Latest Odisha News

BREAKING NEWS

ପିଡିଙ୍କୁ ଗିରଫ କରିବାକୁ ଚେତାବନୀ ଦେଲେ ନଗର ଉନ୍ନୟନ ମନ୍ତ୍ରୀ

ମୟୂରଭଞ୍ଜ: ରାସ୍ତା ମରାମତି କାମକୁ ନେଇ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ। ଏପରିକି ନିଲମ୍ବନ ଓ ଗିରଫ ପାଇଁ ମଧ୍ୟ ଦେଇଛନ୍ତି ଚେତାବନୀ। ଜାତୀୟ ରାଜପଥର ଉଚ୍ଚପଦସ୍ଥ ଅଧିକାରୀ ଓ ପିଡିଙ୍କ ଉପରେ ବର୍ଷିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ତୁରନ୍ତ ପିଡିଙ୍କୁ ଗିରଫ କରି ଜେଲ୍ ପଠାଇବାକୁ ମଧ୍ୟ କହିଛନ୍ତି। ଦୀର୍ଘ ବର୍ଷ ହେଲାଣି ବାଙ୍ଗିରିପୋଷି ଘାଟି ରାସ୍ତା ମରଣଯନ୍ତା ପାଲଟିଛି। ଏହି ରାସ୍ତାରେ ଯିବା ଆସିବା ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଅନ୍ୟପକ୍ଷରେ ଏହି ରାସ୍ତାକୁ ନେଇ ରାଜନୈତିକ ଚର୍ଚ୍ଚା ମଧ୍ୟ ଜୋର ଧରିଛି।

ଏହି ରାସ୍ତା କାମ ଆରମ୍ଭ ହୋଇଥିବା ବେଳେ ମନ୍ଥର ଗତିରେ ଚାଲିଛି। ଆଜି ରାଜ୍ୟ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର  ରାସ୍ତା କାର୍ଯ୍ୟର ତଦାରଖ ପାଇଁ ବାଙ୍ଗିରିପୋଷି ଘାଟିରେ ପହଞ୍ଚିଥିଲେ। ମନ୍ତ୍ରୀଙ୍କ ଗସ୍ତ ନେଇ ସେଠାରେ ଜିଲ୍ଲାପାଳ, ଏସପି, ବାଙ୍ଗିରିପୋଷି ବିଧାୟିକାଙ୍କ ସହ ଅନେକ ସରକାରୀ ଅଧିକାରୀ ଓ ଜନସାଧାରଣ ଉପସ୍ଥିତ ଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ  ଅନୁପସ୍ଥିତ ଥିଲେ। ଗୋଟିଏ ପାଟରେ କାମ ମନ୍ଥର ଗତିରେ ଚାଲୁଥିବା ବେଳେ, ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତିକୁ ନେଇ ରାଗିଯାଇଥିଲେ ମନ୍ତ୍ରୀ। ତେବେ ମନ୍ତ୍ରୀ ଏନଏଚ୍ ଅଧିକାରୀଙ୍କୁ ଫୋନ କରି ପିଡିଙ୍କୁ ନିଲମ୍ବନ ଓ ଗିରଫ କରିବାକୁ ଚେତାବନୀ ଦେଇଛନ୍ତି । ଏମିତି କାମ ପାଇଁ ସରକାର ବାରମ୍ବାର ବଦନାମ ହେଉଛି। ତେଣୁ ପିଡିଙ୍କୁ ଗିରଫ କରି ଜେଲ ପଠାଇବୁ ବୋଲି ମୟୂରଭଞ୍ଜ ଜିଲ୍ଲାପାଳ, ଏସପି, ବାଙ୍ଗିରିପୋଷି ବିଧାୟିକା ଓ ଜନସାଧାରଣଙ୍କ ଉପସ୍ଥିତିରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ। ଏନେଇ ପିଡିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Leave A Reply

Your email address will not be published.