Latest Odisha News

BREAKING NEWS

ପଞ୍ଚଭୂତରେ ଲୀନ ହେଲେ ନନ୍ଦ ସାର

ଯାଜପୁର: ଅଲବିଦା ନନ୍ଦ ସାର । ପଞ୍ଚଭୂତରେ ବିଲୀନ ହୋଇଛନ୍ତି ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି । ଅଫେରା ରାଇଜକୁ ଚାଲି ଯାଇଛନ୍ତି ସବୁରି ପ୍ରିୟ ନନ୍ଦ ସାର । ଜନ୍ମମାଟି ଯାଜପୁର ଜିଲ୍ଲାର ଯାଜପୁର ବୈତରଣୀ ନଦୀ କୂଳରେ ଥିବା ବାରୁଣୀ ମହା ଶ୍ମଶାନରେରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ତାଙ୍କ ସାନପୁଅ ନିରଞ୍ଜନ ପୃଷ୍ଟି ମୁଖାଗ୍ନି ଦେଇଥିଲେ । କୋଭିଡ୍ କଟକଣାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ।

ନନ୍ଦ ସାରଙ୍କୁ ହରାଇ ପୁରା କନ୍ତିରା ଗାଁ କାନ୍ଦୁଛି । ନନ୍ଦ ମାଷ୍ଟ୍ରେଙ୍କୁ ଝୁରୁଛି ଚାଟଶାଳୀ ।ଗତକାଲି ୧୦୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ନନ୍ଦ ସାର । ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । ପ୍ରଥମେ ଯାଜପୁର ଓ ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ କାଲି ଆଖି ବୁଜିଥିଲେ ।

ଦଶନ୍ଧି ଦଶନ୍ଧି ଧରି ଛୋଟ ପିଲାଙ୍କୁ ନିଜ ଚାଟଶାଳୀରେ ମାଗଣାରେ ପାଠ ପଢ଼ାଉଥିଲେ ନନ୍ଦ କିଶୋର ପୃଷ୍ଟି । ତିନି ପିଢିଙ୍କୁ ପଢ଼ାଇଛନ୍ତି ପାଠ । ଯେଉଁ ଚାଟଶାଳୀରେ ଦିନେ ଜେଜେବାପା ପଢ଼ିଥିଲେ ସେଠାରେ ନାତିକୁ ବି ପାଠ ପଢ଼ାଇଛନ୍ତି ।

ଶିକ୍ଷାକ୍ଷେତ୍ରରେ ଅବଦାନ ବର୍ଷ ୨୦୨୦ ପାଇଁ ତାଙ୍କୁ ପ୍ରଦାନ କରାଯାଇଥିଲା ପଦ୍ମ ସମ୍ମାନ । ଗତମାସ ୯ ତାରିଖରେ ସେ ରାଷ୍ଟ୍ରପତିଙ୍କ ପାଖରୁ ଏହି ପୁରସ୍କାର ଗ୍ରହଣ କରିଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।

Comments are closed.