Latest Odisha News

BREAKING NEWS

ସରିଲା ମୁକ୍ତେଶ୍ୱର ନୃତ୍ୟ ଉତ୍ସବ : ଓଡ଼ିଶୀ ନୃତ୍ୟରେ ଦୁଲୁକିଲା ମଞ୍ଚ

ଭୁବନେଶ୍ୱର : ଶେଷ ହେଲା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ । ତିନି ଦିନ ଧରି ଚାଲିଥିବା ଏହି ନୃତ୍ୟ ଉତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ଓଡ଼ିଶୀ ନୃତ୍ୟ । ସନ୍ଧ୍ୟାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଗୁରୁ ନିମକାନ୍ତ ରାଉତରାୟ ଓ ସାଥୀଙ୍କ ଦ୍ୱାରା ଶିବ ବନ୍ଦନାରୁ । ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ନିମକାନ୍ତ ରାଉତରାୟ । ଏକକ ପର୍ଯ୍ୟାୟରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଶିକତା ଦାସଙ୍କ ଦ୍ୱାରା ଓଡ଼ିଆ କାବ୍ୟ ନନ୍ଦିକା କେଶରୀ ପରିବେଶିତ ହୋଇଥିଲା । ଏହାର ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ସ୍ୱପ୍ନେଶ୍ୱର ଚକ୍ରବର୍ତ୍ତୀ ଓ ବାଦ୍ୟ ଗୁରୁ ସଚ୍ଚିଦାନନ୍ଦ ଦାସ । ନୃତ୍ୟ ସଂରଚନା କରିଥିଲେ ଗୁରୁ ଶିକ୍‌ତା ଦାସ । ଯୁଗ୍ମ ନୃତ୍ୟ ପର୍ଯ୍ୟାୟରେ ହିମାଂଶୁ କୁମାର ରାୟ ଓ ଦିପ୍ତୀରଞ୍ଜନ ବରାଳଙ୍କ ଦ୍ୱାରା ରୁଦ୍ର ମଣ୍ଡଳ ପରିବେଶିତ ହୋଇଥିଲା । ଶେଷରେ ସୃଜନ ଅନୁଷ୍ଟାନର ଶିଳ୍ପୀମାନେ ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ସେମାନେ ପ୍ରଥମେ ଶିବ ତାଣ୍ଡବ ସ୍ତୋତ୍ରମ୍ ପରିବେଷଣ କରିଥିଲେ । ଏହାର ସଙ୍ଗୀତ ସଂଯୋଜନା ପଣ୍ଡିତ ଭୁବନେଶ୍ୱର ମିଶ୍ର ଏବଂ ନୃତ୍ୟ ସଂରଚନା କରିଥିଲେ ଗୁରୁ ରତିକାନ୍ତ ମହାପାତ୍ର । ଅନ୍ତିମ ପ୍ରସ୍ତୁତିଟି ଥିଲା ବନ୍ଦେ ସୂର୍ଯ୍ୟମ୍ । ଯାହାର ସଂସ୍କୃତ ଅନୁବାଦ ପଣ୍ଡିତ ନିତ୍ୟାନନ୍ଦ ମିଶ୍ର, ସଙ୍ଗୀତ ସଂଯୋଜନା ଅଗ୍ନିମିତ୍ର ବେହେରା ଏବଂ ନୃତ୍ୟ ସଂରଚନା ଗୁରୁ ରତିକାନ୍ତ ମହାପାତ୍ର କରିଥିଲେ ।

ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ ରଞ୍ଜନ କୁମାର ଦାସ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ଉପ ସଭାପତି ଡ଼ଃ. ମନ୍ମଥ କୁମାର ଶତପଥୀ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ସଙ୍ଗୀତା ଗୋସାଇଁ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ଡ଼ଃ. ଶ୍ରୀନିବାସ ଘଟୁଆରୀ ଏବଂ ସଂହତି ପାଣି ।

Leave A Reply

Your email address will not be published.