ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ‘ଅନନ୍ୟ ଶଙ୍ଖକ୍ଷେତ୍ର’
ଶ୍ରୀଗୁଣ୍ଡିଚା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଔଦାର୍ଯ୍ୟ-ଲୀଳାର ସଫଳ ସମ୍ବତ୍ସର ତଥା ମାଧୁର୍ଯ୍ୟ-ଲୀଳାର ମଞ୍ଜୁଳ ମହୋତ୍ସବ । ବାହୁଡ଼ା ପରଦିନ ଏକାଦଶୀ ତିଥିରେ ରଥ ଉପରେ ହୁଏ ଐଶ୍ୱର୍ଯ୍ୟ-ଲୀଳାର ଶ୍ରେଷ୍ଠ ପ୍ରଦର୍ଶନ- ସୁନାବେଶ ବା ବଡ଼ ତଡାଉ ବେଶ । ତଡାଉର ଅର୍ଥ ଅଳଙ୍କାର । ଶ୍ରୀବିଗ୍ରହମାନଙ୍କ ବୃହତ୍ ଅବୟବ, ବିଶାଳଭୁଜ ଓ ପ୍ରକାଣ୍ଡ ମସ୍ତକକୁ ଚାହିଁ ବିଭିନ୍ନ ସୁବର୍ଣ୍ଣ ଆଭୂଷଣ ଲାଗିହେଇ ରାଜକୀୟ ଶୈଳୀରେ ଭକ୍ତଜନକୁ ରଥ ଉପରେ ଦର୍ଶନ ଦିଅନ୍ତି ।
ଅତୀତରେ ପଞ୍ଚଦଶ ଶତାବ୍ଦୀରେ ଗଜପତି କପିଳେନ୍ଦ୍ର ଦେବ ଦାକ୍ଷିଣାତ୍ୟ ବିଜୟ କରି ୧୬ଟି ହାତୀ ପିଠିରେ ଲଦି ଆଣିଥିବା ସୁନାକୁ ମହାପ୍ରଭୁଙ୍କ ନାମରେ ଉତ୍ସର୍ଗ କରି ଚତୁର୍ଦ୍ଧାମୂତ୍ତିଙ୍କ ପାଇଁ ଏହି ଅଳଙ୍କାର ସବୁ ଗଢ଼ାଇଥିଲେ । ସେଇ କାଳରୁ ଶ୍ରୀମନ୍ଦିରରେ ଏହି ବେଶ ବର୍ଷରେ ପାଞ୍ଚ ଦିନ ହୋଇଥାଏ । ରାଜରାଜେଶ୍ୱର ବେଶ ନାମରେ ଖ୍ୟାତ ଏହି ବେଶରେ ସମୁଦାୟ ୧୩୮ ପ୍ରକାର ଅଳଙ୍କାରରେ ଶ୍ରୀବିଗ୍ରହମାନେ ଭୂଷିତ ହୁଅନ୍ତି ।
ସମ୍ପ୍ରତି ଏହି ସଂଖ୍ୟରେ ପରିବର୍ତ୍ତନ ହେଉଥିବାର ଜଣାଯାଏ । ସୁବର୍ଣ୍ଣ ଧାତୁମାନଙ୍କ ଭିତରେ ଶ୍ରେଷ୍ଠ ଧାତୁ । ଶ୍ରେଷ୍ଠତ୍ୱର ପ୍ରତିପାଦନ ଏହି ବେଶ ଧାରଣ କରିବାର ସମ୍ଭାବିତ ଉଦ୍ଦେଶ୍ୟ । ସୁନାବେଶ ଚତୁର୍ଦ୍ଧାମୂର୍ତ୍ତିଙ୍କ ୨୫ ପ୍ରକାର ବେଶ ମଧ୍ୟରେ ଶ୍ରେଷ୍ଠ, ସର୍ବାଧିକ ଜନାଦୃତ ତଥା ଭକ୍ତଙ୍କୁ ବିମୋହିତ କରିବା ପାଇଁ ସଂଯୋଜିତ । ଏହି ବେଶରେ ବଡ଼ଠାକୁର ଓ ଶ୍ରୀଜଗନ୍ନାଥଙ୍କୁ ସୁବର୍ଣ୍ଣ ଦୁଇ ଶ୍ରୀପୟର, ଦୁଇ ଶ୍ରୀଭୂଜ, କିରୀଟ, ଓଡ଼ିଆଣୀ, ଦୁଇ କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନୀ, ଘାଗଡ଼ା ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଟି, ବାହାଡ଼ା ମାଳି, ବାଘନଖୀ ମାଳି, ସେବତୀ ମାଳି, ତ୍ରିଖଣ୍ଡିକା କମରପେଟି ଆଦି ଲାଗି କରାଯାଏ । ଆୟୁଧ ଭାବରେ ବଡ଼ ଠାକୁରଙ୍କୁ ହଳମୂଷଳ ଓ ଶ୍ରୀଜଗନ୍ନାଥଙ୍କୁ ସ୍ୱର୍ଣ୍ଣ ଚନ୍ଦ୍ର ଓ ରୌପ୍ୟ ଶଙ୍ଖରେ ସଜ୍ଜିତ କରାଯାଏ । ମା’ ସୁଭଦ୍ରାଙ୍କୁ କିରୀଟ, ଓଡ଼ିଆଣୀ, କୁଣ୍ଡଳ,ଚନ୍ଦ୍ରସୂର୍ଯ୍ୟ, ଆଡ଼କାନୀ, କଦମ୍ବ ମାଳି, ଘାଘଡ଼ା ମାଳି ଇତ୍ୟାଦି ଲାଗି କରାଯାଏ । ଏଥି ମଧ୍ୟରୁ ସୁବର୍ଣ୍ଣ କେତକୀ ଓ କଢ଼ି ଖଚିତ କୀରିଟ ଓ ଶ୍ରୀହସ୍ତରେ ଲାଗିହେଉଥିବା ଆୟୁଧଯୁକ୍ତ ଶ୍ରୀଭୂଜ ସବୁଠାରୁ ଅଧିକ ଆକର୍ଷଣୀୟ ।
ତା’ପର ଦିନ ହୁଏ ଅଧରପଣା ନୀତି । ପ୍ରାୟ ତିନିହାତ ଉଚ୍ଚତା ବିଶିଷ୍ଟ ତୁମ୍ବାକୃତି ମାଟି ହାଣ୍ଡି ସ୍ୱତନ୍ତ୍ର ଭାବେ ବିଷୋୟୀ ସେବକଙ୍କ ଦ୍ୱାରା ଶୁଦ୍ଧପୂତ ଭାବରେ ନିର୍ମିତ ହୋଇଥାଏ ଯାହା ମଳା ଉପରେ ରହି ତା’ର ମୁହଁ ଶ୍ରୀ ବିଗ୍ରହଙ୍କ ଅଧର ପର୍ଯ୍ୟନ୍ତ ଲାଗିଥାଏ । କ୍ଷୀର, ସର, ଛେନା, ନବାତ, ପାଚିଲା କଦଳୀ, ଗୋଲ ମରିଚଗୁଣ୍ଡ, ଜାଇଫଳ ଘୋରା, କର୍ପୁର ଓ ଜଳ ଇତ୍ୟାଦିର ସମିଶ୍ରଣରେ ପଣା ପ୍ରସ୍ତୁତହୋଇ ପୂଜାପଣ୍ଡା ସାମନ୍ତଙ୍କ ଦ୍ୱାରା ଅର୍ପଣ ହେବା ପରେ ହାଣ୍ଡିଗୁଡ଼ିକୁ ସହସା ଭାଙ୍ଗି ଦିଆଯାଏ । ଫଳରେ ରଥ ପଟା ଉପରୁ ଭାସିଆସେ ସୁଗନ୍ଧିତ ପଣାର ଉତ୍ତାଳ ସ୍ରୋତ । ପରମ୍ପରା ଅନୁସାରେ ରଥ ତିନିପାଶ୍ୱର୍ରେ ଥିବା ଦେବଦେବୀ ତଥା ଅନ୍ୟ କ୍ଷୁଧିତ ଅଶରୀରି ଆତ୍ମାଙ୍କ ଉଦ୍ଦେଶ୍ୟରେ ଏହି ପଣାପ୍ରସାଦ ସାଙ୍କେତିକ ଭାବେ ଉତ୍ସର୍ଗ କରାଯାଏ । ରଥ ତଳେ ମଧ୍ୟ ଭକ୍ତଗଣ ଅପେକ୍ଷା କରି ରହିଥାନ୍ତି ଏହି ଦୁର୍ଲଭ ପଣାଟିକେ ପାଇବା ପାଇଁ । ଏହା ମଧ୍ୟ ମହାନାଟକର ଅନ୍ୟତମ ବିଚିତ୍ର ଦୃଶ୍ୟ, ଅଲୌକିକତାର ଲୌକିକ ନିଦର୍ଶନ ।
ଶେଷରେ ଆସେ ତଥାକଥିତ ମହାନାଟକର ଅନ୍ତିମ ଦୃଶ୍ୟ, ନୀଳାଦ୍ରି ବିଜେ । ଘର ବାହୁଡ଼ା ବେଳେ ମହାପ୍ରଭୁ ସେବକମାନଙ୍କ ଗହଣରେ ଯେତେବେଳେ ରଥ ଉପରେ ସିଂହାସନ ଛାଡ଼ନ୍ତି, ରଥପଟା ଉପରେ ପୁନଶ୍ଚ ଟାହିଆ ଲାଗିକରାଯାଏ । ସେତେବେଳେ ତାଙ୍କ ଆଖିରେ କୁଟିଳ ଚାହାଣି ଆଉ ଅଧରରେ ରହିଥାଏ ରହସ୍ୟମୟ ହସର ମଧୁର ଆଭାସ । ତାଙ୍କ ମନ ବୋଧେ ଆନନ୍ଦରେ ଅଧୀର ହେଉଥାଏ ପୁଣି ଠାକୁରାଣୀ
ଲକ୍ଷ୍ମୀଙ୍କ ସହ ଏକାନ୍ତରେ ମିଳନ ପାଇଁ । ଭିତରେ ମହାଲକ୍ଷ୍ମୀ ମଧ୍ୟ ଆତୁର ହୋଇ ଚାହିଁବସିଥାନ୍ତି ମହାପ୍ରଭୁଙ୍କ ଫେରିବା ବାଟକୁ । ପ୍ରତିଶ୍ରୁତି ଅନୁସାରେ ମହାପ୍ରଭୁ ଫେରି ଆସିଛନ୍ତି ବୋଲି ମନରେ ଆଶ୍ୱସ୍ତି ଭାବ ଥିଲେ ମଧ୍ୟ ଅଭିମାନ କମିନଥାଏ । ସେ ପୁଣି ଚାଲିଆସନ୍ତି ଭେଟ ମଣ୍ଡପକୁ ମହାପ୍ରଭୁଙ୍କୁ ଦର୍ଶନ କରି ନିଶ୍ଚିତ ହେବା ପାଇଁ । ଏହି ଲୀଳା ଦାମ୍ପତ୍ୟ ଜୀବନର ବାସ୍ତବ ଚିତ୍ର ଭଳି ରଚିତ ଏକ ବିସ୍ତୃତ ଦୃଶ୍ୟକାବ୍ୟର ପ୍ରୀତିପଦ ଅଧ୍ୟାୟ । ମହାପ୍ରଭୁ ଠାକୁରାଣୀଙ୍କ ଅଭିମାନ ବୁଝିପାରନ୍ତି । ସେ ସର୍ବଜ୍ଞାତା, ସାଙ୍ଗରେ ମାନଭଞ୍ଜନ ପାଇଁ ଆଣିଥିବା ରସଗୋଲା ଭୋଗ ସେହି ଚାହାଣି ମଣ୍ଡପରେ ଠାକୁରାଣୀଙ୍କୁ ଭିତରଚ୍ଛୁ ମହାପାତ୍ରଙ୍କ ଦ୍ୱାରା ବନ୍ଦାପନା ପୂର୍ବକ ସମର୍ପଣ କରାଯାଏ । ମହାଲକ୍ଷ୍ମୀ ସାମାନ୍ୟ ଶାନ୍ତ ହୋଇ ଫେରିଯାଆନ୍ତି ସିନା ରୋଷ ସମ୍ପୂର୍ଣ୍ଣ ଥମେ ନାହିଁ । ଅବାଟରେ ଯାଇ ଗୃହସ୍ୱାମୀ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କଲାବେଳେ ଘରଣୀ ବିଭିନ୍ନ ଉପାୟରେ ନିଜର ରାଗ ପ୍ରଦର୍ଶନ କଲାଭଳି ଦୃଶ୍ୟ ମଧ୍ୟ ଏହି ଅନ୍ତିମ ପର୍ଯ୍ୟାୟର ମୁଖ୍ୟ ବିଭବ ।
ମହାପ୍ରଭୁ ଟାହିଆ ନଚେଇ ରଥରୁ ଓହ୍ଳାଇ ସେବକଙ୍କ ଗହଣରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲାବେଳକୁ ମହାଲକ୍ଷ୍ମୀଙ୍କର କୋପ ପୁନର୍ବାର ପ୍ରକାଶ ପାଏ । ସେତେବେଳକୁ ସୁଦର୍ଶନ, ଶ୍ରୀ ବଳଭଦ୍ର ଓ ମା’ସୁଭଦ୍ରା ଶ୍ରୀମନ୍ଦିର ଭିତରକୁ ପହଣ୍ଡି ହେଇ ଚାଲି ଯାଇଥାନ୍ତି । ଏଣୁ ଏହି ସୁଯୋଗରେ ମହାଲକ୍ଷ୍ମୀଙ୍କ ନିର୍ଦ୍ଦେଶରେ ସିଂହଦ୍ୱାର ବନ୍ଦ ହୋଇଯାଏ । ଏଇ ତ ପ୍ରକୃତ ରାଗ ସୁଝେଇବାର ବେଳ! ଜଗତର ନାଥଙ୍କର ଏ କି ଦୁର୍ଦ୍ଦଶାର ଯୋଗ! ନିଜ ଗୃହକୁ ପ୍ରବେଶ କରିବା ପାଇଁ ସେ ଅସମର୍ଥ । ଦାମ୍ପତ୍ୟ କଳହ ଯାଇ ଅନ୍ତିମ ସ୍ତରରେ ପହଞ୍ଚି ଯାଏ । କେବଳ ବୁଝାସୁଝାରେ ଯାହା କରାଯାଇପାରେ ଏହି ଗତିରୋଧର ଉପଚାର । କଥାରେ କୁହାଯାଇଛି ଦାମ୍ପତ୍ୟ କଳହ କଦାପି ଦୀର୍ଘସ୍ଥାୟୀ ହେଇ ନପାରେ । ଏଣୁ ଆରମ୍ଭ ହୁଏ ବଚନିକା ପର୍ବ । ସିଂହଦ୍ୱାର ଭିତରପଟେ ପୂର୍ବରୁ ମାହାରିମାନେ ମହାଲକ୍ଷ୍ମୀଙ୍କ ପକ୍ଷ ଏବଂ ବାହାର ପଟେ ସେବକମାନେ ମହାପ୍ରଭୁଙ୍କ ପକ୍ଷ ନେଉଥିଲେ । ଏବେ ସେବକମାନେ ଉଭୟ ପକ୍ଷରୁ ସଂକ୍ଷିପ୍ତ ବଚନିକା ପର୍ବ ସମ୍ପାଦନ କରୁଛନ୍ତି । ପରସ୍ପର ଦୋଷାରୋପ ପ୍ରତ୍ୟାରୋପ ଛଳରେ କେତେଗୋଟି ମଧୁର ପଦାବଳୀ ଗାୟନ ପରେ ଠାକୁରାଣୀଙ୍କ ରୋଷ ପ୍ରଶମିତ ହୁଏ । ତାଙ୍କ ନିର୍ଦ୍ଦେଶରେ ସିଂହଦ୍ୱାର ଫିଟାଯାଏ ଏବଂ ମହାପ୍ରଭୁ ଭିତରକୁ ଯାଆନ୍ତି । ପୁଣି ସେଠାରୁ ଯାଇ ଜଗମୋହନରେ ପହଞ୍ଚିବା ପରେ ବିବାହ ବେଳରେ ବନ୍ଧାଯାଇଥିବା ଗଇଣ୍ଠାଳ ଫିଟାଯାଏ ଏବଂ ଭିତରଚ୍ଛୁ ମହାପାତ୍ରଙ୍କ ଦ୍ୱାରା ରସଗୋଲା ଭୋଗ କରାଯାଏ । ଶେଷରେ ରତ୍ନସିଂହାସନକୁ ବିଜେ କରନ୍ତି । ତା’ପରେ ଏହି ମହାନାଟକର ଯବନିକା ପଡ଼େ । ଧନ୍ୟ ସେ କାଳିଆ ସାଆନ୍ତ, ଧନ୍ୟ ତାଙ୍କର ମାନବୀୟ ଲୀଳା ।
କୁଣ୍ଢେଇବେଣ୍ଟ ସାହି, ପୁରୀ ,
ମୋ: ୯୪୩୭୧୬୬୩୬୯
Comments are closed.