ନୂଆଦିଲ୍ଲୀ: ନାଁ ସମାନ ବଡ଼ କନଫ୍ୟୁଜନ । ସମାନ ନାଁର ସ୍ବାଧୀନ ପ୍ରାର୍ଥୀଙ୍କୁ ନେଇ ଟେନସନରେ ନେତା । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ୭ହଜାର ୯୯୪ ପ୍ରାର୍ଥୀଙ୍କ ନାମାଙ୍କନ ବୈଧ ରହିଛି । ତେବେ ବିଭିନ୍ନ ସିଟରେ ସମାନ ନାଁର ଦୁଇରୁ ତିନ ନେତା ରହିବା ଲଢେଇକୁ ଆହୁରି ରୋଚକ କରିଛି । ବିଶେଷ କରି ସମାନ ନାଁର ସ୍ବାଧୀନ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ଲଢୁଥିବା ଦଳୀୟ ନେତାଙ୍କ ନିଦ ହଜିଛି । ଏବେଠୁ ଘାରିଲାଣି ଭୋଟ୍ ଏପାଖ ସେପାଖ ହେବା ଡର । ସେଥିପାଇଁ ସମାନ ନାଁରେ ଏକାଧିକ ପ୍ରାର୍ଥୀ ଥିବା ସିଟରେ ବଢିଲାଣି ରାଜନୈତିକ ତାତି ।
ପାର୍ବତୀରେ ‘ଅଶ୍ବିନୀ’ କନଫ୍ୟୁଜନ୍
ମହାରାଷ୍ଟ୍ର ପୁଣେ ଜିଲ୍ଲାର ପାର୍ବତୀ ସିଟରେ ମହାୟୁତି ମେଣ୍ଟରୁ ବିଜେପି ପ୍ରାର୍ଥୀ ରହିଛନ୍ତି ମାଧୁରୀ ମିସାଲ ତ ମହାବିକାଶ ଅଘାଡିରୁ ମଇଦାନରେ ରହିଛନ୍ତି ଶରଦ ପାଓ୍ବାରଙ୍କ ଏନସିପିରୁ ଅଶ୍ବିନୀ କଦମ । ତେବେ ରୋଚକ କଥା ହେଲା ଟଫ୍ ଫାଇଟ୍ ହେବାକୁ ଥିବା ଏହି ସିଟରେ ଅଶ୍ବିନୀ କଦମ ନାଁରେ ତିନି ଜଣ ସ୍ବାଧୀନ ପ୍ରାର୍ଥୀ ବି ନିର୍ବାଚନ ଲଢୁଛନ୍ତି ।
ଇନ୍ଦ୍ରାପୁରରେ ଡବଲ୍ ଦ୍ବନ୍ଦ୍ବ
ପୁଣେ ଜିଲ୍ଲାର ଇନ୍ଦ୍ରାପୁର ବିଧାନସଭା ସିଟରେ ବି ନାଁକୁ ନେଇ ଦ୍ବନ୍ଦ୍ବ। ଅଜିତ ପାଓ୍ବାରଙ୍କ ଏନସିପିରୁ ଦତ୍ତାତ୍ରେୟ ଭରାଣେ ପ୍ରାର୍ଥୀ ତ ଶରଦ ପାଓ୍ବାରଙ୍କ ଏନସିପିରୁ ହର୍ଷବର୍ଦ୍ଧନ ପାଟିଲ ମଇଦାନରେ ଅଛନ୍ତି । ତେବେ ସିଟରେ ହର୍ଷବର୍ଦ୍ଧନ ପାଟିଲ ନାଁରେ ଦୁଇ ଜଣ ତ ଦତ୍ତାତ୍ରେୟ ଭରଣେ ନାଁରେ ଜଣେ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି ।
ଓ୍ବଡଗାଓଁ ସେରିରେ ବି ନାଁ ଦ୍ବନ୍ଦ୍ବ
ପୁଣେର ଓ୍ବଡଗାଓଁ ସେରିରେ ଏନସିପି ଏପିରୁ ପ୍ରାର୍ଥୀ ହୋଇଛନ୍ତି ସିଟିଂ ଏମଏଲଏ ସୁନିଲ ଟିଙ୍ଗରେ । ତାଙ୍କ ବିରୋଧରେ ଏନସିପି ଏସପି ବାପୁସାହେବ ତୁକାରାମ ପଠାରେଙ୍କୁ ଟିକେଟ୍ ଦେଇଛି । ତେବେ ଏହି ସିଟରୁ ବାପୁ ବବନ ପଠାରେ ନାମକ ଜଣେ ପ୍ରାର୍ଥୀ ସ୍ବାଧୀନ ଭାବେ ନିର୍ବାଚନ ଲଢୁଛନ୍ତି । ତାଙ୍କ ନାମାଙ୍କନ ଅସ୍ବୀକାର କରିବାକୁ ବି ନିର୍ବାଚନ ଅଧିକାରୀଙ୍କୁ ଦାବି କରିଥିଲେ ଏନସିପି ଏସପି ପ୍ରାର୍ଥୀ । ତେବେ ସ୍ବାଧୀନ ପ୍ରାର୍ଥୀଙ୍କ ନାମାଙ୍କନ କାଏମ ରହିଛି ।
ଦାପୋଲିରେ ଡବଲ ଟେନସନ୍
ରତ୍ନଗିରି ଜିଲ୍ଲାର ଦାପୋଲି ବିଧାନସଭା ସିଟରେ ଶିବସେନାର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଟକ୍କର ହେଉଛି । ଏକନାଥ ସିନ୍ଦେ ଶିବସେନାରୁ ଯୋଗେଶ କଦମ ତ ଉଦ୍ଧବ ଠାକରେ ଶିବସେନାରୁ ସଞ୍ଜୟ କଦମ ପ୍ରାର୍ଥୀ ହୋଇଛନ୍ତି । ଉଭୟଙ୍କ ନାଁର ଦୁଇ ଜଣ ଲେଖାଏଁ ସ୍ବାଧୀନ ପ୍ରାର୍ଥୀ ଏଠାରୁ ନିର୍ବାଚନ ମଇଦାନରେ ରହିଛନ୍ତି ।
ନିଦ ହଜାଇଛି ନାଁ କନଫ୍ୟୁଜନ
ସତାରା ଜିଲ୍ଲାର କୋରେଗାଓଁରେ ମହେଶ ନାଁରେ ୩ଜଣ ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି । ଜଲଗାଓଁର ମୁକ୍ତାଇନଗର ସିଟରେ ଶିବସେନା ସିନ୍ଦେରୁ ଚନ୍ଦ୍ରକାନ୍ତ ପାଟିଲ ଓ ଏନସିପିର ରୋହିଣୀ ଏକନାଥ ଖଡସେଙ୍କ ମଧ୍ୟରେ ମୁକାବିଲା ହେଉଛି । ଆସନରେ ରୋହିଣୀ ପଣ୍ଡିତ ଖଡସେ ଓ ରୋହିଣୀ ଗୋକୁଲ ଖଡସେ ନାଁରେ ଦୁଇ ଜଣ ସ୍ବାଧୀନ ପ୍ରାର୍ଥୀ ଲଢୁଛନ୍ତି । ସେହିପରି ମୁକ୍ତାଇନଗରରୁ ଚନ୍ଦ୍ରକାନ୍ତ ପାଟିଲ ନାଁରେ ବି ଦୁଇ ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି । କର୍ଜତ-ଜାମଖେଡରେ ବିଜେପିରୁ ରାମ ସିନ୍ଦେ ଓ ଏନସିପି ଏସପିରୁ ରୋହିତ ପାଓ୍ବାର ମଇଦାନରେ ରହିଛନ୍ତି । ତେବେ ରାମ ସିନ୍ଦେ ଓ ରୋହିତ ପାଓ୍ବାର ନାଁରେ ଦୁଇଜଣ ଲେଖାଏଁ ସ୍ବାଧୀନ ବି ଏହି ସିଟରୁ ପ୍ରାର୍ଥୀ ହୋଇଛନ୍ତି । ସେହିପରି ତାସଗାଓଁ-କଓ୍ବଠେ ମହାକାଳ ବିଧାନସଭା ସିଟରେ ଏନସିପିର ଦୁଇ ଗୋଷ୍ଠୀ ମଧ୍ୟରେ ମୁକାବିଲା ହେଉଛି । ଏନସିପି ଏପିରୁ ସଞ୍ଜୟ କାକା ପାଟିଲ ଓ ଏନସିପି ଏସପିରୁ ରୋହିତ ପାଟିଲ ଲଢୁଛନ୍ତି । ତେବେ ସିଟରେ ରୋହିତ ପାଟିଲଙ୍କ ନାଁରେ ୩ଜଣ ଓ ସଞ୍ଜୟ ପାଟିଲଙ୍କ ନାଁରେ ଜଣେ ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି । ସେହିପରି ଇସ୍ଲାମପୁରରେ ଏନସିପି ଏପିରୁ ନିଶିକାନ୍ତ ପାଟିଲ ଓ ଏନସିପି ଏସପିରୁ ଜୟନ୍ତ ପାଟିଲଙ୍କ ମଧ୍ୟରେ ଟକ୍କର ହେଉଛି । ଏହି ସିଟରେ ବି ନିଶିକାନ୍ତ ପାଟିଲଙ୍କ ନାଁରେ ଦୁଇ ଓ ଜୟନ୍ତ ପାଟିଲଙ୍କ ନାଁରେ ଦୁଇ ଜଣ ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି ।
Comments are closed.