Latest Odisha News

BREAKING NEWS

ଜମି ବଦଳରେ ଚାକିରୀ ମାମଲା: ଲାଲୁ ଓ ରାବଡିଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଜମି ବଦଳରେ ଚାକିରୀ ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ ଯାଦବ, ପତ୍ନୀ ରାବଡି ଦେବୀ ଏବଂ ଝିଅ ମିସା ଭାରତୀଙ୍କୁ ରାଉଜ ଏଭେନ୍ୟୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ୫୦୦୦୦ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ କୋର୍ଟ ଏହି ତିନିଜଣଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୯ରେ ହେବ। ଫେବୃଆରୀ ୨୭ରେ, ଲାଲୁଙ୍କ ପତ୍ନୀ ରାବଡି ଦେବୀ, ଝିଅ ମିସା ଭାରତୀଙ୍କ ସମେତ ଅନ୍ୟ ୧୪ ଅଭିଯୁକ୍ତଙ୍କ ବିରୋଧରେ କୋର୍ଟ ସମନ ଜାରି କରିଥିଲେ । ଉଲ୍ଲେଖ ଥାଉ କି ଜମି ବଦଳରେ ରେଳବାଇରେ ଚାକିରୀ ଅଭିଯୋଗରେ ସିବିଆଇ ଏକ ମାମଲା ରୁଜୁ କରିଥିଲା।

ଅକ୍ଟୋବର ୨୦୨୨ରେ, ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ରାବଡି ଦେବୀଙ୍କ ସମେତ ୧୪ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ଏକ ଚାର୍ଜସିଟ୍ ଦାଖଲ କରିଥିଲା। ମାର୍ଚ୍ଚ ୬ରେ ରାବଡି ଦେବୀଙ୍କୁ ତାଙ୍କ ପାଟନା ବାସଭବନରେ ୩ ଘଣ୍ଟା ଧରି ସିବିଆଇ ପଚରାଉଚରା କରିଥିଲା।

ଏହା ପରେ ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କୁ ମଧ୍ୟ ଦିଲ୍ଲୀରେ ପଚରାଉଚରା କରାଯାଇଥିଲା। ଏହି ମାମଲାରେ ଇଡି ଅଧିକାରୀ ମାର୍ଚ୍ଚ ୧୦ରେ ଲାଲୁ ଯାଦବ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଘର ଉପରେ ଚଢ଼ାଉ କରିଥିଲେ। ଫେବୃଆରୀ ୨୭ରେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ ଲାଲୁଙ୍କ ସମେତ ତାଙ୍କ ଝିଅ, ପତ୍ନୀ ଓ ଅନ୍ୟ ଅଭିଯୁକ୍ତଙ୍କୁ ମାର୍ଚ୍ଚ ୧୫ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ।

Comments are closed.