Latest Odisha News

BREAKING NEWS

ମହାକୁମ୍ଭ ଦଳାଚକଟାରେ ଯୋଗୀ ସରକାରଙ୍କ ବଡ଼ ନିଷ୍ପତ୍ତି: ଭିଆଇପି ପାସ୍ ଓ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ

ପ୍ରୟାଗରାଜ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଘଟିଥିବା ଦଳାଚକଟାରେ ୩୦ରୁ ଊର୍ଦ୍ଧ୍ୱ ପ୍ରାଣ ହରାଇଥିବାବେଳେ ୬୦ରୁ ଅଧିକ ଆହତ ହୋଇଛନ୍ତି। ଏହି ଘଟଣା ପରେ କଠୋର ନିୟମ ଆପଣେଇଛି ପ୍ରଶାସନ। ଏବେ ଭିଭିଆଇପି ପାସଗୁଡ଼ିକୁ ବାତିଲ କରାଯାଇଛି ଏବଂ ମେଳାକୁ ଯାଉଥିବା ରାସ୍ତାଗୁଡ଼ିକୁ ଭକ୍ତମାନଙ୍କ ସୁଗମ ଗତି ପାଇଁ ଏକମୁଖୀ କରାଯାଇଛି।

ସେହିପରି ଗାଡ଼ି ଚଳାଚଳକୁ ସମ୍ପୂର୍ଣ୍ଣ ବାରଣ କଲେ ସରକାର। ୨ ରୁଟ୍‌ ବଦଳରେ ଗୋଟିଏ ରୁଟ୍‌ରେ ଯିବେ ଶ୍ରଦ୍ଧାଳୁ। ଫେବ୍ରୁଆରୀ ୪ ଯାଏଁ ଚାରି ଚକିଆ ଗାଡ଼ି ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ଅନ୍ୟପଟେ ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖଦ କହିବା ସହ ମୃତ ଶ୍ରଦ୍ଧାଳୁଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି। ଏଥିସହ ଘଟଣାର ତଦନ୍ତ ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଥାଉକି, ବୁଧବାର ଦିନ ବିଶ୍ୱର ସର୍ବବୃହତ ଧାର୍ମିକ ସଭାରେ ମୌନି ଅମାବାସ୍ୟା ଅବସରରେ ପବିତ୍ର ବୁଡ଼ ପକାଇବା ପାଇଁ ଲକ୍ଷ ଲକ୍ଷ ଭକ୍ତ ସ୍ନାନ ପାଇଁ ଯାଉଥିବା ବେଳେ ଦଳାଚକଟାରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୬୦ ଜଣ ଆହତ ହୋଇଥିଲେ।
ଏହି ଦୁର୍ଘଟଣା ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜ, କୌଶାମ୍ବୀ, ବାରାଣସୀ, ଅଯୋଧ୍ୟା, ମିର୍ଜାପୁର, ବସ୍ତି, ଜୌନପୁର, ଚିତ୍ରକୁଟ, ବନ୍ଦା, ଆମ୍ବେଦକରନଗର, ପ୍ରତାପଗଡ଼, ସନ୍ଥ କବୀର ନଗର, ଭାଦୋହୀ, ରାୟବରେଲି ଏବଂ ଗୋରଖପୁର ସମେତ ଅନେକ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ଏବଂ ଅନ୍ୟ ଅଧିକାରୀଙ୍କ ସହିତ ବିଳମ୍ବିତ ରାତିରେ ଭିଡିଓ କନଫରେନ୍ସିଂ କରିଥିଲେ। ସେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସୀମାନ୍ତ ସ୍ଥାନରେ ହୋଲ୍ଡିଂ ଏରିଆ ସ୍ଥାପନ କରିବା ଏବଂ ପ୍ରୟାଗରାଜରୁ ଫେରିବା ରାସ୍ତାଗୁଡ଼ିକୁ ବାଧାମୁକ୍ତ ରଖିବା ସହିତ ଅନେକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।

Comments are closed.