Latest Odisha News

BREAKING NEWS

ଏଥର କୋହଲୀଙ୍କ ଟାର୍ଗେଟ ୧୦୦ ଶତକ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ତାଙ୍କ ପୂର୍ବ ଲୟକୁ ଫେରିଛନ୍ତି । ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ସେ ୨ଟି ଶତକ ମାରିଛନ୍ତି । ଏଥିସହ ତାଙ୍କ ଶତକ ସଂଖ୍ୟା ୭୪ରେ ପଂହଚିଛି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୧୦୦ ଆନ୍ତର୍ଜାତୀୟ ଶତକକୁ ଭାଙ୍ଗିବା ଏକ ସ୍ୱପ୍ନ ପରି ଲାଗୁଥିଲା । ମାତ୍ର କୋହଲି ଏହାର ପାଖାପାଖି ଆସି ଯାଇଛନ୍ତିି । ତେବେ ମନରେ ପ୍ରଶ୍ନ ଉଠେ ସଚିନଙ୍କ ୧୦୦ ଶତକ ରେକର୍ଡ କୋହଲି ଭାଙ୍ଗିବେ? ୨/୩ ବର୍ଷ କ୍ରମାଗତ ଖରାପ ପ୍ରଦର୍ଶନ ପରେ ପ୍ରଶଂସକମାନେ ଏହି ଆଶା ମନରୁ କାଢ଼ି ଦେଇଥିଲେ । ଏବେ ଏହି ଆଶା ପୁନର୍ବାର ସଂଚାରିତ ହୋଇଛି । ସଚିନ ୪୦ ବର୍ଷ ବୟସ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ କ୍ରିକେଟ ଖେଳିଥିଲେ । ସେ ୩୨୯ ଟେଷ୍ଟ ଇନିଂସରେ ୫୧ ଶତକ ଓ ୪୬୩ ଦିନିକିଆ ଖେଳି ୪୯ ଶତକ ହାସଲ କରିଥିଲେ । ସଚିନ ମାତ୍ର ଗୋଟିଏ ଟି୨୦ ମ୍ୟାଚ ଖେଳିଛନ୍ତି । ସଚିନଙ୍କ ରେକର୍ଡ ଭାଙ୍ଗିବା ପାଇଁ କୋହଲିଙ୍କୁ ଫିଟ ରହିବା ସହ ଆଉ ୫/୬ ବର୍ଷ ଆନ୍ତର୍ଜାତୀୟ କ୍ରିକେଟ ଖେଳିବାକୁ ପଡିବ । କୋହଲି ଫିଟ ଅଛନ୍ତି ଏବଂ ଯଦି ଫର୍ମରେ ରୁହନ୍ତି ଏହା କୌଣସି ବଡ କଥା ନୁହେଁ । ୫ ବର୍ଷରେ କୋହଲିଙ୍କୁ ଆହୁରି ୨୬ ଶତକ ମାରିବାକୁ ପଡିବ । ଯଦି ୫ ବର୍ଷ ତଳର ପୁରୁଣା ଫର୍ମ ସେ ଫେରି ପାଆନ୍ତି ତାହାହେଲେ ଏହା ଅସମ୍ଭବ ନୁହେଁ ।

ତାଙ୍କ ପୂର୍ବରୁ ସଚିନ ୪୦, ରାହୁଲ ଦ୍ରାବିଡ ୩୯ ଓ ମହେନ୍ଦ୍ର ସିଂ ଧୋନୀ ୩୮ ବର୍ଷ ପର୍ଯ୍ୟନ୍ତ ଆରାମରେ ଖେଳିଛନ୍ତି । କୋହଲି ନିଜକୁ ଫିଟ ରଖିବା ପାଇଁ ଯଥାସମ୍ଭବ ବିଶ୍ରାମ ନେଉଛନ୍ତି । ୨୦୨୦ରୁ ଆଜି ପର୍ଯ୍ୟନ୍ତ ଭାରତ ୧୩୭ ଆନ୍ତର୍ଜାତୀୟ ମ୍ୟାଚ ଖେଳିଛି । ଏଥିରୁ କୋହଲି ମାତ୍ର ୮୬ ମ୍ୟାଚ ଖେଳିଛନ୍ତି । ଯଦି ସେ ଆଗକୁ ଭଳି ବିଶ୍ରାମ ନେନେ ତାହେଲେ ୧୦୦ ଶତକ ହାସଲ କରିବା କଷ୍ଟକର ହୋଇ ପଡିବ । ଟି୨୦ରୁ ସେ ବିରତି ନେଇ ପାରନ୍ତି, ମାତ୍ର ଦିନିକିଆ ଏବଂ ଟେଷ୍ଟ ଅଧିକ ମ୍ୟାଚ ଖେଳିଲେ ଏହା ସମ୍ଭବପର ହେବନି । ଏବେ କୋହଲି ୧୭୭ ଟେଷ୍ଟ ଇନିଂସ ଖେଳି ୨୭ ଶତକ ଓ ୨୫୯ ଦିନିକିଆ ଖେଳି ୪୬ ଶତକ ହାସଲ କରିଛନ୍ତି । ୧୦୭ ଟି୨୦ରେ ଗୋଟିଏ ଶତକ ଅର୍ଜନ କରିଛନ୍ତି । ଭାରତୀୟ କ୍ରିକେଟପ୍ରେମୀଙ୍କ ମତରେ ସେ ଯାହା ବି ହେଉ ସଚିନଙ୍କ ରେକର୍ଡ ଆମ ଟିମର ଜଣେ ଖେଳାଳି ଭାଙ୍ଗୁ, ତାହାହେଲେ ଏହି ରେକର୍ଡ ଆମ ପାଖରେ ବଳବତର ରହିବ ।

Leave A Reply

Your email address will not be published.