ପ୍ରୟାଗରାଜ: ଅଣନିଶ୍ବାସୀ ପ୍ରୟାଗରାଜ । ଶେଷ ସମୟରେ ସଙ୍ଗମରେ ଜନସମୁଦ୍ର । ରାତି ପାହିଲେ ସରିବ, ଆମ ଜୀବନର ପ୍ରଥମ ତଥା ଶେଷ ମହାକୁମ୍ଭ । ଏ ଜନ୍ମ ତ ନୁହେଁ, ଭାଗ୍ୟରେ ଥିଲେ, ପୁଣି ଆଉ ଏକ ଜନ୍ମ, ଆଉ ୧୪୪ ବର୍ଷକୁ ଅପେକ୍ଷା । ବୁଧବାର, ୨୬ ଫେବୃଆରୀ..ମହାଶିବରାତ୍ରୀ ଦିନ ସରୁଛି ସଙ୍ଗମ ମହାସ୍ନାନ । ଏଥିପାଇଁ ଏବେ ଅଣନିଶ୍ବାସୀ ହୋଇପଡିଛି ସଙ୍ଗମ ସ୍ଥଳ ପ୍ରୟାଗରାଜ । ଆଉ ଭକ୍ତଙ୍କୁ ସମ୍ଭାଳି ପାରୁନି ।
ବିଶ୍ୱର ସର୍ବବୃହତ ଧାର୍ମିକ ସଭା ଶେଷ ହେବାକୁ ଯାଉଥିବାରୁ, ତାହା ପୁଣି ମହାଶିବରାତ୍ରି ଭଳି ଅବସରରେ, ତେଣୁ ଆସନ୍ତାକାଲି ପାଇଁ ଏବେଠୁ ପ୍ରୟାଗରାଜରେ ଲାଗିଲାଣି ଭକ୍ତଙ୍କ ଭିଡ । ସଙ୍ଗମ ତ ସଙ୍ଗମ, ପ୍ରୟାଗରାଜର ଗଳି କନ୍ଦି ସବୁଠି ନିଶ୍ବାସ ନେବାକୁ ଜାଗା ନାହିଁ । କୁହାଯାୁଛି, ଆସନ୍ତାକାଲି ମହାକୁମ୍ଭ ମେଳାର ଶେଷ ଅମୃତ ସ୍ନାନରେ ପ୍ରାୟ ୧ କୋଟିରୁ ଅଧିକ ଭକ୍ତ ଯୋଗଦେବେ ।
ଏଥିପାଇଁ ଏବେଠୁ ଅଣ୍ଟା ଭିଡିଲେଣି ଉତ୍ତରପ୍ରଦେଶ ପ୍ରଶାସନ । ମହାକୁମ୍ଭର ଶେଷ ଦିନରେ ତୀର୍ଥଯାତ୍ରୀଙ୍କ ବିପୁଳ ଆଗମନକୁ ମୁକାବିଲା କରିବା ପାଇଁ ଉତ୍ତର ପ୍ରଦେଶ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି । ଏଥିପାଇଁ ଆଜି ଅର୍ଥାତ୍ ମଙ୍ଗଳବାର ସନ୍ଧ୍ୟାରୁ ହିଁ ମେଳା ଅଞ୍ଚଳକୁ ଯାନବାହନ ନେଇ କଟକଣା ଜାରି କରାଯାଇଛି ।
ତେବେ ୧୪୪ ବର୍ଷ ପରେ ଜାନୁଆରୀ ୧୩ ତାରିଖରେ ଆରମ୍ଭ ହୋଇଥିବା ଏହି ପବିତ୍ର ମହାକୁମ୍ଭ ଆସନ୍ତାକାଲି ଅର୍ଥାତ୍ ଫେବୃଆରୀ ୨୬ରେ ଶେଷ ହେବାକୁ ଯାଉଛି । ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ପ୍ରାୟ ୬୪ କୋଟି ଭକ୍ତ ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀର ସଙ୍ଗମ ସ୍ଥଳ, ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ଼ ପକାଇସାରିଲେଣି ।
ତେବେ ଆଜି ପର୍ଯ୍ୟନ୍ତ ମୋଟ ପାଞ୍ଚଟି ଅମୃତ ସ୍ନାନ ହୋଇଛି, ଜାନୁଆରୀ ୧୩, ୧୪, ୨୯, ଫେବୃଆରୀ ୩ ଏବଂ ୧୨ । ଆଉ ଆସନ୍ତାକାଲି, ଫେବୃଆରୀ ୨୬, ଶେଷ ଅମୃତ ସ୍ନାନ । ଆଉ ଶେଷ ଦିନରେ ସଂଯୋଗପୂର୍ଣ୍ଣ ମହାଶିବରାତ୍ରି ପଡୁଛି ।
ତେଣୁ ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରୁ, ମଙ୍ଗଳବାର ଅପରାହ୍ନ ୪ଟାରୁ ମେଳା ଅଞ୍ଚଳ ନୋ-ଭେଇକିଲ ଜୋନ୍ କରାଯାଇଛି । ସନ୍ଧ୍ୟା ୬ଟାରୁ ସମଗ୍ର ପ୍ରୟାଗରାଜ ଏହା ଅନୁସରଣ କରିବ । କେବଳ ପାସ୍ ଥିବା ଯାନଗୁଡ଼ିକୁ ନିର୍ଦ୍ଦିଷ୍ଟ ପାର୍କିଂ ଅଞ୍ଚଳରେ ପାର୍କିଂ କରିବାକୁ ଅନୁମତି ଦିଆଯିବ । ଏଥିସହିତ ଦୁଗ୍ଧ, ପନିପରିବା, ଔଷଧ, ଇନ୍ଧନ ଏବଂ ଜରୁରୀକାଳୀନ ଯାନ ପରିବହନ ସମେତ ଅତ୍ୟାବଶ୍ୟକୀୟ ସେବାଗୁଡ଼ିକୁ ପ୍ରତିବନ୍ଧିତ କରାଯିବ ନାହିଁ ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି । ଡାକ୍ତର, ପୋଲିସ ଅଧିକାରୀ ଏବଂ ପ୍ରଶାସନିକ କର୍ମଚାରୀମାନେ ମଧ୍ୟ ମୁକ୍ତ ଭାବରେ ଯାତାୟାତ କରିପାରିବେ । ଏହି ସମୟରେ, ପ୍ରୟାଗରାଜକୁ ଯାଉଥିବା ସମସ୍ତ ପ୍ରମୁଖ ରାଜପଥ ଏବଂ ରାସ୍ତାରେ ମୋଟରସାଇକେଲରେ ପୋଲିସର ୪୦ ଟି ଦଳ ମୁତୟନ କରାଯାଇଛି । ସୁଗମ ଏବଂ ସୁରକ୍ଷିତ ଟ୍ରାଫିକ ପ୍ରବାହ ପାଇଁ, ଡାଇଭର୍ସନ ସୃଷ୍ଟି କରାଯାଇଛି । ପ୍ରୟାଗରାଜକୁ ସଂଯୋଗ କରୁଥିବା ସାତଟି ସଡ଼କ ରାସ୍ତାରେ ଅତିରିକ୍ତ ମହାନିର୍ଦ୍ଦେଶକ ଏବଂ ମହାନିରୀକ୍ଷକ ସ୍ତରୀୟ ଅଧିକାରୀଙ୍କୁ ମୁତୟନ କରାଯିବ । ଯେହେତୁ କୁମ୍ଭର ଶେଷ ଦିନ ମହାଶିବରାତ୍ରି ସହିତ ମେଳ ଖାଉଛି, ତେଣୁ ଭକ୍ତମାନଙ୍କୁ ସହରର ସମସ୍ତ ଶିବ ମନ୍ଦିର ଦର୍ଶନ କରିବାକୁ ଅନୁମତି ଦିଆଯିବ, ଯେଉଁଠାରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଅତିରିକ୍ତ ପୋଲିସ କର୍ମଚାରୀଙ୍କୁ ପୂର୍ବରୁ ନିୟୋଜିତ କରାଯାଇଛି ବୋଲି ପ୍ରୟାଗରାଜ ପୋଲିସଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
Comments are closed.