Latest Odisha News

ବିଭୀଷଣ ସାଜିଥିଲେ ସାଂସଦ ପ୍ରାର୍ଥୀ !

ଭୁବନେଶ୍ବର: ପୂର୍ବତନ ବିଜେଡି ବିଧାୟିକା ଲତିକା ପ୍ରଧାନଙ୍କ ସାଂଘାତିକ ଅଭିଯୋଗ । ଦଳର ଆସିକା ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ ସାଜିଥିଲେ ବିଭୀଷଣ ! ଦଳୀୟ ପ୍ରାର୍ଥୀଙ୍କୁ ହରାଇବାକୁ ବିଜେପି ସହ ମିଳାଇଥିଲେ ହାତ ! ବିଜେଡି ନେତ୍ରୀ ଲତିକା ପ୍ରଧାନଙ୍କର ଏଭଳି ବିସ୍ଫୋରକ ବୟାନକୁ ନେଇ ସରଗରମ ହୋଇଛି ରାଜନୀତି । ଆସିକା ଲୋକସଭାରୁ ବିଜେଡି ପ୍ରାର୍ଥୀ ରହିଥିବା ରଞ୍ଜିତା ସାହୁଙ୍କ ବିରୋଧରେ ବର୍ଷିଛନ୍ତି ଲତିକା । ରଞ୍ଜିତାଙ୍କ ପାଇଁ ବିଜେଡି ପ୍ରଥମ ଥର ଆସିକା ଲୋକସଭା ହାରିଥିବା ବେଳେ ଅନେକ ବିଧାନସଭା ସିଟ୍ ହରାଇଥିବା କହିଛନ୍ତି ଲତିକା । ତେବେ ଏଭଳି ଅଭିଯୋଗ ନେଇ ରଞ୍ଜିତାଙ୍କ ପ୍ରତିକ୍ରିୟା ମିଳିପାରିନି ।

ବିଜେଡି ପ୍ରାର୍ଥୀଙ୍କୁ ହରାଇଥିଲେ ରଞ୍ଜିତା !
ନିର୍ବାଚନର ୪ମାସ ପରେ ବଡ ବିସ୍ଫୋରଣ କରିଛନ୍ତି କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ଲତିକା ପ୍ରଧାନ । ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ ବିଭୀଷଣ ସାଜି ଦଳୀୟ ପ୍ରାର୍ଥୀଙ୍କୁ ହରାଇଥିଲେ । ବିଜେପି ସହ ହାତ ମିଳାଇ ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି । ଏପରିକି ତାଙ୍କୁ ହରାଇବାକୁ ବି ରଞ୍ଜିତା ପ୍ଲାନ୍ କରିଥିଲେ ବୋଲି ଲତିକା କହିଛନ୍ତି । ରଞ୍ଜିତାଙ୍କ ପାଇଁ ବିଜେଡି ହାତରୁ ଆସିକା ସିଟ୍ ଚାଲିଗଲା। ରଞ୍ଜିତା ଦଳ ବିରୋଧୀ କାମ କରିଥିବା ନେଇ ସମସ୍ତ ପ୍ରମାଣ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଦେଇଥିବା ଲତିକା କହିଛନ୍ତି । ଏନେଇ କାର୍ଯ୍ୟାନୁଷ୍ଠାନ ନହେଲେ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ଲତିକା କହିଛନ୍ତି । ତେବେ ଏସବୁ ଅଭିଯୋଗ ନେଇ ରଞ୍ଜିତା ସାହୁଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ବାଇଟ୍- ଲତିକା ପ୍ରଧାନ, ପୂର୍ବତନ ବିଜେଡି ବିଧାୟିକା

ଲତିକା Vs ରଞ୍ଜିତା… ଶତ୍ରୁତା ପୁରୁଣା
ଲତିକା ପ୍ରଧାନ ଓ ରଞ୍ଜିତା ସାହୁଙ୍କ ବାପା ହରପ୍ରସାଦ ସାହୁଙ୍କ ମଧ୍ୟରୁ ପୂର୍ବରୁ ବି ରାଜନୈତିକ ଶତ୍ରୁତା ରହିଛି । ଖଲ୍ଲିକୋଟ ରାଣୀ ଭି ସୁଜ୍ଞାନୀ କୁମାର ଦେଓଙ୍କ ସହ ହରପ୍ରସାଦଙ୍କର ସଂପର୍କ ଭଲ ନଥିଲା । ନିଜେ ହରପ୍ରସାଦ ବାରମ୍ବାର ଟିକେଟ୍ ପାଇଁ ଲବି କରିବା ସହ ଲତିକା ପ୍ରଧାନଙ୍କ ପ୍ରାର୍ଥୀତ୍ବକୁ ବିରୋଧ କରୁଥିଲେ । ତେବେ କବିସୂର୍ଯ୍ୟନଗରରେ ଲତିକାଙ୍କୁ ବଦଳାଇ ନଥିଲା ବିଜେଡି । ହରଙ୍କୁ ଖୁସି କରିବାକୁ ତାଙ୍କ ଝିଅ ରଞ୍ଜିତା ସାହୁଙ୍କୁ ପ୍ରାର୍ଥୀ କରିଥିଲା। ତେବେ ଉଭୟ ଲତିକା ଓ ରଞ୍ଜିତା ପରସ୍ପରର ବିରୋଧୀ ରହିଥିଲେ । ଏପରିକି ଅଧିକାଂଶ ସମୟରେ ପ୍ରଚାର ବେଳେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିନଥିଲା । ସେବେଠୁ ଉଭୟଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଯୋଗୁଁ ଉଭୟ ନିର୍ବାଚନ ହାରିଥିବା କୁହାଯାଉଛି ।

ଗଞ୍ଜାମ ଗଡ଼ ଭୁଶୁଡିବା ପଛରେ ବିଭୀଷଣ !
ସାରା ରାଜ୍ୟରେ ବିଜେଡି ଭଲ ପ୍ରଦର୍ଶନ କରିନଥିବା ବେଳେ ଗଞ୍ଜାମରେ ସବୁଠୁ ବଡ଼ ଝଟକା ଲାଗିଥିଲା । ବିଜେଡିର ଗଡ଼ କୁହାଯାଉଥିବା ଗଞ୍ଜାମର ମୋଟ୍ ୧୩ଟି ସିଟରୁ କେବଳ ହିଞ୍ଜିଳିକାଟୁ ଛାଡି ବାକି ଆସନ ହାରିଥିଲା ବିଜେଡି । ୨୦୧୯ରେ ଗଞ୍ଜାମ ଜିଲ୍ଲାରେ ୧୨ଟି ସିଟ୍ ଜିତିଥିବା ବିଜେଡିର ଦୁର୍ଗ ଭାଙ୍ଗି ପଦ୍ମ ଫୁଟାଇଥିଲା ବିଜେପି । ସେହିପରି ବିଜୁ ପଟ୍ଟନାୟକଙ୍କ ପରଠୁ ଆସିକାରେ ସବୁବେଳେ ବିଜେଡି ଜିତିଥିବା ବେଳେ ଏଥର ବିଜେପି ପ୍ରାର୍ଥୀ ଅନିତା ଶୁଭଦର୍ଶିନୀ ବାଜିମାତ୍ କରିଛନ୍ତି । ନିଜେ ନବୀନ ପଟ୍ଟନାୟକ ଦୁଇ ଦୁଇ ଥର ଆସିକା ଜିତି ଲୋକସଭାକୁ ଯାଇଥିଲେ । ତେବେ ଆସିକା ଜିତି ସମ୍ମାନ ରଖିବାରେ ବି ବିଜେଡି ଫେଲ୍ ମାରିଛି ।

ଗଞ୍ଜାମରେ ବିଜେଡିର ଲଜ୍ଜାଜନକ ପରାଜୟ ପାଇଁ ଦଳ ଭିତର କନ୍ଦଳକୁ ଦାୟୀ କରାଯାଉଥିବା ବେଳେ ସିଧାସଳଖ ରଞ୍ଜିତା ସାହୁଙ୍କୁ ଟାର୍ଗେଟ୍ କରିଛନ୍ତି ଲତିକା । ଗତଥର ମିଶନ ଶକ୍ତି ମହିଳା ପ୍ରମିଳା ବିଷୋୟୀଙ୍କୁ ପ୍ରାର୍ଥୀ କରି ଚମକାଇ ଦେଇଥିଲା ବିଜେଡି। ଏଥର ରାଜନୀତିରେ ନୂଆ ଚେହେରା ରଞ୍ଜିତାଙ୍କୁ ଟିକେଟ୍ ଦେଇଥିଲା ଦଳ । ହେଲେ ଲୋକସଭା ହାତରେ ରହିଲାନି । ଗଞ୍ଜାମ ପରୀକ୍ଷାରେ ବି ଫେଲ୍ ମାରିଲା ବିଜେଡି । ତେବେ ପ୍ରଶ୍ନ ଉଠୁଛି, ଗଞ୍ଜାମରେ ବିଜେଡିର ପରାଜୟ ପଛରେ କିଏ? ବିଭୀଷଣ ସାଜି ଦଳୀୟ ନେତାଙ୍କୁ ହରାଇବାକୁ ଯୋଜନା କରିଥିଲେ କି ରଞ୍ଜିତା? କେଉଁ ପ୍ରମାଣ କଥା କହୁଛନ୍ତି ଲତିକା? ଯଦି ସତରେ ରଞ୍ଜିତାଙ୍କ ବିରୋଧରେ ପ୍ରମାଣ ଅଛି, ତେବେ କାର୍ଯ୍ୟାନୁଷ୍ଠାନ ନେବେ କି ବିଜେଡି ସଭାପତି? କଳି ତୁଟାଇ ପୁଣି ସମସ୍ତଙ୍କୁ ଏକାଠି କରିପାରିବେ କି ନବୀନ? ଜିଲ୍ଲାଓ୍ବାରୀ ସମୀକ୍ଷା କରିଥିବା ନବୀନ ଦଳର ବିଭୀଷଣଙ୍କୁ ଚିହ୍ନଟ କରି ଆକ୍ସନ୍ ନିଅନ୍ତୁ । ନହେଲେ ବିଜେଡିକୁ ଜନତା ପୁଣି ମୁହଁ ଫେରାଇବା ସମ୍ଭବ ହେବନି ।

Leave A Reply

Your email address will not be published.