Latest Odisha News

BREAKING NEWS

ଆଡଭାନୀଙ୍କ ବାସଭବନକୁ ଯାଇ ଭାରତ ରତ୍ନ ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଭାରତ ରତ୍ନରେ ସମ୍ମାନିତ ହେଲେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ । ଆଡଭାନୀଙ୍କୁ ‘ଭାରତ ରତ୍ନ’ ପୁରସ୍କାରରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ । ଆଡଭାନୀଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିବାରୁ ତାଙ୍କ ବାସଭବନକୁ ଯାଇ ରାଷ୍ଟ୍ରପତି ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି । ଭାରତ ରତ୍ନ ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର ହୋଇଥିବା ବେଳେ ସାର୍ବଜନିକ ସେବା, ସାହିତ୍ୟ, ବିଜ୍ଞାନ ଓ କଳା ପରି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ।

ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ୧୦ ଜଣ ଲୋକ ଆଡଭାନୀଙ୍କ ବାସଭବନରେ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ଜେପି ନଡ୍ଡା, ଉପରାଷ୍ଟ୍ରପତି ଜଗଦୀପ ଧନକଡ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ସଂଗଠନ ମନ୍ତ୍ରୀ ବି.ଏଲ୍ ସନ୍ତୋଷ, ପୂର୍ବତନ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ଆଦି ଆଡଭାନୀଙ୍କ ଘରେ ପହଞ୍ଚିଥିଲେ ।

ଆଡଭାନୀଙ୍କୁ ଦେଶର ବିକାଶରେ ତାଙ୍କ ଯୋଗଦାନ ପାଇଁ ୨୦୧୫ରେ ଦେଶର ଦ୍ୱିତୀୟ ସର୍ବବୃହତ୍ତ ନାଗରିକ ସମ୍ମାନ ପଦ୍ମ ବିଭୂଷଣରେ ମଧ୍ୟ ସମ୍ମାନିତ କରାଯାଇଥିଲା । ସେହି ସମୟରେ ମଧ୍ୟ ସେ ବୟସାଧିକ୍ୟ କାରଣରୁ ରାଷ୍ଟ୍ରପତି ଭବନ ଆସି ପାରି ନ ଥିଲେ ଓ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ନିଜେ ତାଙ୍କ ଘରକୁ ଯାଇ ତାଙ୍କୁ ସମ୍ମାନିତ କରିଥିଲେ ।

ଆଡଭାନୀଙ୍କୁ ଭାରତ ରତ୍ନ ପ୍ରଦାନ ନେଇ ଗତ ଫେବୃଆରୀ ମାସ ୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ । ଦେଶର ବିକାଶରେ ଆଡଭାନୀଙ୍କର ଅଶେଷ ଅବଦାନ କରିଛି । ସେ ସମାଜର ସାଧାରଣ ସ୍ତରରୁ ଆରମ୍ଭ କରି ଉପପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ତାଙ୍କର ସଂସଦୀୟ କାର୍ଯ୍ୟକଳାପ ସର୍ବଦା ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ହୋଇ ରହିବ ବୋଲି ମୋଦୀ କହିଥିଲେ ।

ଗତକାଲି ରାଷ୍ଟ୍ରୀୟ ଭବନରେ ଚାରି ଜଣ ବ୍ୟକ୍ତିତ୍ୱଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିଥିଲେ ରାଷ୍ଟ୍ରପତି । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜନନାୟକ କର୍ପୁରୀ ଠାକୁର, ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓ ଓ ଚୌଧୁରୀ ଚରଣ ସିଂ ଏବଂ ଦେଶର ପ୍ରସିଦ୍ଧ କୃଷି ବୈଜ୍ଞାନିକ ଏମଏସ ସ୍ଵାମୀନାଥନଙ୍କୁ ଗତକାଲି ଭାରତ ରତ୍ନରେ ସମ୍ମାନୀତ କରାଯାଇଥିଲା ।

Leave A Reply

Your email address will not be published.