Latest Odisha News

BREAKING NEWS

ପଦ୍ମପୁରକୁ ଏଡିଏମ ପଦବୀ ମଞ୍ଜୁର, କୁନାଲ ମୋତିରାମ ହେଲେ ପ୍ରଥମ ଅଫିସର

ଭୁବନେଶ୍ୱର: ବରଗଡ଼ ଜିଲ୍ଲା ପଦ୍ମପୁରର ନୂଆ ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍) ଭାବେ ଚୌହ୍ୱାନ କୁନାଲ ମୋତିରାମଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର।

୨୦୨୦ ବ୍ୟାଚର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ମୋତିରାମ ବର୍ତ୍ତମାନ ବାଲେଶ୍ୱରର ଉପଜିଲ୍ଲାପାଳ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ବାଲେଶ୍ୱର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି ।

ସାଧାରଣ ପ୍ରଶାସନ ଓ ଜନଅଭିଯୋଗ ବିଭାଗ ପକ୍ଷରୁ ଶୁକ୍ରବାର ଏହି ନିଯୁକ୍ତି ସମ୍ପର୍କିତ ବିଜ୍ଞପ୍ତି ଜାରି କରି କୁହାଯାଇଛି ଯେ, ରାଜ୍ୟ ସରକାର ଆଇଏଏସ୍ ଚୌହ୍ୱାନ କୁନାଲ ମୋତିରାମଙ୍କୁ ବରଗଡ଼ ଜିଲ୍ଲା ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି।

ଫଟୋ ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଯୋଗୁଁ ବଦଳି ଉପରେ ଲାଗିଥିବା ପ୍ରତିବନ୍ଧକ ହଟିବା ପରେ ଏହି ଆଦେଶ କାର୍ଯ୍ୟକାରୀ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

ପୂର୍ବରୁ ପଦ୍ମପୁରରେ ଏଡିଏମ୍ ପଦବୀ ପ୍ରତିଷ୍ଠା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଥିଲେ। ପଦ୍ମପୁରସ୍ଥିତ ଏଡିଏମ୍ କାର୍ଯ୍ୟାଳୟର ଲକ୍ଷ୍ୟ ହେଉଛି ଏହି ଅଞ୍ଚଳରେ ପ୍ରଶାସନକୁ ସୁଦୃଢ଼ କରିବା, ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ସମାଧାନ ଏବଂ ଉନ୍ନୟନ ମୂଳକ କାର୍ଯ୍ୟର ଦକ୍ଷ ରୂପାୟନ କରିବା।

ଏହି ନିଯୁକ୍ତି ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳରେ ପ୍ରଶାସନିକ ଦକ୍ଷତା ବୃଦ୍ଧି କରିବା ସହ ଜନସେବାରେ ଉନ୍ନତି ଆଣିବ ବୋଲି ଆଶା କରାଯାଉଛି।

ଉଲ୍ଲେଖଯୋଗ୍ୟ, ନିକଟରେ ରାଜ୍ୟ ସରକାର ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବାକୁ ପ୍ରକ୍ରିୟା ଆରମ୍ଭ କରିଥିଲେ। କିନ୍ତୁ ହାଇକୋର୍ଟରେ ଦାୟର ଏକ ପିଟିସନର ଶୁଣାଣି ପରେ କୋର୍ଟ କହିଛନ୍ତି, ତାଙ୍କ ବିନା ଅନୁମତିରେ ନୂଆ ଜିଲ୍ଲା ଘୋଷଣା ହୋଇପାରିବ ନାହିଁ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ମାସରେ ରହିଛି। କୋର୍ଟଙ୍କ ଏପରି ରାୟ ରାଜ୍ୟ ସରକାରଙ୍କ ପାଇଁ ଏକ ଝଟକା। କାରଣ ଉପନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ଯେ ଚଳିତ ବର୍ଷ ଶେଷ ସୁଦ୍ଧା ପଦ୍ମପୁର ପାଇବ ଜିଲ୍ଲା ମାନ୍ୟତା। ତେବେ କୋର୍ଟଙ୍କ ଝଟକା ପରେ ରାଜ୍ୟ ସରକାର ଏଡିଏମ ପଦବୀ ସୃଷ୍ଟି କରି ପଦ୍ମପୁରବାସୀଙ୍କୁ ଏକ ପ୍ରକାର ଶାନ୍ତ୍ବନା ଦିଆଯାଇଛି ବୋଲି କୁହାଯାଉଛି।

Comments are closed.