Latest Odisha News

BREAKING NEWS

ଧଉଳୀ କଳିଙ୍ଗ ମହୋତ୍ସବର ଉଦ୍‍ଘାଟନୀ ସଂଧ୍ୟା: ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଗୁରୁ କେଳୁଚରଣ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଐତିହାସିକ ଧଉଳୀର ପାଦଦେଶରେ ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଓ ଆର୍ଟ ଭିଜନ ଦ୍ୱାରା ଆୟୋଜିତ ୧୬ତମ ଧଉଳୀ କଳିଙ୍ଗ ମହୋତ୍ସବର ସୋମବାର ଥିଲା ଉଦ୍‍ଘାଟନୀ ସଂଧ୍ୟା । ଖ୍ରୀଷ୍ଟପୂର୍ବ ୩ୟ ଶତାବ୍ଦୀରେ ଯେଉଁ ସ୍ଥାନରୁ ସମ୍ରାଟ ଅଶୋକ ଶାନ୍ତିର ବାର୍ତ୍ତା ପ୍ରଚାର କରିଥିଲେ ସେହି ସ୍ଥାନରୁ ଆଜି ଝଙ୍କୃତ ହେଉଥିଲା ଶାସ୍ତ୍ରୀୟ ନୃତ୍ୟ ସହିତ ସମରକଳା ନୃତ୍ୟର ଅପୂର୍ବ ଛନ୍ଦ ଓ ମୁର୍ଚ୍ଛନା ।

ଉଦ୍‍ଘାଟନୀ ସଂଧ୍ୟାର ପ୍ରଥମ ପରିବେଶଣ ଥିଲା ପଲ୍ଲବି ଯାହା ରାଗ ଶଙ୍କରାଭରଣ ଓ ହଂସଧ୍ୱନୀ ଏବଂ ତାଳ ଏକତାଳୀ ଉପରେ ନିବଦ୍ଧ ଥିଲା ଯାହାକୁ ଗୁରୁ କେଳୁଚରଣ ମହାପାତ୍ରଙ୍କ ଶ୍ରଦ୍ଧାଞ୍ଜଳି ସ୍ୱରୂପ ପରିବେଶଣ କରିଥିଲେ ଓଡ଼ିଶା ଡ୍ୟାନ୍ସ ଏକାଡ଼େମୀ ଓ ସୃଜନ ଅନୁଷ୍ଠାନର ଶିଳ୍ପୀମାନେ । ଉକ୍ତ ପରିବେଶଣଟିକୁ ରଚନା କରିଥିଲେ ଗୁରୁ କେଳୁରଚଣ ମହାପାତ୍ର, ସଙ୍ଗୀତ ସଂଯୋଜନା କରିଥିଲେ ପଣ୍ଡିତ ଭୁବନେଶ୍ୱର ମିଶ୍ର ଏବଂ ନୃତ୍ୟ ସଂରଚନା କରିଥିଲେ ଗୁରୁ ଅରୁଣା ମହାନ୍ତି ଓ ଗୁରୁ ରତିକାନ୍ତ ମହାପାତ୍ର ।

????????????????????????????????????

ଦ୍ୱିତୀୟ ପରିବେଶଣଟି ଥିଲା ରାଜଶ୍ରୀ ସିର୍କେ ଓ ସାଥୀଙ୍କ ଦ୍ୱାରା କଥକ ନୃତ୍ୟ । ତାଙ୍କ ପ୍ରସ୍ତୁତିରେ ଥିଲା ମହାରାଷ୍ଟ୍ରର ସନ୍ଥ ନାରୀକବୀ କାହ୍ନୋପାତ୍ରାଙ୍କ ଜୀବନି ଉପରେ ଆଧାରିତ ନୃତ୍ୟନାଟିକା । ଉକ୍ତ ପରିବେଶଣଟିକୁ କଥା କଥନ ଶୈଳୀ ଓ କଥାକାର ପଦ୍ଧତିର ସମିଶ୍ରଣରେ ଅତି ସୁନ୍ଦର ଭାବରେ ପରିବେଶଣ କରିଥିଲେ ରାଜଶ୍ରୀ ସିର୍କେ ଓ ସାଥୀ ।

ଉଦ୍‍ଘାଟନୀ ସଂଧ୍ୟାର ଶେଷ କାର୍ଯ୍ୟକ୍ରମ ଥିଲା ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ସମକାଳ ନୃତ୍ୟ ବିଶାରଦ ଓସ୍ତାଦ ଡ଼େବୁ ଓ ସାଥୀଙ୍କ ଦ୍ୱାରା ସମକାଳ ନୃତ୍ୟ ପରିବେଶଣ । ତାଙ୍କ ପରିବେଶଣରେ ଥିଲା ମହାତ୍ମାଗାନ୍ଧୀଙ୍କ ଦ୍ୱାରା ଉଦ୍ଧୃତ ପରସ୍ପର ପ୍ରତି ସମ୍ମାନ, ଦୋଷ ଓ ଦୁର୍ବଳତାକୁ ସ୍ୱିକାର କରିବା, ବ୍ୟକ୍ତିତ୍ୱକୁ ବୁଝିବା ଏବଂ ଅନ୍ତଃନିହିତ ଗୁଣକୁ ପସନ୍ଦ କରିବା ଇତ୍ୟାଦିକୁ ବର୍ତ୍ତମାନର ପ୍ରସଙ୍ଗ ସହିତ ବାଖ୍ୟା କରିବା । ଯାହାର ନୃତ୍ୟ ସଂରଚନା କରିଥିଲେ ଓସ୍ତାଦ ଡ଼େବୁ । ସମକାଳ ନୃତ୍ୟ ମାଧ୍ୟମରେ କଳାକାରମାନଙ୍କ ପରିବେଷଣ ଅତି ନିଖୁଣ ଥିଲା ଯାହାକୁ ଦର୍ଶକ ଶେଷ ପର୍ଯ୍ୟନ୍ତ ଉପଭୋଗ କରିଥିଲେ ।

ସଂଧ୍ୟାର ଅତିଥିମାନେ ଥିଲେ ବିଶିଷ୍ଟ ନୃତ୍ୟାଙ୍ଗନା ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ଼. ପ୍ରିୟମ୍ବଦା ମହାନ୍ତି ହେଜମାଦି; ବିଶିଷ୍ଟ ଭାଷାବିଦ ଦେବୀପ୍ରସନ୍ନ ପଟ୍ଟନାୟକ; ପୂର୍ବତନ ପ୍ରଶାସକ ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ଆର. ବାଲାକ୍ରୀଷ୍ଣନ; ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସଚିବ ଗୁରୁ ଅରୁଣା ମହାନ୍ତି ଏବଂ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ଆର୍ଟ ଭିଜନର ସଚିବ ଗୁରୁ ଇଲିଆନା ସିତାରିଷ୍ଟ । କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ଡ଼. ମୃତ୍ତ୍ୟଞ୍ଜୟ ରଥ ଏବଂ ଇତିଶ୍ରୀ ଦେବୀ ।

Leave A Reply

Your email address will not be published.