Latest Odisha News

BREAKING NEWS

ପୁରୁଷ ସହଯୋଗୀ ବିନା ୪ ହଜାରରୁ ଊର୍ଦ୍ଧ୍ୱ ମହିଳା କଲେ ହଜ୍ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୦୩ତମ ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମ ପ୍ରସାରିତ ହେଇଯାଇଛି। ଆଜିର କାର୍ଯ୍ୟକ୍ରମରେ ମୋଦୀ ବର୍ଷା ଓ ବନ୍ୟା ଯୋଗୁଁ ହୋଇଥିବା କ୍ଷତି ସମ୍ପର୍କରେ ଆଲୋଚନା କରିଛନ୍ତି। ଏଥିସହିତ ହଜ୍ ତୀର୍ଥ ସମ୍ପର୍କରେ ଏବଂ ଆମେରିକା ଭାରତକୁ ଶତାଧିକ ଦୁଷ୍ପ୍ରାପ୍ୟ ଓ ପ୍ରାଚୀନ ସାମଗ୍ରୀ ଭାରତକୁ ଫେରାଇ ଦେଇଥିବା କଥା ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଦେଶରେ ଅନେକ ସ୍ଥାନରେ ବନ୍ୟା ଏବଂ ଭୂସ୍ଖଳ ଭଳି ବିପଦ ଯୋଗୁଁ ଲୋକଙ୍କୁ ଅନେକ କଷ୍ଟ ସହିବାକୁ ପଡିଛି। ଏହି ବିପର୍ଯ୍ୟୟ ମଧ୍ୟରେ ଦେଶବାସୀ ସାମୂହିକ ପ୍ରୟାସର ଶକ୍ତି ଦେଖାଇଛନ୍ତି। ଏହି ବିପଦ ସମୟରେ ଏନଡିଆରଏଫ୍, ଏସଡିଆରଏଫ ଏବଂ ସାଧାରଣ ଜନତା ମିଳିତ ଭାବରେ କାର୍ଯ୍ୟ କରିଥିଲେ ଏବଂ ସାମୂହିକ ଶକ୍ତି ପ୍ରଦର୍ଶନ କରିଥିଲେ। ବନ୍ୟା ସମୟରେ ରିଲିଫ୍‌ ଅଭିଯାନ ଚଳାଇଥିବା ଏନ୍‌ଡିଆର୍‌ଏଫ୍‌ ଓ ସେନାକୁ ପ୍ରଶଂସା କରିଛନ୍ତି ମୋଦୀ।

ସେହିପରି ଭାରତର ମୂଲ୍ୟବାନ ଐତିହ୍ୟ ଫେରସ୍ତ କରି ଥିବାରୁ ଆମେରିକା ସରକାରଙ୍କ ନିକଟରେ ମୋଦୀ କୃତଜ୍ଞତା ଜଣାଇଛନ୍ତି। ମୋଦୀ କହିଛନ୍ତି “ମୁଁ ୨୦୧୬ ଓ ୨୦୨୧ରେ ଆମେରିକା ଗସ୍ତ କରିଥିବା ବେଳେ ମଧ୍ୟ ଅନେକ କଳାକୃତି ଭାରତକୁ ଫେରସ୍ତ ମିଳିଥିଲା। ଆମର ପୁରୁଣା କଳାକୃତି ଏବଂ ମୂଲ୍ୟବାନ ଐତିହ୍ୟ ଫେରାଇ ଦେଇଥିବାରୁ ଆମେରିକା ସରକାରଙ୍କୁ ମୁଁ ଧନ୍ୟବାଦ ଦେବାକୁ ଚାହୁଁଛି।”

ଅନ୍ୟପଟେ ହଜ୍ ତୀର୍ଥ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏଥର ମନ କି ବାତ୍‌ରେ ମୁଁ ଅନେକ ସଂଖ୍ୟକ ଚିଠି ପାଇଛି, ଯାହା ମନକୁ ବହୁତ ସନ୍ତୁଷ୍ଟ କରିଛି। ଏହି ଚିଠିଗୁଡ଼ିକ ସେହି ମୁସଲମାନ ମହିଳାମାନଙ୍କ ଦ୍ୱାରା ଲେଖାଯାଇଛି ଯେଉଁମାନେ ନିକଟରେ ହଜ୍ ତୀର୍ଥଯାତ୍ରା କରି ଆସିଛନ୍ତି। ତାଙ୍କର ଏହି ଯାତ୍ରା ଅତ୍ୟନ୍ତ ସ୍ୱତନ୍ତ୍ର। ପୂର୍ବରୁ ମୁସଲମାନ ମହିଳାମାନଙ୍କୁ ମହରମ ବିନା ହଜ୍ କରିବାକୁ ଅନୁମତି ଦିଆଯାଉନଥିଲା। ଏବେ କିନ୍ତୁ ତାହା ବଦଳିଛି। ପୁରୁଷ ସହଯୋଗୀ ବିନା ଚଳିତ ବର୍ଷ କିପରି ୪୦୦୦ରୁ ଊର୍ଦ୍ଧ୍ବ ମହିଳାଙ୍କୁ ହଜ ପାଇଁ ସାଉଦି ଆରବ ପଠାଗଲା ତାହା ବି ପ୍ରଧାନମନ୍ତ୍ରୀ କହିଛନ୍ତି। ମହରମ ବିନା ହଜରେ ଯାଉଥିବା ମହିଳାମାନଙ୍କ ପାଇଁ ମହିଳା ସଂଯୋଜକମାନଙ୍କୁ ସ୍ୱତନ୍ତ୍ର ଭାବେ ନିଯୁକ୍ତ କରାଯାଇଥିଲା। ଏଥିପାଇଁ ସୁବିଧା ଯୋଗାଇ ଦେଇଥିବା ସାଉଦୀ ସରକାରଙ୍କୁ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ହଜ୍ ନୀତିରେ କରାଯାଇଥିବା ପରିବର୍ତ୍ତନଗୁଡିକ ଅତ୍ୟଧିକ ପ୍ରଶଂସନୀୟ। ବର୍ତ୍ତମାନ ଅଧିକରୁ ଅଧିକ ଲୋକ ହଜକୁ ଯିବାର ସୁଯୋଗ ପାଇଛନ୍ତି। ମୋଦୀ କହିଛନ୍ତି ଯେ ସ୍ୱାଧୀନତାର ୭୫ ବର୍ଷ ପୂରଣ ଅବସରରେ ଆମେ ସମସ୍ତେ ଅମୃତ ମହୋତ୍ସବ ସମ୍ପୂର୍ଣ୍ଣ ଉତ୍ସାହରେ ପାଳନ କରୁଛୁ। ଗତ ବର୍ଷ ଭଳି, ଏହି ବର୍ଷ ମଧ୍ୟ ଆମକୁ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡେଇବାକୁ ପଡ଼ିବ। ଏହି ପରମ୍ପରା ଆହୁରି ଆଗକୁ ମଧ୍ୟ ଚାଲିବ।

Leave A Reply

Your email address will not be published.