Latest Odisha News

BREAKING NEWS

ଭୁବନେଶ୍ୱର ଏମ୍ସରେ ହିନ୍ଦୀ ପ୍ରସଙ୍ଗ: ନିର୍ଦ୍ଦେଶିକା କହିଲେ ହିନ୍ଦୀ ବ୍ୟବହାର ଲାଗି ନିର୍ଦ୍ଦେଶାନାମା ଜାରୀ ହୋଇଛି

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର ନିର୍ଦ୍ଦେଶିକା ବି ଗୀତାଞ୍ଜଳି ଶନିବାର ଦିନ ଏକ ସ୍ପଷ୍ଟିକରଣ ଦେଇ କହିଛନ୍ତି ଯେ, ହିନ୍ଦୀ ଭାଷା ବ୍ୟବହାର ଲାଗି ଜାରି କରାଯାଇଥିବା ନିର୍ଦ୍ଦେଶାନାମାର ଭୂଲ୍ ଭାବେ ଅବତାରଣା କରାଯାଇଛି ।

ଭୁବନେଶ୍ୱରସ୍ଥିତ ଏମ୍ସରେ ଓଡ଼ିଆ ଭାଷା ପ୍ରତି ବୈମାତୃକ ମନୋଭାବ ପୋଷଣ ହେଉଥିବା ନେଇ ବିଜେଡ଼ି ଓ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯିବାର ଦିନକ ପରେ ଏମ୍ସ ପକ୍ଷରୁ ଏହି ପ୍ରତିକ୍ରିୟା ଆସିଛି ।

“ଆଇନ ଅନୁଯାୟୀ ହିନ୍ଦୀ ଭାଷା ବ୍ୟବହାର ଲାଗି ଏମ୍ସରେ ଆଭ୍ୟନ୍ତରୀଣ ନିର୍ଦ୍ଦେଶାନାମା ଜାରି ହୋଇଛି । ଯେଉଁ କର୍ମଚାରୀମାନେ ହିନ୍ଦୀ ଜାଣିଛନ୍ତି ସେମାନଙ୍କୁ ହିନ୍ଦୀ ବ୍ୟବହାର କରିବାକୁ କୁହାଯାଇଛି । ରୋଗୀଙ୍କ ସହିତ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ।” ବିଜେଡ଼ି ସଂସଦୀୟ ଦଳ ନେତା ପିନାକୀ ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ସହିତ ବୈଠକ ହେବାପରେ ଏମ୍ସ ନିର୍ଦ୍ଦେଶିକା ବି ଗୀତାଞ୍ଜଳି ଏହା କହିଛନ୍ତି ।

ଏମ୍ସ ନିର୍ଦ୍ଦେଶିକା ଆହୁରି ମଧ୍ୟ କହିଛନ୍ତି ଯେ, ହସ୍ପିଟାଲରେ ରୋଗୀମାନଙ୍କ ଲାଗି ବ୍ୟବହାର ହେଉଥିବା ଫର୍ମ ଗୁ୍‌୍‌ଡ଼ିକ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ରହିଛି । ଏହି ପରିପ୍ରେକ୍ଷୀରେ ସମସ୍ତ ମେଡ଼ିକାଲ୍ ଓ ନର୍ସିଂ ପ୍ରଫେସନାଲମାନଙ୍କୁ ଓଡ଼ିଆ ଶିକ୍ଷାଦାନ ଦିଆଯାଉଛି । ରୋଗୀମାନଙ୍କ ସହିତ ଠିକ୍ ଭାବେ ଯୋଗାଯୋଗ କରିବା ଲାଗି ଏହି ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ଏମ୍ସ ନିର୍ଦ୍ଦେଶିକା କହିଛନ୍ତି ।

ଏଠାରେ ସୂଚନାଯୋଗ୍ୟ, ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ସରକାରୀ ଭାଷା ଅଧିନିୟମ ୧୯୭୬ ଅନୁଯାୟୀ ମେଡ଼ିକାଲ୍ କର୍ମଚାରୀମାନେ ହିନ୍ଦୀ ଭାଷାରେ ଚିଠି ପ୍ରସ୍ତୁତ କରିବାକୁ ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଏହାକୁ ନେଇ ବିଜେଡ଼ି ପକ୍ଷରୁ ପ୍ରତିବାଦ କରାଯାଇଥିଲା । ଏପରିକି ବିଜେଡ଼ି ସଂସଦୀୟ ଦଳ ନେତା ପିନାକୀ ମିଶ୍ରଙ୍କ ନେତୃତ୍ୱରେ ଏକ ୯ ଜଣିଆ ସଦସ୍ୟ ବିଶିଷ୍ଟ ପ୍ରତିନିଧି ଦଳ ଏମ୍ସ ନିର୍ଦ୍ଦେଶକଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।

Leave A Reply

Your email address will not be published.