Latest Odisha News

ସ୍ଵପ୍ନ ପାଲଟିଛି ନବରଙ୍ଗପୁର-ଜୟପୁର ରେଳ ପ୍ରକଳ୍ପ, MoU ସ୍ଵାକ୍ଷରର ୭ବର୍ଷ ପରେ ବି ହୋଇପାରୁନି ଜମି ଅଧିଗ୍ରହଣ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଲୋକଙ୍କ ପାଇଁ ସ୍ଵପ୍ନ ପାଲଟିଛି ନବରଙ୍ଗପୁର-ଜୟପୁର ରେଳ ପ୍ରକଳ୍ପ । ନବରଙ୍ଗପୁର-ଜୟପୁର ରେଳ ପ୍ରକଳ୍ପ ପାଇଁ MoU ସ୍ଵାକ୍ଷରିତ ହେବାକୁ ଏହାରି ଭିତରେ ୭ବର୍ଷ ବିତିଗଲା କିନ୍ତୁ, ଏଥିପାଇଁ ଏଯାବତ୍ ହୋଇପାରୁନି ଜମି ଅଧିଗ୍ରହଣ । ଏହାକୁ ନଜରରେ ରଖି ଏବେ ସନ୍ଦେହ ଘେରରେ ଏହି ରେଳ ପ୍ରକଳ୍ପ ।

କେନ୍ଦ୍ର ସରକାର ନିଜ ବଜେଟରେ ପ୍ରତି ବର୍ଷ ଏହି ପ୍ରକଳ୍ପ ପାଇଁ ଟଙ୍କା ଅନୁମୋଦନ ଦେଉଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଇଛା ଶକ୍ତି ଅଭାବ ଯୋଗୁଁ ପ୍ରକଳ୍ପ କାର୍ଯ୍ୟ ଆଗେଇପାରୁନାହିଁ l ରାଜ୍ୟ ସରକାର ଏହି ପ୍ରକଳ୍ପ ପାଇଁ ମାଗଣାରେ ଜମି ଯୋଗାଇବା ସହ ପ୍ରକଳ୍ପ ଖର୍ଚ୍ଚର ୫୦% ଖର୍ଚ୍ଚ ବହନ କରିବେ ବୋଲି MoUରେ ସ୍ଵାକ୍ଷର କରିଥିଲେ l ପ୍ରକଳ୍ପ ମଞ୍ଜୁର ହେବା ପରେ କେନ୍ଦ୍ର ସରକାର ପ୍ରତିବର୍ଷ ବଜେଟରେ ଟଙ୍କା ରଖି ଆସୁଛନ୍ତି l ୨୦୨୧-୨୨ ମସିହାରେ ୧୫.୭୦କୋଟି, ୨୦୨୨-୨୩ମସିହାରେ ୮୧ କୋଟି ଓ ୨୦୨୩-୨୪ ମସିହାରେ ୧୦୦ କୋଟି ଟଙ୍କା ମଞ୍ଜୁର କରି ବଜେଟରେ ସ୍ଥାନ ଦେଇଛନ୍ତି l

ନବରଙ୍ଗପୁର-ଜୟପୁର ରେଳ ପ୍ରକଳ୍ପ ୩୮ କିଲୋମିଟର ବିଶିଷ୍ଟ ହୋଇଥିବା ବେଳେ ଏଥିପାଇଁ ୪୧.୯୦ କିଲୋମିଟର ସର୍ଭେ ସମ୍ପନ୍ନ ହୋଇଯାଇଛି l କୋରାପୁଟ ଜିଲ୍ଲାର ୨୦ ଟି ଗ୍ରାମ ଓ ନବରଙ୍ଗପୁର ଜିଲ୍ଲର ୬ ଟି ଗ୍ରାମ ଦେଇ ଏହି ରେଳ ରାସ୍ତା ଯିବାର ଧାର୍ଯ୍ୟ କରାଯାଇଛି l ଏହି ୬ଟି ଗ୍ରାମର ୧୮୦ ଏକର ଜମି ଅଧିଗ୍ରହଣ କରିବାର ନିଷ୍ପତ୍ତି ନିଆଯାଇଛି l ସେ ଭିତରୁ ୧୪୫.୬୪ ଏକର ଘରୋଇ ଜମି, ୩୨.୪୨ଏକର ସରକାରୀ ଜମି ଓ ୨.୦୩ ଏକର ଜଙ୍ଗଲ ଜମି ରହିଛି l ନବରଙ୍ଗପୁର ଜିଲ୍ଲର ୬.୯୯୫ କିମି ରେଳ ଲାଇନ ହେବାର ପ୍ରବଧାନ କରାଯାଇଛି l ନବରଙ୍ଗପୁର – ଜୟପୁର ରେଳ ପ୍ରକଳ୍ପ ଅଟକଳ ମୂଲ୍ୟ ୭୪୮ କୋଟି ଟଙ୍କା ରହିଛି l

ଦୁଃଖର ବିଷୟରେ ପ୍ରକଳ୍ପ ମଞ୍ଜୁର ହୋଇ ୭ବର୍ଷ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଇଞ୍ଚେ ମଧ୍ୟ ଜମି ଅଧିଗ୍ରହଣ ନହେବାରୁ ପ୍ରକଳ୍ପ ଆରମ୍ଭ ହୋଇପାରୁନାହିଁ l ଅନ୍ୟପଟେ ଇନ୍ଦ୍ରାବତୀ ନଦୀ ଉପରେ ନିର୍ମାଣ ହେଉଥିବା ରେଳ ବ୍ରିଜର କାର୍ଯ୍ୟ ମଧ୍ୟ ପ୍ରାୟ ବର୍ଷେ ହେବ ବନ୍ଦ ହୋଇ ପଡ଼ିରହିଛି l ଯାହାକୁ ନେଇଁ ଜିଲ୍ଲାବାସୀ ନାପସନ୍ଦ କରିଥିବା ବେଳେ ନବରଙ୍ଗପୁର ପୂର୍ବତନ ସାଂସଦ ଏହି ବିଷୟକୁ ନେଇଁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

Comments are closed.