ଭୁବନେଶ୍ୱର: ବାତ୍ୟା ‘ଅକୱାନ୍’ (Cyclone Akvan)ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଭାରତୀୟ ପାଣିପାଗ ବିଭାଗ (IMD)ର ସୂଚନା ଅନୁଯାୟୀ, ବାତ୍ୟାର ବାହ୍ୟ ମେଘଖଣ୍ଡ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳକୁ ପ୍ରବେଶ କରିସାରିଛି। ଦୀର୍ଘ ସମୟର ଆଶଙ୍କାର ଅନ୍ତ ଘଟାଇ ଶେଷରେ ସ୍ଥଳଭାଗ ଛୁଇଁବା ଆରମ୍ଭ କରିଛି ବାତ୍ୟା ‘ଅକୱାନ୍’। ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ଏହି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିବ ଏବଂ ଆଜି ପୂର୍ବାହ୍ନ ସୁଦ୍ଧା ଏହା ସମ୍ପୂର୍ଣ୍ଣ ଭାବେ ସ୍ଥଳଭାଗ ଅତିକ୍ରମ କରିସାରିଥିବ।
କାଲିଠୁ ଆଜି ମଧ୍ୟରେ ଗୋପାଳପୁରରେ ସବୁଠୁ ଅଧିକ ବର୍ଷା ଜାରି ରହିଛି। ଭୋର ୪ଟା ୩୦ ସୁଦ୍ଧା ଗୋପାଳପୁରରେ ୧୬୬ ମିମି ବର୍ଷା ହୋଇଥିବା ବେଳେ ଚାନ୍ଦବାଲିରେ ୯୦, ପାରାଦୀପରେ ୮୪ ଓ ପୁରୀରେ ୭୩ ମିମି ବର୍ଷା ହୋଇଛି। ଗୋପାଳପୁର ନିକଟବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୭୦ରୁ ୮୦ କିମି ରହିଥିବା ବେଳେ କିଛି ସ୍ଥାନରେ ଝଟକା ପବନର ବେଗ ୯୦ କିମି ରହିଛି । ଗତ ୬ ଘଣ୍ଟାରେ ୨୧ କିମି ବେଗରେ ଗତି କରୁଛି ଅକ୍ୱାନ୍।
