Latest Odisha News

BREAKING NEWS

ସେ ନାହାଁନ୍ତି ସତ, ଏବେ ବି ତାଙ୍କୁ ଶୁଣୁଛନ୍ତି ଦେଶବାସୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସୁର ସମ୍ରାଜ୍ଞୀ ତଥା କୋକିଳ କଣ୍ଠୀ ଲତା ମଙ୍ଗେସକର ଯାହାଙ୍କର ପ୍ରତିଟି ଗୀତରେ ଥାଏ ସ୍ୱରର ମଧୁରତା ଓ ଭାବର ନିବିଡତା। ତାଙ୍କ ସ୍ୱରରେ ବିଜେ କରିଛନ୍ତି ମା’ ସରସ୍ୱତୀ । ବିଗତ ଅନେକ ଦଶନ୍ଧି ଧରି ସଂଗୀତର ଭଣ୍ଡାରରେ ପ୍ରତିଦିନ ନୂଆ କଣ୍ଠ ଦାନ କରୁଥିବା ଲତା ଜୀଙ୍କ ଜନ୍ମ ୧୯୨୯ ସେପ୍ଟେମ୍ବର ୨୮ ରେ ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ଏକ ମରାଠୀ ପରିବାରରେ ହୋଇଥିଲା। ଆଜିର ଦିନ ଭାରତ ଇତିହାସରେ ବେସ ଗୁରୁତ୍ୱପୂର୍ଣ୍ଣ ଦିନ ବୋଲି ବିବେଚନା କରାଯାଏ। ଚାଲନ୍ତୁ ଜାଣିବା ତାଙ୍କ ବିଷୟରେ କିଛି କଥା।

ଇନ୍ଦୋରରେ ପ୍ରସିଦ୍ଧ ସଂଗୀତକାର ଦିନାନାଥ ମଙ୍ଗେସକରଙ୍କ ଝିଅ ଲତା ମଙ୍ଗେସକର। ମାତ୍ର ୧୩ ବର୍ଷ ବୟସରେ ସଙ୍ଗୀତ ପ୍ରତି ଥିବା ତାଙ୍କ ଭଲ ପାଇବା ଆଜି ସମସ୍ତଙ୍କ ପ୍ରେରଣା ପାଲଟିଛି। ସେ ୩୬ରୁ ଅଧିକ ଭାଷାରେ ୧୦୦୦ ରୁ ଅଧିକ ଫିଲ୍ମ କିମ୍ବା ଅନ୍ୟାନ୍ୟ ଗୀତରେ ନିଜର ସ୍ୱର ଯାଦୁରେ ସ୍ରୋତା ଏବଂ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି। ଏଥିପାଇଁ ତାଙ୍କୁ ଭାରତ ରତ୍ନ, ପଦ୍ମ ବିଭୂଷଣ ଓ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

୧୯୪୨ ମସିହାରେ ମରାଠୀ ଚଳଚ୍ଚିତ୍ର ‘କିଟ୍ଟି ହାସଲ’ରୁ ସେ ଗାୟିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ମଜବୁର, ବେଦର୍ଦ ଭଳି ଦୁଇଟି ଚଳଚ୍ଚିତ୍ରରେ ଗୀତ ଗାଇ ପରିଚିତ ହେବା ପରେ ପୂରା ସଙ୍ଗୀତ ଜଗତରେ ଛାଇ ଯାଇଥିଲେ ଲତା ମଙ୍ଗେସକର। ୧୯୬୩ ମସିହା ଭାରତ-ଚୀନ ଯୁଦ୍ଧ ସମୟରେ ଲତାଙ୍କ ଦେଶାତ୍ମକ ଗୀତ ‘ଏ ମେରେ ବତନ କେ ଲୋଗୋଁ’ ଅନେକ ଲୋକଙ୍କ ମନକୁ ଛୁଇଁଥିଲା । ଏହି ସଙ୍ଗୀତ ପାଇଁ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଥିଲା।

ଲତାଙ୍କ ସ୍ୱରର ଯାଦୁ ସମସ୍ତଙ୍କୁ ବିମୋହିତ କରେ। କେବଳ ଭାରତରେ ନୁହେଁ, ସାରା ପୃଥିବୀରେ ତାଙ୍କର ଫ୍ୟାନ୍ସ ଅଛନ୍ତି। ଲତା ମଙ୍ଗେସକର ଭାରତୀୟ ସଙ୍ଗୀତ ଜଗତର ଜୀବନ୍ତ କିମ୍ବଦନ୍ତୀ । ସଙ୍ଗୀତ ଜଗତରେ ତାଙ୍କର ଅତୁଳନୀୟ ଅବଦାନ ରହିଛି। ୨୦୨୨ ଫେବୃଆରୀ ୬ରେ ୯୨ ବର୍ଷ ବୟସରେ ଲତା ମଙ୍ଗେସକର ପ୍ରାଣ ହରାଇଥିଲେ।

Leave A Reply

Your email address will not be published.