Latest Odisha News

ଓଡିଶାର ୨ ନୂଆ ଉପମୁଖ୍ୟମନ୍ତ୍ରୀ: ଜାଣନ୍ତୁ ସେମାନଙ୍କ ବିଷୟରେ…

ଭୁବନେଶ୍ଵର: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଓଡିଶାକୁ ମିଳିଛି ନୂଆ ମୁଖିଆ । ଓଡ଼ିଆ ଅସ୍ମିତାର ବିଜୟ ଓ ବିକଶିତ ଓଡ଼ିଶାର ଦୃଢ ସଂକଳ୍ପ ପାଇଁ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ମାନନୀୟ ଶ୍ରୀ ମୋହନ ଚରଣ ମାଝୀ ଏବଂ ଦୁଇଜଣ ଉପ-ମୁଖ୍ୟମନ୍ତ୍ରୀ ଭାବେ  ପାଟଣାଗଡ଼ ବିଧାୟକ କେଭି ସିଂହଦେଓ ଓ ନିମାପଡା ବିଧାୟକ ଶ୍ରୀମତୀ ପ୍ରଭାତୀ ପରିଡ଼ା ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି । ଭୁବନେଶ୍ବରରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆଜି ଅପରାହ୍ନ ସାଢେ ୪ଟାରେ ବୈଠକ ବସିବା ପରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇଛି । ଏହି ବୈଠକରେ ବିଜେପିର ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଭୁପେନ୍ଦ୍ର ଯାଦବ ସାମିଲ ହୋଇଥିଲେ । ବୈଠକରେ ମୁଖ୍ୟମନ୍ତ୍ରୀ ପଦ ପାଇଁ କେନ୍ଦୁଝର ସଦରର ୪ଥରର ବିଧାୟକ ମୋହନ ମାଝୀଙ୍କ ନାଁ ଉପରେ ମୋହର ଲାଗିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ପାଇଁ କେଭି ସିଂହଦେଓ ଓ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ନାଁ ଉପରେ ମୋହର ବାଜିଛି । ଆସନ୍ତାକାଲି ଏହି ୩ଜଣଙ୍କ ସହ ଅନ୍ୟ ବିଧାୟକ ଓ ସାଂସଦ ମାନେ ଶପଥ ଗ୍ରହଣ କରିବେ ।

ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂହଦେଓ । ପାଟଣାଗଡ଼ ବିଧାନସଭା ଆସନରୁ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି କନକ ବର୍ଦ୍ଧନ ସିଂହଦେଓ। ସେ ପୂର୍ବରୁ ବିଜେପିର ରାଜ୍ୟ ସଭାପତି ରହିଥିଲେ। ଏହାସହ ବିଜେପି-ବିଜେଡି ମେଣ୍ଟ ସରକାରରେ ସେ ମନ୍ତ୍ରୀ ମଧ୍ୟ ରହିଥିଲେ। ରାଜନୀତି କ୍ଷେତ୍ରରେ ତାଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି। କନକ ବର୍ଦ୍ଧନ ସିଂହ ଦେଓ  ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ପାଞ୍ଚ ଥର କାର୍ଯ୍ୟ କରିଛନ୍ତି । ୧୯୯୫, ୨୦୦୦, ୨୦୦୪, ୨୦୦୯ ଓ ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପାଟଣାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୧ଶ, ୧୨ଶ, ୧୩ଶ, ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । କନକ ବର୍ଦ୍ଧନ ସିଂହ ଦେଓ ୧୯୫୬ ମସିହାର ଜୁନ ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରାଜ ରାଜ ସିଂହ ଦେଓ ଓ ପତ୍ନୀଙ୍କ ନାମ ସଙ୍ଗୀତା କୁମାରୀ ସିଂଦେଓ । ତାଙ୍କ ପତ୍ନୀ ମଧ୍ୟ ଜଣେ ରାଜନେତା, ସେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ସାଂସଦ ଭାବରେ କାର୍ଯ୍ୟ କରୁଛନ୍ତି ।

ସେହିପରି ନିମାପଡ଼ା ଆସନରୁ ଏଥର ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ପ୍ରଭାତି ପରିଡ଼ାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦେଇ ବିଜେପି ମହିଳାଙ୍କୁ ଅଗ୍ରାଧିକାର ଦେଇଥିବା ସ୍ପଷ୍ଟ କରିଛି। ପ୍ରଭାତି ପୂର୍ବରୁ ରାଜ୍ୟ ମହିଳା ମୋର୍ଚ୍ଚାର ସଭାନେତ୍ରୀ ଥିଲେ। ୨୦୦୯ରେ ପ୍ରଭାତି ପ୍ରଥମ ଥର ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ୨୦୧୪ ଓ ୨୦୧୯ରେ ସେ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ। ୨୦୨୪ରେ ସେ ବିଜୟୀ ହୋଇଛନ୍ତି।ପେଷାରେ ଜଣେ ଓକିଲ। ଉତ୍କଳ ବିଶ୍ଵବିଦ୍ଯାଳୟରୁ ଆଇନ ଡିଗ୍ରୀ ହାସଲ କରିଛନ୍ତି। ଓଡ଼ିଶା ହାଇକୋର୍ଟରେ ଆଇନଜୀବୀ ଭାବେ  କାର୍ଯ୍ୟ କରୁଥିଲେ। ଉତ୍କଳ ବିଶ୍ଵବିଦ୍ଯାଳୟରୁ ପବ୍ଲିକ ଆଡମିନିଷ୍ଟ୍ରେସନରେ ସ୍ଵାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ପ୍ରଭାତୀ ପରିଡ଼ା। ୧୯୬୭ ମସିହାରେ ପ୍ରଭାତୀ ପରିଡ଼ାଙ୍କ ଜନ୍ମ। ୨୦୨୪ ନିର୍ବାଚନରେ ବିଜେପି ବିଧାୟିକା ଭାବେ ବିଧାନସଭାକୁ ପ୍ରଥମଥର ଲାଗି ନିର୍ବାଚିତ ହୋଇଛନ୍ତି ପ୍ରଭାତୀ ପରିଡ଼ା। ପ୍ରତିନ୍ଦ୍ଵନ୍ଦ୍ଵୀ ପ୍ରାର୍ଥୀଙ୍କୁ ୪ ହଜାରରୁ ଅଧିକ ଭୋଟରେ ପରାସ୍ତ କରି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ପ୍ରଭାତୀ ପରିଡ଼ା।

 

 

Leave A Reply

Your email address will not be published.