ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ
ଶାସ୍ତ୍ରୀୟ ଭାଷାର ଗୌରବ ପାଇଥିବା ତଥା ଭାଷା ଆଧାରରେ ଭୌଗୋଳିକ ଭୂଖଣ୍ଡ ଦେଇଥିବା ଆମ ଓଡ଼ିଆ ଭାଷାର ପ୍ରାଚୀନତା, ସାରା ଭାରତରେ ଗବେଷକମାନଙ୍କୁ ଆକୃଷ୍ଟ କରି ଆସିଛି । ଏହି ପ୍ରାଚୀନତା ଆଧାରରେ ଆମ ଭାଷାକୁ ମିଳିଛି ଶାସ୍ତ୍ରୀୟ ଭାଷାର ମାନ୍ୟତା । ତାମିଲ୍, ସଂସ୍କୃତ, କନ୍ନଡ଼, ତେଲୁଗୁ ଓ ମାଲାୟାଲମ୍ ଭାଷା ପରେ ଓଡ଼ିଆ ଭାଷାକୁ ଏହି ଗୌରବ ମିଳିଛି ।
ପୋଥିରେ ଆମ ଭାଷାର ସ୍ୱାକ୍ଷର, ପଥରରେ ଆମ ଭାଷାର ଅକ୍ଷର । ତାମ୍ରପତ୍ର, ସନନ୍ଦ, ପାହାଡ଼ ଗୁମ୍ଫା, ମନ୍ଦିର କାନ୍ଥ, ସ୍ତମ୍ଭ, ଶିଳାଲେଖରେ ଆମ ଲିପି, ଆମ ଭାଷାର କ୍ରମବିକାଶ ଦେଖିଲେ ଆମେ ଯେ ଏତେ ହଜାର ବର୍ଷର ପୁରୁଣା ଲିପି ଓ ଭାଷାର ଦାୟାଦ ସେକଥା ଉପଲବ୍ଧି କରୁ । ମାଧବ ବର୍ମାଙ୍କ ସନନ୍ଦ ହେଉ କି ଉର୍ଜାମ ଶିଳାଲେଖ, ଶ୍ରୀଜଙ୍ଗ ଶିଳାଲେଖ ହେଉ କି ଜୟବିଜୟ ଶିଳାଲେଖ ସବୁଠି ଆମ ଭାଷାର ପ୍ରାଚୀନତାର ପ୍ରମାଣ । ଅନଙ୍ଗ ଭୀମଦେବ ତୃତୀୟ, ଚନ୍ଦ୍ରିକା ଦେବୀ, ଅଚ୍ୟୁତ ବଳିୟାର ସିଂହ, ନରସିଂହ ଦେବ, ମାଧବ ବର୍ମା, ଶିବରାଜ, ପୁରୁଷୋତ୍ତମ ଦେବ, କପିଳେଶ୍ୱର ଦେବ, ଶ୍ରୀ ବିଚିତ୍ର ଭାନୁଦେବ, ଶୁଭକର ଦେବ, ଖାରବେଳ, ଅଶୋକଙ୍କ ସମୟର ଯେତେସବୁ ଅଭିଲେଖ ଆମ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆବିଷ୍କୃତ ହୋଇଛି, ସେସବୁର ପାଠୋଦ୍ଧାର ହୋଇଛି ସତରେ ଖୁବ୍ ଉତ୍ସାହପ୍ରଦ ।
ଏକାଦଶ ଶତାବ୍ଦୀର ଗଣ୍ଡିବେଡ଼ ଅଭିଲେଖ, ଦଶମ ଶତାବ୍ଦୀର ମହାରାଜା ଉଦୟଖେଡ଼ିଙ୍କ ଗଞ୍ଜାମ ସନନ୍ଦ, ୧୦୨୩ ରୁ ୧୦୩୦ ମଧ୍ୟରେ ଲିଖିତ ସୋମବଂଶୀ ଇନ୍ଦ୍ରନାଥଙ୍କ ବାଣପୁର ତାମ୍ରପଟା ଓ ଗଙ୍ଗବଂଶ ଶାସନ କାଳୀନ ଅଭିଲେଖ ଆମକୁ ଅନେକ କଥା କହେ । ସତ୍ୟନାରାୟଣ ରାଜଗୁରୁ, ପରମାନନ୍ଦ ଆଚାର୍ଯ୍ୟ, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, କେଦାରନାଥ ମହାପାତ୍ର, କୁଞ୍ଜବିହାରୀ ତ୍ରିପାଠୀ, ମନମୋହନ ଚକ୍ରବର୍ତ୍ତୀ, ଦୀନେଶ ଚନ୍ଦ୍ର ସରକାର ପ୍ରମୁଖ ବହୁ ଐତିହାସିକ, ପ୍ରତ୍ନତତ୍ତ୍ୱବିତ୍ ଆମ ଲିପି ଓ ଭାଷାର କ୍ରମବିକାଶ କଥା ଖୁବ୍ ସୁନ୍ଦର ଭାବେ ବିଶ୍ଳେଷଣ କରି ଏଯାବତ୍ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ମିଳିଥିବା ଅଭିଲେଖଗୁଡ଼ିକର ଅନୁଶୀଳନ କରିଛନ୍ତି । ଆମ ଅଭିଲେଖରେ ଆମ ଭାଷାର ପ୍ରାଚୀନତା ସ୍ପଷ୍ଟ ।
ପ୍ରତ୍ନ ଓଡ଼ିଆଠୁ ଆଧୁନିକ ଓଡ଼ିଆ ପର୍ଯ୍ୟନ୍ତ ଆମ ଭାଷାର ଗତିଶୀଳତା ଗବେଷକମାନଙ୍କୁ ଉତ୍ସାହିତ କରିଆସିଛି । ଅଭିଲେଖର ଭାଷାକୁ ଅନୁଶୀଳନ କଲେ ଏହା ପ୍ରାଚୀନ, ସମୃଦ୍ଧ, ସ୍ୱତନ୍ତ୍ର ଭାଷା ଭାବେ ପ୍ରତିଷ୍ଠିତ ଆମ ଓଡ଼ିଆ ଭାଷାର ମହକ ଓ ମିଠାପଣକୁ ଆମ ଆଗରେ ଉପସ୍ଥାପନ କରିବା ଭଳି ଅନୁଭବ ହୁଏ । ପୋଥି, ପଥର, ପ୍ରତ୍ନତତ୍ତ୍ୱରେ ସାଇତା ସଂପଦ, ଆମ ଓଡ଼ିଆ ଭାଷା । ଭାରତର ଷଷ୍ଠ ଶାସ୍ତ୍ରୀୟ ଭାଷା, ଅଭିଲେଖର ଅଲିଭା ଅକ୍ଷରରେ ଆମ ଭାଷାର ପ୍ରାଚୀନତାର ପ୍ରମାଣ ଖୋଦିତ ହୋଇରହିଛି । ଓଡ଼ିଆ ଭାଷାରେ ଆବିଷ୍କୃତ ଶିଳାଲେଖ, ସନନ୍ଦରେ ସାଇତି ହୋଇ ରହିଥିବା ବର୍ଣ୍ଣ ଓ ଶବ୍ଦ ଦେଖିଲେ ବିସ୍ମିତ ହେବାକୁ ହୁଏ । ଏତେ ପ୍ରାଚୀନ, ଏଭଳି ସମୃଦ୍ଧ ଭାଷା କିଭଳି କ୍ରମାନ୍ୱୟରେ କ୍ରମବିକଶିତ ହୋଇଛି ତାହା ବାସ୍ତବିକ୍ ଅବର୍ଣ୍ଣନୀୟ । ଅନେକ ଶିଳାଲେଖ, ଆମ ଲିପି ଓ ଭାଷାର ଅନ୍ୟ ସ୍ୱାକ୍ଷର । ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀର ଅଶୋକଙ୍କ ଧଉଳି ଓ ଜଉଗଡ଼ ଶିଳାଲେଖଠାରୁ ଆରମ୍ଭ କରି ଖ୍ରୀଷ୍ଟାବ୍ଦ ୧୦୫୧ ର ପ୍ରଥମ ପୂର୍ଣ୍ଣାଙ୍ଗ ଓଡ଼ିଆ ଶିଳାଲେଖ ଉର୍ଜାମ ପର୍ଯ୍ୟନ୍ତ ଅନୁଶୀଳନ କଲେ ବ୍ରାହ୍ମୀଲିପିରୁ ଓଡ଼ିଆ ଲିପିର କ୍ରମବମିକାଶ ସହ ଭାଷାର ପ୍ରବାହ ଓ ଗତିଶୀଳତାକୁ ଲକ୍ଷ୍ୟ କରାଯାଇପାରେ । ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀର ଖାରବେଳଙ୍କ ଉଦ୍ରଗିରି ହାତୀ ଗୁମ୍ଫା ଅଭିଲେଖ, ଖ୍ରୀଷ୍ଟାବ୍ଦ ତୃତୀୟ ଶତାବ୍ଦୀର ରଣଭଦ୍ରଙ୍କ ଅଭିଲେଖ, ଖ୍ରୀଷ୍ଟାବ୍ଦ ୫୭୦ର ଶୈଳୋଦ୍ଭବ ବଂଶୀୟ ଧର୍ମରାଜଙ୍କ ସୁମଣ୍ଡଳ ତାମ୍ରଶାସନ, ଖ୍ରୀଷ୍ଟାବ୍ଦ ୬ ଶହର ଭୋଜବିଗ୍ରହଙ୍କ କଣାସ ତାମ୍ର ଶାସନ, ଖ୍ରୀଷ୍ଟାବ୍ଦ ୬୦୨ର ଶବରାଜଙ୍କ ପଟିଆ କିଲ୍ଲା ତାମ୍ରଶାସନ, ଖ୍ରୀଷ୍ଟାବ୍ଦ ୬୨୦ର ମାଧବବର୍ମାଙ୍କ ଗଞ୍ଜାମ ତାମ୍ରଶାସନ, ଖ୍ରୀଷ୍ଟାବ୍ଦ ୧୦୫୧ର ଉରଜାମ ଅଭିଲେଖ ଖ୍ରୀଷ୍ଟାବ୍ଦ ୧୨୬୧ର ଭୁବନେଶ୍ୱର ଦ୍ୱିଭାଷିକ ଅଭିଲେଖ, ଖ୍ରୀଷ୍ଟାବ୍ଦ ୧୪୦୩ର ଶ୍ରୀକୂର୍ମେଶ୍ୱର ଅଭିଲେଖ ସମେତ ବାଲେଶ୍ୱର ଜିଲ୍ଲା ସୋର ଅନ୍ତର୍ଗତ ଗଣ୍ଡିବେଡ଼ ଗ୍ରାମରୁ ମିଳିଥିବା ଗୋଟିଏ ଜୈନ ମୂର୍ତ୍ତିର ପାଦତଳେ ଖୋଦିତ ଓଡ଼ିଆ ପଦ୍ୟ – “ଦେବ କହି ଭଗତି କରୁଣ, ଅଛନ୍ତି ଭୋ କୁମାର ସେଣ ।” ଏସବୁରେ ରହିଛି ଆମ ଭାଷା, ଆମ ଲିପିର ଆଦ୍ୟ ପରିଚୟ ।
ଆମେ ଆମ ଅଭିଲେଖଗୁଡ଼ିକର ଭାଷାତାତ୍ତ୍ୱିକ ଅଧ୍ୟୟନ କଲେ ବିସ୍ମିତ ହେବାକୁ ହୁଏ ଯେ, ଆମ ବର୍ଣ୍ଣମାଳାର ଅଣଚାଶଟି ବର୍ଣ୍ଣ ଅଧିକାଂଶ ଅଭିଲେଖରେ ଖୋଦିତ । ଖାଲି ସେତିକି ନୁହେଁ ଓଡ଼ିଆ ବିଭକ୍ତିର ଚିହ୍ନ ମଧ୍ୟ ଏସବୁଥିରେ ସ୍ପଷ୍ଟ । ଅବଶ୍ୟ ଇ, ଈ, ଉ, ଊ, ସ, ଶ, ଷ ଏଭଳି ସ୍ୱାତନ୍ତ୍ର୍ୟର ବ୍ୟବହାର ନ ହୋଇ ଏହାକୁ ସ୍ୱାଭାବିକ ଭାବେ ଲେଖା ଯାଇଥିବା ଦେଖାଯାଏ । ପ୍ରାଚୀନ ଅଭିଲେଖଗୁଡ଼ିକରେ ପାଲି, ପ୍ରାକୃତ ଶବ୍ଦାବଳୀର ବହୁଳ ବ୍ୟବହାର ବି ଗୋଟି, ବଡ଼ ବୈଶିଷ୍ଟ୍ୟ । ଖ୍ରୀଷ୍ଟାବ୍ଦ ତୃତୀୟ ଶତାବ୍ଦୀର ମହାରାଜ ରଣଭଦ୍ରଙ୍କ ଖୋଦିତ ଭଦ୍ରକ ଅନ୍ତର୍ଗତ ଭଦ୍ରକାଳୀ ଶିଳାଲେଖର ଦୃଷ୍ଟାନ୍ତ ଦିଆଯାଉ – ଅଗି (ଅଗ୍ନି), ଆଯ୍ୟ (ଆର୍ଯ୍ୟ), ବାପ (ବ୍ୟାପକ), ସିରି (ଶ୍ରୀ) ଇତ୍ୟାଦି । ଆମେ ୧୩୯୪ ଖ୍ରୀଷ୍ଟାବ୍ଦର ଶଙ୍କରାନନ୍ଦ ମଠ ତାମ୍ର ଶାସନକୁ ଅନୁଶୀଳନ କଲାବେଳ ଭିତର, ଭୂମି, ଶ,ଏ ବାଟ, ଦିନ, ଏକାଦଶୀ, ଆଉ, କୋଠ, ଭାଗ, ତିନିସ, ବାଇସି, କଲା, ମଠ, ମାତ୍ରା ଆଦି ବହୁ ଓଡ଼ିଆ ଶବ୍ଦ ଦେଖୁ । ଯାହା ଆଲୋଚନା କରୁଥିଳେ, ଶ, ଷ, ସ ଅଲଗା ନ ହୋଇ ଅନେକ ସମୟରେ ଏକ ଭାବେ ବ୍ୟବହାର ହୋଇଛି । ଏଇ ଯେମିତି ଶଙ୍କରାନନ୍ଦ ମଠ ତାମ୍ରାଶାସନର ଶ, (ଶହେ), ତିନିସ (ତିନିଶହ), ବାଇସି (ବାଇଶି) ଇତ୍ୟାଦି । କୌତୂହଳର କଥା, ଏହି ତାମ୍ରଶାସନରେ ଆଉ ଠାଏ ସଏ (ଶହେ) ଲେଖାଯାଇଛି । ୧୨୭୮ ଖ୍ରୀଷ୍ଟାବ୍ଦର ଅନନ୍ତ ବାସୁଦେବ ମନ୍ଦିର ଶିଳାଲେଖ, ଭୁବନେଶ୍ୱରରେ ସମୁଦାୟ ୨୩ଟି ସଂସ୍କଅତ ଶ୍ଳୋକ ଥିବା କଥା ପାଠୋଦ୍ଧାରରୁ ଜଣାଯାଏ । ତେବେ ଏଥିରେ ତରତର, ସଙ୍ଗରେ, ଧୁନି, ଲୋକ, କଳ, ମାଳ, କଣିକା, ପାତାଳ ପ୍ରଭୃତି ଓଡ଼ିଆ ଶବ୍ଦ ରହିଥିବା ବି ଦେଖାଯାଏ । ଅଭିଲେଖର ଆଲୋଚନାବେଳେ ଭୁବନେଶ୍ୱରର ଉଦୟଗିରିରେ ଥିବା ଖାରବେଳଙ୍କ ହାତୀଗୁମ୍ଫା ପ୍ରଶସ୍ତି, ଯାହା ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀ ସମୟର ସେହି ଶିଳାଲେଖରୁ ଉଦ୍ଧାର ହୋଇଥିବା ପ୍ରତ୍ନ ଓଡ଼ିଆ ଶବ୍ଦାବଳୀରୁ କିଛି ଶବ୍ଦ ଉଦ୍ଧାର କରିବା ଉଚିତ୍ ମନେହୁଏ – ସିରି (ଶ୍ରୀ), ପନ୍ଦରସ (ପନ୍ଦର), ଲଖନେନ (ଲକ୍ଷଣ), ଯୋବରାଜ (ଯୁବରାଜ), ପଛିମ (ପଶ୍ଚିମ), ବହୁଳଂ (ବହୁତ), ଅଠମେ (ଅଷ୍ଟମେ), ତପସି (ତପସ୍ୱୀ), ଅଠତିସାୟ (ଅଠତିରିଶ), ପବତେ (ପର୍ବତେ) ଆଦି ଶବ୍ଦ ସହ ସୁଭ (ଲାଭ), ସିତଳ (ଶୀତଳ), ଗଜ, ନର, ବାଟ, ବିଧି, ହିତ, କର, ବଣ, ବାହନ, ଘର, ଜୟ, ନଗରି (ନଗରୀ), ଦେହ, କାଳ, କୁଳ, ବଳ ଆଦି ଶବ୍ଦର ବ୍ୟବହାର ହୋଇଥିବା ଦେଖାଯାଏ । ବ୍ରାହ୍ମଣ ଶବ୍ଦ ପାଇଁ ଏହି ଶିଳାଲେଖରେ ଦମ୍ଭଶାନଂ, କୁଶଳ ପାଇଁ କୁସଳୋ, ପ୍ରବେଶ ପାଇଁ ପବେସ, ପୋଖରୀ ପାଇଁ ତଡ଼ାଗ, ନିବାସ ପାଇଁ ନିବେସିତଂ ଶବ୍ଦର ବ୍ୟବହାର ହୋଇଥିବା କଥା ଲିପିତତ୍ତ୍ୱବିତ୍ ଓ ଐତିହାସିକଗଣ ମତ ଦିଅନ୍ତି । ଖାରବେଳଙ୍କ ଖଣ୍ଡଗିରି-ଉଦୟଗିରିର ହାତୀଗୁମ୍ଫା ଶିଳାଲେଖ ଭଳି ଅଶୋକଙ୍କ ଧଉଳି-ଜଉଗଡ଼ ଶିଳାଲେଖ ପ୍ରସିଦ୍ଧ ।
କ୍ରମଶଃ…
ବରିଷ୍ଠ ଗବେଷକ,
ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର,
ଶିକ୍ଷା ମନ୍ତ୍ରାଳୟ, ଭାରତ ସରକାର,
ଭୁବନେଶ୍ୱର-୭୫୧୦୦୯