Latest Odisha News

BREAKING NEWS

ରାଜାରାଣୀ ଶାସ୍ତ୍ରୀୟ ସଙ୍ଗୀତ ଉତ୍ସବ ଉଦ୍‍ଯାପିତ; ଶେଷ ସନ୍ଧ୍ୟାରେ ବିଭିନ୍ନ ରାଗ ରାଗିଣୀର ହୃଦୟସ୍ପର୍ଶୀ ପରିବେଷଣ  

ଭୁବନେଶ୍ୱର: ରାଜାରାଣୀ ସଙ୍ଗୀତ ମହୋତ୍ସବର ଆଜିଥିଲା ଅନ୍ତିମ ସନ୍ଧ୍ୟା । ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ବିଭିନ୍ନ ରାଗ ରାଗିଣୀର ହୃଦୟସ୍ପର୍ଶୀ ପରିବେଷଣ ସହିତ ଉତ୍ସବସ୍ଥଳର ଚମତ୍କାର ସାଜସଜା ଏବଂ ୧୧ଶ ଶତାବ୍ଦୀ ନିର୍ମିତ ରାଜାରାଣୀ ମନ୍ଦିରର ଅପୂର୍ବ କଳା ସ୍ଥାପତ୍ୟ ଏବଂ ସଙ୍ଗୀତମୟ ତଥା ମନୋମୁଗ୍ଧକର ପରିବେଶ ସୃଷ୍ଟି କରିପାରିଥିଲା । ରାଜ୍ୟ ପର୍ଯ୍ୟଟନ ବିଭାଗର ଏହି ପ୍ରଶଂସନୀୟ ପ୍ରୟାସ ବାସ୍ତବିକ ଶାସ୍ତ୍ରୀୟ ସଙ୍ଗୀତ ପ୍ରେମୀମାନଙ୍କୁ ଖୁବ୍‍ ଆନନ୍ଦ ଦେଇପାରିଥିଲା ।

ଅନ୍ତିମ ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ଗୁରୁ ସଚ୍ଚିଦାନନ୍ଦ ଦାସ ଓ ସାଥୀଙ୍କ ଦ୍ୱାରା ଓଡ଼ିଶୀ ମର୍ଦ୍ଦଳ ବାଦନ । ଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ପାରମ୍ପାରିକ ବାଦନରେ ବ୍ୟବହୃତ ଖଣ୍ଡି, ଗଡ଼ି, ଅରସା, ମାନ ଭଉଁରୀମାନ, ଚକାମାନ, ଜମାଣ ସହିତ ଗୁରୁ ସଚ୍ଚିଦାନନ୍ଦ ଦାସଙ୍କ ଛନ୍ଦ ପ୍ରକରଣ ଓ ବିଭିନ୍ନ ଲୟକାରୀ ଶ୍ରୋତାମାନଙ୍କୁ ଏକ ସୁନ୍ଦର ନିଆରା ଅନୁଭୁତି ଦେଉଥିଲା ଯାହାକୁ ସଙ୍ଗୀତ ପ୍ରେମୀ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ ।

ସେମାନଙ୍କର ପ୍ରସ୍ତୁତିରେ ଥିଲା ଆଦିତାଳ । ତାଙ୍କ ସହିତ କାର୍ଯ୍ୟକ୍ରମରେ ସହଯୋଗିତା କରିଥିଲେ ବୁଦ୍ଧନାଥ ସ୍ୱାଇଁ, ଦିବାକର ପରିଡ଼ା, ରାମଚନ୍ଦ୍ର ବେହେରା, ଅନୁପ ଦାସ, ମୁରଲିଧର ସ୍ୱାଇଁ, ହାରମୋନିୟମ୍‍ରେ ଗୁରୁ କୁଳମଣି ଏବଂ ବଂଶୀରେ ଶ୍ରୀନିବାସ ଶତପଥୀ । ଗୁରୁ ସଚ୍ଚିଦାନନ୍ଦ ଦାସଙ୍କର ଚମତ୍କାର ମର୍ଦ୍ଦଳ ବାଦନ ବିଶେଷ ଆକର୍ଷଣ ଥିଲା ।

ସନ୍ଧ୍ୟାର ଦ୍ୱିତୀୟ କାର୍ଯ୍ୟକ୍ରମ ଥିଲା ଆନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ ଶିଳ୍ପୀ ପଣ୍ଡିତ ଏମ୍‍ ଭେଙ୍କଟେଶ୍‍ କୁମାର । ତାଙ୍କର ପ୍ରଥମ ପ୍ରସ୍ତୁତିଟି ଥିଲା ରାଗ କଲ୍ୟାଣରେ ବିଲମ୍ବିତ ପରେ ପରେ ରାଗ ଦୁର୍ଗା ମଧ୍ୟଲୟ, ଠୁମରୀ, ବନ୍ଦୀସ । ପରେ ସେ ଦର୍ଶକଙ୍କ ଅନୁରୋଧ କ୍ରମେ କେତେେଗୋଟି ଭଜନ ପରିବେଷଣ କରିଥିଲେ ।

ତାଙ୍କୁ ସହଯୋଗ କରିଥିଲେ ତବଲାରେ କେଶବ ଜୋସୀ ଏବଂ ହାରମୋନିୟମରେ ଶତିସ୍‍ କୋଲୀ । ନିଖୁଣ ଓ ସୁନ୍ଦର ରାଗ ବିସ୍ତାର, ତାନ ଓ ସରଗମ୍‍ର ବିଭିନ୍ନ କ୍ରିୟାତ୍ମକ ପରିବେଷଣ, ସୁଲଳିତ କଣ୍ଠରେ ବିଭିନ୍ନ କଳାକୌଶଳ ପ୍ରୟୋଗ ଇତ୍ୟାଦି ଦ୍ୱାରା ସେ ଉପସ୍ଥିତ ବିଦଗ୍ଧ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ।

Leave A Reply

Your email address will not be published.