଜନ କରାଯାଉଛି । କୃଷକ ବୈଜ୍ଞାନିକ ଆଲୋଚନା ଚକ୍ର, ସେମିନାର କାର୍ଯ୍ୟକ୍ରମ ରହିଛି । କୃଷକ ସମୃଦ୍ଧି କେନ୍ଦ୍ର, ଅନୁଭୂତି ଶିକ୍ଷା କେନ୍ଦ୍ର, କୃଷି ଯନ୍ତ୍ରପାତି ପ୍ରଦର୍ଶନ କରାଯିବ । ୨୦୦ରୁ ଅଧିକ ଷ୍ଟଲରେ ବିଭିନ୍ନ କୃଷିଜାତ ଦ୍ରବ୍ୟ ଓ କୃଷି ଯନ୍ତ୍ରପାତି ପ୍ରଦର୍ଶନ କରାଯିବ ।
Comments are closed.